ପୃଷ୍ଠା:Jati, Jagruti o Pragati.pdf/148

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି/ ୧୪୯
ନିରୀହ ଗ୍ରାମବାସୀଟି ଆଧୁନିକ ଅର୍ଥନୀତିର କୁଟିଳ ଚକ୍ରବ୍ୟୁହରେ ପେଶିହୋଇ ଜୀବନର ମୂଲ୍ୟବାନ ସମୟତକ ଅର୍ଥ ପଛରେ ଗୋଡ଼ାଇ ନଷ୍ଟ କରୁଛି ସିନା, ଅର୍ଥକୁ ନେଇ ପୂର୍ବର ସେହି ଶାନ୍ତିମୟ ଜୀବନଯାପନକୁ ଆଉ ପାଇପାରୁନାହିଁ । ଅନ୍ୟପକ୍ଷରେ ତାଳତମାଳ ଘେରା ଶାନ୍ତ ସବୁଜିମା ଗ୍ରାମ୍ୟ ସଂସ୍କୃତି ଲୋପପାଇ କାରଖାନାଭିତ୍ତିକ ଯେଉଁ ନୂଆ ସହର ଗଢ଼ି ଉଠିଛି, ସେହି ସହର ମଧ୍ୟରେ ବିଳସିତ ଜୀବନଚର୍ଯ୍ୟାକୁ କେବଳ ବାହାରୁ ଆସିଥିବା ଧନୀକବର୍ଗ ଉପଭୋଗ କରୁଥବାବେଳେ ସେହି ଅଞ୍ଚଳର ମୂଳ ଅଧିବାସୀ ବସ୍ତିଜୀବନକୁ ଆଦରିବାର ଆଉ ଏକ ଘୃଣ୍ୟ ପଦ୍ଧତିକୁ ଆପଣେଇ ନେବାକୁ ବାଧ୍ୟ ହେଉଛ’ନ୍ତି । ପୂର୍ବର ସେହି ଅଭାବ ଅନଟନ ସହିତ ଏବେ ଅସ୍ୱାସ୍ଥ୍ୟକର ପରିବେଶ, ଦୂଷିତ ପାଣି ଓ ପବନ ଯୋଗୁଁ ନୂଆ ନୂଆ ରୋଗ ଭଳି ଆଉ ଏକ ଦୁଃଖ ସମସ୍ୟାକୁ ଗ୍ରହଣ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି । ଏଥିସହିତ ବାହାର ରାଜ୍ୟର କୁଶଳୀ ଓ ଅଣକୁଶଳୀ ବ୍ୟକ୍ତିଙ୍କ ଅବାରିତ ଆଗମନ ଯୋଗୁଁ ସେମାନଙ୍କର ସାମାଜିକ ଚଳଣୀ ଓ ଭାଷା ସଂସ୍କୃତିର ଆଗମନ‌ଦ୍ୱାରା ଏହି ଅଞ୍ଚଳରେ ପୂର୍ବରୁ ପ୍ରଚଳିତ ପରମ୍ପରା, ସଂସ୍କୃତି ଓ ଭାଷା ଲୋପପାଇ ଏଠାରେ ଏକ ମିଶ୍ର ସଂସ୍କୃତିର ଆବିର୍ଭାବ ଘଟି ସାମାଜିକ ସଂକଟ ସୃଷ୍ଟି କରୁଛି ।

ଦୃଷ୍ଟାନ୍ତ ରୂପେ ବର୍ତ୍ତମାନ ଓଡ଼ିଶାରେ ମହାସମାରୋହରେ ପାଳିତ ହେଉଥିବା ତିନିଟି ଉତ୍ସବ-କାଉଡ଼ିଙ୍କଦ୍ୱାରା ଜଳାଭିଷେକ, ଧନ୍‌ତରାସ ଓ ଛଟ୍‌ପୂଜାକୁ ନିଆଯାଇପାରେ । ପ୍ରଥମ ଦୁଇଟି ଉତ୍ସବ ଓଡ଼ିଶାର ବ୍ୟବସାୟକୁ ଏକଚାଟିଆ ଭାବରେ କବଳିତ କରିଥିବା ମାରୱାଡିମାନଙ୍କ ବାଣିଜ୍ୟିକ ମଗଜରୁ ବାହାରି ଧର୍ମ ଓ ଧନବୃଦ୍ଧି ନାମରେ ସରଳ, ନିରୀହ ଧର୍ମଭୀରୁ ଓଡ଼ିଆଙ୍କୁ ବୋକା ବନାଇ ନିଜର ଧନବୃଦ୍ଧି କରିବାରେ ଉଦ୍ଦିଷ୍ଟ ଥିବାବେଳେ; ଛଟ୍‌ପୂଜା ହେଉଛି ବିହାରୀ ସାମାଜିକ ପରମ୍ପରାର ଏକ ଅଂଶବିଶେଷ । ରାଉରକେଲାର ଲୌହ ଇସ୍ପାତ୍ କାରଖାନା ଗଠିତ ହେବାପରେ ଓଡ଼ିଶା ମାଟିକୁ ସଂଖ୍ୟାଧିକ ବିହାରୀଙ୍କ ଆଗମନ ଓ ଏହି ଭୂଖଣ୍ଡକୁ କବଳିତ କରିବାପରେ ଏହି ଉତ୍ସବ ବ୍ୟାପକ ରୂପେ ରାଉରକେଲା ସହର ମଧ୍ୟରେ ବିଗତ କିଛିବର୍ଷ ଧରି ସୀମାବଦ୍ଧ ହୋଇ ରହିଥିଲା । ମାତ୍ର ଏବେ ବିହାରର ଅପରାଧୀ, ବିହାରୀ ଶ୍ରମିକ ଓ ରେଳବାଇଦ୍ୱାରା ବିହାରୀଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ ଫଳରେ କଟକ-ଭୁବନେଶ୍ୱର ଭଳି ଓଡ଼ିଶାର କେନ୍ଦ୍ରସ୍ଥଳରେ ଏମାନଙ୍କର ଆଶାତୀତ ସଂଖ୍ୟାବୃଦ୍ଧି ଯୋଗୁଁ ଏ ବର୍ଷ ମହାନ‌ଦୀ, କାଠଯୋଡ଼ି, କୂଆଖାଇ ନ‌ଦୀକୂଳରେ ଛଟ୍‌ପୂଜାପାଇଁ ଯେଉଁ ବିପୁଳ ଜନସମାଗମ ହୋଇଥିଲା, ତାହା ଆମର କାର୍ତ୍ତକ ମାସର ଡଙ୍ଗାଭସା ଉତ୍ସବକୁ ମଧ୍ୟ ମଳିନ କରିଦେଇଛି ।

ଅନ୍ୟପକ୍ଷରେ ଓଡ଼ିଶା କୃଷି ସଭ୍ୟତାର ପାରମ୍ପରିକ ଓଷା ବା ପର୍ବପର୍ବାଣୀ ଯଥାପଣାସଂକ୍ରାନ୍ତି, ରଜ, ଅକ୍ଷୟତୃତୀୟା, ପ୍ରଥମାଷ୍ଟମୀ, ଦୂତୀଆ ଓଷା, କାର୍ତ୍ତିକ ପୂଣ୍ଣିମାର ଡଙ୍ଗାଭସା