ପୃଷ୍ଠା:Jati, Jagruti o Pragati.pdf/145

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୬ / ଜାତି, ଜାଗୃତି ଓ ପ୍ରଗତି

ହେଲେ ବିଶାଳ ସଂଘୀୟ ଭାରତବର୍ଷର ଏକ ଐତିହଶାଳୀ ସଦସ୍ୟ ଓଡ଼ିଶା? ୭୨ ବର୍ଷର ସ୍ୱତନ୍ତ୍ର ପ୍ରଦେଶ, ୬୧ବର୍ଷର ସ୍ୱାଧୀନତା, ୫୯ବର୍ଷର ଗଣତାନ୍ତ୍ରିକ ଶାସନ ପଦ୍ଧତି ହାସଲ କରିସାରିବା ପରେ ଓଡ଼ିଶାଭଳି ସମୃଦ୍ଧଶାଳୀ ମାଟି, ଆଉ ଓଡ଼ିଆଭଳି ସ୍ୱାଭିମାନୀ ଜାତିର ଅବସ୍ଥା କିଭଳି ରହିବ; ତାହା ମଧ୍ୟ ଆମେ ପ୍ରତ୍ୟେକ ଓଡ଼ିଆ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି । ଭାରତ ଗଣରାଜ୍ୟଗୁଡକର ଉନ୍ନତି ହେଉ, ଭାରତର ପ୍ରତ୍ୟେକ ବ୍ୟକ୍ତି ରୁଚିଶୀଳ ଓ ସମ୍ଭ୍ରାନ୍ତ ହୁଅନ୍ତୁ, ପ୍ରତ୍ୟେକ ରାଜ୍ୟ ମଧ୍ୟ ବିକଶିତ ହେଉ- ଏହା ଆମର କାମ୍ୟ, ଯାହା ଦୀର୍ଘ ୬୦ବର୍ଷ ଧରି ରହି ଆସିଛି । ମାତ୍ର ଏହି ମହାଭାରତୀୟ ଚେତନା ଭିତରେ ମଜ୍ଜି ରହି ଆମେ ଓଡ଼ିଶାବାସୀ ନିଜ ମାଟି, ନିଜ ଭାଷା, ନିଜ ସଂସ୍କୃତିର ବିକାଶକୁ ଭୁଲିଯାଉଛେ । ଭାରତର ଦାରିଦ୍ର୍ୟ କଥା କହିବାବେଳେ, ଓଡ଼ିଶାର ଦାରିଦ୍ର୍ୟ ତଥା ଏହାର କାରଣ ଓ ନିରାକରଣ ସଂପର୍କରେ କହିବାକୁ ଭୁଲିଯାଉଛୁ । ଭାରତର ଅର୍ଥନୀତି ଓ ଶିଳ୍ପର ବିକାଶ କଥା କହିବାବେଳେ, ଆମ ମାଟି ତଳେ ଗଚ୍ଛିତ ପ୍ରଚୁର ଖଣିଜ ପଦାର୍ଥର ସୁବିନିଯୋଗ କିମ୍ବା ଆମ ରାଜ୍ୟର ଦୁର୍ବଳ ଅର୍ଥନୈତିକ ସ୍ଥିତି ସଂପର୍କରେ ଚିନ୍ତା କରିବାକୁ ସଂକୋଚ ମନେ କରୁଛୁ । ଭାରତୀୟ ଶିଳ୍ପର ବିକାଶପାଇଁ ଅନ୍ୟ ରାଜ୍ୟରେ ଗଢ଼ି ଉଠୁଥିବା ଶିଳ୍ପ ସଂସ୍ଥାକୁ ବିୁଦ୍ୟୁତ୍, ଖଣିଜ ପଦାର୍ଥ, ଜାଳେଣି, ଆଉ ଜଳକୁ ବିନା ମୂଲ୍ୟରେ ବାଣ୍ଟି ଦେଉଛୁ । ଅଥଚ ଓଡ଼ିଶାର ବିକାଶପାଇଁ ଏ ସବୁକୁ ବିନିଯୋଗ କରିବାକୁ ଆମେମାନେ ଭୁଲିଯାଉଛୁ । ଏହାଠାରୁ ବଳି ଦୁଃଖର କଥା ହେଲା ଯେ, ଓଡ଼ିଶା ଏକ କଙ୍କଡ଼ା, ଗୋଡ଼ଟଣା ଜାତି କହି ନିଜକୁ ଭର୍ତ୍ସିିତ କରି ଆତ୍ମସନ୍ତୋଷ ପାଉଛୁ ଓ ଗରିବୀ ହେଉଛି ଓଡ଼ିଆଙ୍କ ଭାଗ୍ୟର ଫଳ କହି କର୍ମଫଳପ୍ରାପ୍ତି ରାସ୍ତାକୁ ବନ୍ଦ କରିଦେଉଛୁ ।

ତେଣୁ ଏଭଳି ସ୍ଥଳେ ଆମେ କ’ଣ ଆମ ମାଟିମା’ର ସଂପୂର୍ଣ୍ଣ ବିକାଶ ଆଶା କରିପାରିବା ନାହିଁ? ଆମେ କ’ଣ ସୁଖ, ଶାନ୍ତି, ସଦିଚ୍ଛା, ସ୍ୱାଭିମାନର ସହ ଆଉଥରେ ଠିଆ ହୋଇପାରିବା ନାହିଁ? କଥା ବଳରେ କର୍ମକୁ ଗୁରୁତ୍ୱ ଦେବାକୁ ଆମ ଓଡ଼ିଶାମାଟିରେ କାର୍ଯ୍ୟକାରୀ କରିପାରିବା ନାହିଁ? ଆମେ କ’ଣ କେବଳ ପ୍ରକୃତିର ଆଶୀର୍ବାଦକୁ ଅଭିଶାପରେ ପରିଣତ କରି ଏହିଭଳି ହତଭାଗ୍ୟର କଳଙ୍କିତ ବୋଝ ମୁଣ୍ଡାଇ ଚାଲିଥିବା?

ଏତେ ସବୁ ପ୍ରଶ୍ନ ଭିତରେ ଆମର କେବଳ ଗୋଟିଏ ମାତ୍ର ଉତ୍ତର ହେବା ଉଚିତ୍ । ତାହା ହେଉଛି- ଆମେ ପାରିବା, ହଁ ଆମେ ନିଶ୍ଚିତ ପାରିବା ।

***