ପୃଷ୍ଠା:Jati, Jagruti o Pragati.pdf/141

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୨ / ଜାତି, ଜାଗୃତି ଓ ପ୍ରଗତି

ଇଂରେଜ ଶାସନର ଅନ୍ଧାରୀ ମୂଲକରୁ ମୁକୁଳି ମହାମନିଷୀଙ୍କ ଆତ୍ମୋତ୍ସର୍ଗ ଓ ସଂଗ୍ରାମରେ ସମଗ୍ର ବିଶ୍ୱପାଇଁ ଯେଉଁ ଦିଗ୍‌ଦର୍ଶନର ଆଲୋକ ଉଚ୍ଛ୍ୱାସକୁ ଆମ ଇତିହାସ ସୃଷ୍ଟି କରିଥିଲା, ସେ ଇତିହାସଠାରୁ ଆମର ନବକଳିକାମାନଙ୍କୁ ଜାଣିଶୁଣି ଦୂରେଇ ରଖାଯାଉଛି । ଏସବୁଥିରୁ ମୁକ୍ତ ହେବାର ପ୍ରେରଣା କେହିବି ଏମାନଙ୍କୁ ଦେଲେନାହିଁ । ବରଂ ଶ୍ରେୟ ମଣିଲେ ଏହି କଳିକାମାନଙ୍କ ବେକରେ ପାଣି ବୋତଲ ଏବଂ ପିଠିରେ ପାଶ୍ଚାତ୍ୟ ଅଭିମୁଖ୍ୟର ବୋଝ-ଶିକ୍ଷାଗ୍ରନ୍ଥ ଝୁଲାଇ ଦେଇ ଚିରଦିନ ଭାରବାହୀ ପଶୁ ଭାବେ ତାଲିମ ଦେବାକୁ । ସେମାନେ ଭୁଲିଗଲେ ଯେ ଯେଉଁମାନେ ଏ ଦେଶର ସ୍ୱାତନ୍ତ୍ର୍ୟତାକୁ ପ୍ରକାଶ କରିବାପାଇଁ ତୀବ୍ର ଆନ୍ଦୋଳନର ଲେଲୀହାନ ବହ୍ନି ପ୍ରଜ୍ୱଳିତ କରିଥିଲେ, ସେ ସମସ୍ତେ ଥିଲେ ଉଚ୍ଚ ଶିକ୍ଷିତ ଆଉ ବିଲାତ ଫେରନ୍ତା । ନେତାଜୀ ସୁଭାଷ, ଲୋକମାନ୍ୟ ତିଲକ, ଶ୍ରୀଅରବିନ୍ଦ, ମହାତ୍ମାଗାନ୍ଧୀ, ଗୋଖଲେ, ଦାଦାଭାଇ ନାରୋଜୀ, ଓଡ଼ଶାର ମଧୁସୂଦନ ଦାସ ଆଦି ବିଦେଶୀ ଶିକ୍ଷାରେ ଦୀକ୍ଷିତ ହୋଇ ବ୍ରିଟିଶ ଶାସନର ଅମାନୁଷିକତା, ଅବବେକିତା ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କଲେ । ସଂଗ୍ରାମ ଚଳାଇଥିଲେ । କେବଳ ଏମାନେ ନୁହନ୍ତି, ଏହିଭଳି ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀ; ଯେଉଁମାନେ ସଂପୂର୍ଣ୍ଣ ଭାବେ ଇଂରେଜ ଶିକ୍ଷାଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ୟୁରୋପୀୟ ପୁଞ୍ଜି ବା ପଣ୍ୟବାହୀ ସଂସ୍କୃତି ଏମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । କାରଣ ବିଲାତର ଉଚ୍ଚଶିକ୍ଷାଦ୍ୱାରା ଭାରତୀୟ ଦର୍ଶନ ଓ ସଂସ୍କୃତିର ଅଧ୍ୟୟନ ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲା । ସେଥିପାଇଁ ଗାନ୍ଧୀଙ୍କ ସ୍ୱଦେଶୀ ଡାକରା, ଲବଣ ସତ୍ୟାଗ୍ରହ ଏତେ ଜନପ୍ରିୟ ହୋଇପଡ଼ିଲା ଯେ, କ୍ଷମତାସୀନ ଇଂରେଜ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା । ନେତାଜୀ ସୁଭାଷଙ୍କ ଦିଲ୍ଲୀ ଚଲୋ...ର ଉଦ୍ଦାତ ଆହ୍ୱାନ ଛାତ୍ରଯୁବକଙ୍କ ମଧ୍ୟରେ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟି କରିଥିଲା । ଗାନ୍ଧିଜୀ, ତିଳକ, ବିନୋବା ଆଦି ସ୍ୱାଧୀନ ଚେତାଗଣ ବୁଝିଥିଲେ ଚେତନା ସ୍ତରରେ ୟୁରୋପୀୟ ସଂସ୍କୃତି ଭାରତୀୟ ସଂସ୍କୃତିକୁ କଳଙ୍କିତ କରିଥାଏ । ମାତ୍ର ଗାନ୍ଧିଙ୍କ ପଟ୍ଟଶିଷ୍ୟ ଜବାହର ‘ଭାରତ ଆବିଷ୍କାର’ ଗ୍ରନ୍ଥ ରଚନା କଲେ ସିନା, କିନ୍ତୁ ନିଜ ଭିତରେ ତାହା ଅନାବିଷ୍କୃତ ହୋଇପଡ଼ିଥିଲା । ବରଂ ତାଙ୍କଦ୍ୱାରା ଆବିଷ୍କୃତ ତଥା ସ୍ୱାଧୀନ ଭାରତବର୍ଷରେ ପ୍ରଚଳିତ ହେଲା ଭୋଗବାଦର ମୋହ । ଏସବୁ ପରୀକ୍ଷା ନିରୀକ୍ଷା କରି ମୁନିଋଷିଗଣ ନାନା ତ‌ତ୍ତ୍ୱ ଛଳରେ ଆମକୁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି । ମାତ୍ର ଆମର ଶିକ୍ଷାବିତ୍‌ମାନେ ନିଜେ ଏକଥାର ମହତ୍ତ୍ୱକୁ ବୁଝି ନ ଥିବାବେଳେ ଶିକ୍ଷାର୍ଥୀକୁ ବୁଝାଇବେ କ’ଣ?

ରାସ୍ତାଘାଟ ସଂପ୍ରସାରଣ, ଶିଳ୍ପ ପ୍ରତିଷ୍ଠା ଆଦି ହେଉଛି ଦେଶର ଆଙ୍ଗିକ ବିକାଶ । ଆତ୍ମିକ ବିକାଶ ହେଉଛି ‘ଶିକ୍ଷା’ । ଆତ୍ମାଟି ଚାଲିଗଲା ପରେ ସବୁ ସମୃଦ୍ଧିର ପିଣ୍ଡଟି ମୃତ