ପୃଷ୍ଠା:Jati, Jagruti o Pragati.pdf/150

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୫୧
ମେଣ୍ଟାଇବାପାଇଁ ପିତାମାତାଙ୍କ ନିକଟରେ ହାତ ପତାଇବା ଅପେକ୍ଷା, ନିଜର ପୁରୁଷବନ୍ଧୁ କିମ୍ବା ଦେହ ବ୍ୟବସାୟ ଦଲାଲଙ୍କ ସହଯୋଗ ନେବାକୁ ଶ୍ରେୟ ମଣୁଛନ୍ତି । ପୁଣି ଅନ୍ୟ ପକ୍ଷରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଅନେକ ପରିବାରର ଏହି କିଶୋରୀଗଣ କିଛି କାମଧନ୍ଦାରେ ନିଜକୁ ନିୟୋଜିତ କରିବାକୁ ଯାଇ ମଧ୍ୟ ପୁରୁଷ କାମନାର ଶିକାର ହେଉଛନ୍ତି । ବିଶେଷକରି ଆମ ରାଜ୍ୟର ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାରୁ ଦିଲ୍ଲୀ, କଲିକତା, ମୁମ୍ବାଇ, ବାଙ୍ଗାଲୁର ଆଦି ସହରରେ ଘରୋଇ କାମରେ ନିୟୋଜିତ ହେଉଥିବା କିଶୋରୀଗଣ ହେଉଛନ୍ତି ଏହି ଶ୍ରେଣୀର । ତେବେ ଆମ ଓଡ଼ିଶାର ଯେକୌଣସି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷିତା କିଶୋରୀଗଣ ଆଜି ଏହି ପରମ୍ପରାରେ ନିଜ ଅଲକ୍ଷ୍ୟରେ ସାମିଲ ହୋଇଯାଉଛନ୍ତି ।

ଠିକ୍ ସେହିଭଳି ଆଉ ଏକ କୁପରମ୍ପରା ଓଡ଼ିଆ ଜନଜୀବନରେ ଦେଖାଦେଇଛି ଆଜିକୁ ୧୪୦ ବର୍ଷ ପୂର୍ବେ ଓଡ଼ିଶାରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷ ବେଳେ ଘରେ ଖାଇବାକୁ ନ ଥିଲେ ମଧ୍ୟ ନିଜ ସ୍ୱାଭିମାନକୁ ଜଗି କାହା ପାଖରେ ହାତ ପତାଇବା ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ଭାବୁଥିବା ଏହି ଓଡ଼ିଆଜାତିର ବଂଶଧର; ଆଜି କୌଣସି କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ଅନ୍ୟ ନିକଟରେ ହାତ ପତାଇବାକୁ ଏକ କର୍ତ୍ତର୍ବ୍ୟ ବା ସାମ୍ବିଧାନିକ ଅଧିକାର ବୋଲି ଭାବିନେଇଛି । ଅର୍ଥ, ପ୍ରତପତ୍ତିର ଉତ୍ତୁଙ୍ଗ ଶିଖର ଉପରେ ବସିଥିବା ପ୍ରଶାସକଙ୍କଠାରୁ ଆରମ୍ଭ କରି ସାଧାରଣ ପିଅନ ପର୍ଯ୍ୟନ୍ତ ସମସ୍ତେ ଆଜି ଜନସାଧାରଣଙ୍କ ନିକଟରେ ହାତ ପାତି କିଛି ମାଗିବାକୁ ଏକ ବୃତ୍ତି ବୋଲି ଗ୍ରହଣ କରିନେଲେଣି । ଏହି ମାଗିବାପଣିଆଟା ଭିକାରିମାନଙ୍କର ଆଉ ଏକଚାଟିଆ ଅଧିକାର ହୋଇ ରହିନାହିଁ । ବର୍ତ୍ତମାନ ଆମେ ଯେ କୌଣସି କାର୍ଯ୍ୟାଳୟକୁ ଗୋଟିଏ ସାଧାରଣ କାମପାଇଁ ଗଲେ, ପିଅନଠାରୁ ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ନିଜ ନିଜର ପଦବୀ ଅନୁସାରେ ଅର୍ଥଦାବୀ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । ସତେ ଯେପରି ବିନା ଅର୍ଥରେ ସରକାରୀ କାର୍ଯ୍ୟାଳୟର କର୍ମଚାରୀଗଣ କିଛି କରିବାକୁ ନାରାଜ, ଯଦିଓ ସେମାନେ ସାଧାରଣ ଜନତାଙ୍କ ଏହି କାର୍ଯ୍ୟପାଇଁ ସେହି ଜନସାଧାରଣଙ୍କ ଟିକସରୁ ସରକାରଙ୍କ ମାଧ୍ୟମରେ ପ୍ରଚୁର ଅର୍ଥ ପାଇଥା’ନ୍ତି । ହାତପାତି ମାଗିବାଭଳି କାର୍ଯ୍ୟଦ୍ୱାରା ଏହି କର୍ମଚାରୀଗଣ ଯେଉଁ ଅପସଂସ୍କୃତଟିଏ ତିଆରି କରୁଛନ୍ତି, ତଦ୍ୱାରା ସମାଜର ଏବଂ ସେମାନଙ୍କର କି ମଙ୍ଗଳ ହେଉଛି । ଏମାନେ ଏତିକି ବୁଝନ୍ତି ନାହିଁ ଯେ, ଅବସର ପରେ ଜଣେ ସାଧାରଣ ବ୍ୟକ୍ତି ଭାବରେ ଯେତେବେଳେ କୌଣସି କାର୍ଯ୍ୟପାଇଁ ଏହି ସରକାରୀ କାର୍ଯ୍ୟାଳୟକୁ ଯିବେ, ସେତେବେଳେ ଦାୟିତ୍ୱରେ ଥିବା ବ୍ୟକ୍ତିଗଣ ଏହାଙ୍କୁ କି ପ୍ରକାର ସାହାଯ୍ୟ କରିବେ? ଅଳ୍ପରେ ସନ୍ତୁଷ୍ଟ ଆମ ଓଡିଆ ଜାତି ଆଜି ନିଜର ସାମାନ୍ୟ ଅଭାବ ପୂରଣପାଇଁ ଅନ୍ୟ ନିକଟରେ ହାତ ପତାଇବାକୁ କିମ୍ବା