ପୃଷ୍ଠା:Jati, Jagruti o Pragati.pdf/144

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୪୫
ଆଦିଭାଷା, ଯାହାର ମୂଳପିଣ୍ଡ ଭାରତବର୍ଷର ସ୍ୱର୍ଣ୍ଣିମ ମାଟି, ସେହି ସଂସ୍କୃତ ଓ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଭୁଲିଯାଉଛୁ । “ବାଳକ” ଶବ୍ଦ ରୂପ ମୁଖସ୍ଥ ହେଉ ନ ଥିବା ବେଳେ ଗଳଦ୍‌ଘର୍ମ ହୋଇ ‘ଏ ଫର୍ ଆପୁଲ’, ‘ବି ଫର୍ ବ୍ୟାଟ୍’ ମୁଖସ୍ଥ କରିବାରେ ଲାଗିଛୁ । ଏପରିକି ଏ ମାଟିରେ ଜନ୍ମ ହେବା ପରେ ଶିଶୁ ମନର ଦରୋଟି ଓଠରେ ଉଚ୍ଚାରିତ ହୋଇ ଆମ ସମାଜର ପ୍ରତ୍ୟେକଟି ସହ ପରିଚିତ କରାଇଥିବା ମାତୃଭାଷାକୁ ଆମେ ଭୁଲିଯିବାକୁ ଆପ୍ରାଣ ଚେଷ୍ଟା କରୁଛୁ । ବିଦେଶୀ ପାନୀୟ, ବିଦେଶୀ ଖାଦ୍ୟ, ବିଦେଶୀ ପୋଷାକର ସଇତାନୀ ମାୟାରେ ମାତିଛୁ । ଦେହ ଭଳି ଆମର ମନ ଲଙ୍ଗଳା ହେଲାଣି ବୋଲି ନିଜକୁ ସଜେଇବାର ବିଭିନ୍ନ ଉପାୟ ପ୍ରୟୋଗ କରୁଛୁ । କିନ୍ତୁ ଭୁଲିଯାଉଛୁ ଯେ ଭାରତ କେବେ ମଧ୍ୟ ଦେହବାଦୀ ନ ଥିଲା । ଏଠାରେ ଋଷିଟିଏ ଦେହ ମନରେ ପରିଚ୍ଛନ୍ନ ଭାବରେ ଆବୃତ ବୋଲି କୌପିନୀ ଖଣ୍ଡକର ସାହାଯ୍ୟ ନେଇଥାଏ ।

କିନ୍ତୁ ଏ ଦେହବାଦୀ, ଭୋଗର ସଂସ୍କୃତି ଭାରତମାଟିରେ ବେଶୀ ଦିନ ଉଧେଇବ ନାହିଁ । ଏ ମାଟିରେ ଚେର ବିସ୍ତାର କରି ଓହଳ ଲମ୍ବେଇଛି ବହୁ ଶତାବ୍ଦୀ ଧରି ମହାଭାରତୀୟ ସଂସ୍କୃତିର ବଟବୃକ୍ଷ । ତା’ ତଳେ ଆଉ କିଛି ଚାରାର ଚେର ମାଟିକୁ ଧରି ପାରିବ ନାହିଁ । ତଥାପି ମନରେ ଆଶା ଅଛି-ଏ ଅଦିନଆ ବର୍ଷାରେ ଗଜୁରୁଥିବା ଅନାବନା ଗଛ ‘ଚେତନାର ସୂର୍ଯ୍ୟ ତାପ’ରେ ଜଳିଯିବ । ଏ ଚେତନାର ସୂର୍ଯ୍ୟ ଉଇଁବ ଆମର ପରବର୍ତ୍ତୀ ପିଢ଼ିର ଭାବନା ଓ ସଂକଳ୍ପରେ । କାରଣ ଆମେ ଯେ ସାଂସ୍କୃତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ ଚିନ୍ତିତ ଓ ସଚେତନ ଏବଂ ଏହା ସୂଚାଇ ଦେଉଛି ନିଶ୍ଚିତ ଭାବେ ନିକଟ ଭବିଷ୍ୟତରେ ଏକ ସୁସ୍ଥ ସଂହତି ଧାରାର ଅଭ୍ୟୁଦୟ ଘଟିବ । ଦୁର୍ନୀତି ଓ ଶୋଷଣର ଗନ୍ତାଘର ସାଜିଥିବା ଭାରତବର୍ଷର ଶାସକମାନେ ଶୋଷକରେ ରୂପାନ୍ତରୀତ ହୋଇଥିବା ରକ୍ତପାୟୀ ଲୋକମାନଙ୍କଠାରୁ ନିଜକୁ ରକ୍ଷା କରିବା, ତଥା ଦେଶର ମହାନ୍ ପରମ୍ପରାକୁ ଉଜ୍ଜିବୀତ କରିବାପାଇଁ ଯେ ଆଉ ଗୋଟିଏ ସଂଗ୍ରାମ ନିହାତି ଆବଶ୍ୟକ ତାହା ଯେ କେହି ସ୍ୱାଧୀନଚେତା ବ୍ୟକ୍ତି ମତବ୍ୟକ୍ତ କରିପାରିବ । କିନ୍ତୁ ଯେଉଁ ସ୍ୱାଧୀନତାର ଆହ୍ୱାନ ଘନ ଝଙ୍କାର ହେବ ଭାରତବର୍ଷରେ, ତାହା କୌଣସି ବିଦେଶୀ ବିରୁଦ୍ଧରେ ନୁହଁ ବରଂ ସ୍ୱଦେଶୀର ପରସ୍ୱାପହରଣକାରୀ, ସ୍ୱାର୍ଥଲେହନକାରୀ ତଥା ଅପସଂସ୍କୃତରି ବାହକ ଭାରତୀୟଙ୍କ ବିରୁଦ୍ଧରେ । ଯଦ୍ୱାରା ପୁଣିଥରେ ପ୍ରତଷ୍ଠା ହୋଇପାରିବ ବାପୁଙ୍କ ସ୍ୱପ୍ନର ରାମ ରାଜ୍ୟ, ଯେଉଁ ରାଜ୍ୟରେ ନ ଥିବ ଜାତି ଧର୍ମ ବର୍ଣ୍ଣକୁ ନେଇ ହିଂସା, ଦ୍ୱେଷ; ବରଂ ଥିବ ସମସ୍ତ ଭାବନାର ଊର୍ଦ୍ଧରେ ଏକ ମଣିଷ ପଣିଆ । ଏଣୁ ଏହି ମଣିଷ ପଣିଆର ଆଗମନପାଇଁ ଯେ, ଗଣତନ୍ତ୍ର ଦିବସ ପାଳନର ଅବସରରେ ଆଉ ଏକ ସଂଗ୍ରାମପାଇଁ ଶପଥ ନେବାକୁ ପଡିବ, ତାହା ଅନସ୍ୱୀକାର୍ଯ୍ୟ ଏବଂ ତାହା ନିଶ୍ଚିତ ଭାବରେ ଘଟିବ ।