ପୃଷ୍ଠା:Jati, Jagruti o Pragati.pdf/146

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୪୭

ବ୍ୟକ୍ତିତ୍ୱ ହତ୍ୟା

“ଜଣେ ମଣିଷ ଭିତରେ ଥିବା ମହାନତାକୁ ତୁମେ ଯଦି ହତ୍ୟା କରିବାକୁ ଚାହୁଁଛ, ତେବେ ସେ ଆବଶ୍ୟକ କରୁଥିବା ଜିନିଷପତ୍ର ତାକୁ ଦେଇଚାଲ । ଖୁବ୍ ଶୀଘ୍ର ସେ ତୁମର କ୍ରୀତଦାସ ପାଲଟିଯିବ ।” ଉକ୍ତ ସଂଳାପଟି ଆଫ୍ରିକା ମହାଦେଶର ଏକ ଛୋଟିଆ ରାଷ୍ଟ୍ର ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ର ନାୟକଦ୍ୱାରା କଥିତ । ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ୱାଧୀନ ରାଷ୍ଟ୍ର ସେନେଗାଲକୁ ଆମେରିକା, ଜାପାନ, ଫ୍ରାନ୍ସ ଆଦି ବିଦେଶୀରାଷ୍ଟ୍ର ଖାଦ୍ୟ ସହାୟତା ପ୍ରଦାନ ମାଧ୍ୟମରେ ଆଧିପତ୍ୟ ବିସ୍ତାର କରି କିପରି ନିଜ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ କରାଇ ସେନେଗାଲର ସାର୍ବଭୌମତ୍ୱକୁ ଧୀରେ ଧୀରେ ନଷ୍ଟ କରିଦେଉଛନ୍ତି, ତାହା ହିଁ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ । ବିଦେଶୀ ସାହାଯ୍ୟକୁ ପ୍ରତ୍ୟାଖାନ କରି ନାୟକ ଗେଲ୍ୱାର କହିଛି- “ଆମର ମରୁଡ଼ି, ଦୁର୍ଭିକ୍ଷ, ଅସୁସ୍ଥିକୁ ବିଦେଶୀ ଅନୁଦାନ ଦୂର କରିପାରିବ ନାହିଁ । ଆମର ଯତ୍ନ ନେବାକୁ ଆମେ ଅନ୍ୟ ଏକ ସମାଜକୁ ଅନୁମତି ଦେଇପାରିବା ନାହିଁ...ଆମ ନେତାମାନେ ଭିକାରି ହୋଇଗଲେଣି... ଆମେ କ’ଣ ଆମ ପିଲାମାନଙ୍କୁ ଏହିପରି ଏକ ଆଫ୍ରିକାରେ ଛାଡ଼ି ଚାଲିଯିବା; ଯେଉଁମାନେ କେବଳ ନିଜ ପେଟ ପୋଷିବାପାଇଁ ଅନ୍ୟ ଉପରେ ନିର୍ଭର କରିବେ ?”

ଏହି ପରିପ୍ରେକ୍ଷୀରେ ଆମେ ଆମ ରାଜ୍ୟ ଓଡ଼ିଶା କଥା ଚିନ୍ତା କରିବା । ମୁଷ୍ଟିମେୟ ଧନୀକ ଶୃଗାଳଙ୍କୁ ନେଇ ବିକଶିତ ରାଷ୍ଟ୍ରଭାବେ ଠିଆହେବାକୁ ଚେଷ୍ଟା କରୁଥିବା ତଥା ଧର୍ମାନ୍ଧତା, ନିରକ୍ଷରତାରେ ପୂର୍ଣ୍ଣ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ଏକ ଛୋଟିଆ ରାଜ୍ୟ ହେଉଛି ଓଡ଼ିଶା । କେଉଁ ଅନାଦିକାଳରୁ ଏହା ଗଙ୍ଗାରୁ ଗୋାବରୀ ଏବଂ ନର୍ମଦା ଆଦି ନ‌ଦୀଦ୍ୱାରା ସୀମାବଦ୍ଧ ହୋଇଥିବାବେଳେ, ନିଜର ଅପାରଗ ବଂଶଧରଙ୍କ ଯୋଗୁଁ ପରବର୍ତ୍ତୀ କାଳରେ ପରାଧୀନ ହୋଇ ଖଣ୍ଡବିଖଣ୍ଡିତ ହେବାପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶା ଅଞ୍ଚଳ ପୁନର୍ଗଠନ ନାମରେ ଆମେ ଏକ ବୃହତ୍ ଲାଞ୍ଜ ଥାଇ ମୁହଁ