ପୃଷ୍ଠା:Jati, Jagruti o Pragati.pdf/22

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୨୩

ଆବେଗକୁ ଅନୁଭବ କରିପାରୁ ନ ଥିବା ଆମ ଶାସକବର୍ଗଙ୍କଠାରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶା କରିବା ସ୍ୱାଭିମାନୀ ଓଡ଼ିଆ ପକ୍ଷେ ବୃଥା ମାତ୍ର । ତଥାପି ଏଭଳି ଘଟଣାକୁ ସ୍ୱାର୍ଥପର ଅଳସୁଆଙ୍କ ପରି କିଛିକାଳ ପାଟିତୁଣ୍ଡ କଲେ କ୍ଷତି ନାହିଁ । ଏଠାରେ ପ୍ରଶ୍ନ ଉଠେ- କାହିଁକି ଆମ ପଡୋଶୀମାନେ ଆମ ସୀମା ସଂକୁଚିତ କରିବାରେ ବ୍ୟଗ୍ର । ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ତିନୋଟି ରାଜ୍ୟ ଓଡ଼ିଶାଠାରୁ ବୟସରେ ବହୁ କନିଷ୍ଠ । ଯଦିଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଓଡ଼ିଶା ପ୍ରତି ହୋଇଥିବା ଚରମ ଅବହେଳାକୁ ସମଗ୍ର ଭାରତବାସୀ ଅନୁଭବ କରିଛନ୍ତି, ତଥାପି ତତ୍କାଳୀନ ମାଡ୍ରାସ, ବିହାର, ବଙ୍ଗଳା ତଥା ମଧ୍ୟପ୍ରଦେଶ ଅଞ୍ଚଳର ବଳିଷ୍ଠ ନେତୃବୃନ୍ଦଙ୍କ ଚାପରେ ଓଡ଼ଶାବାସୀଙ୍କ ଭାବପ୍ରବଣତାକୁ ଜାତୀୟସ୍ତରର ନେତାମାନେ ଉପେକ୍ଷା କରିଥିଲେ । ଫଳରେ ସଢ଼େଇକଳା, ଖରସୁଆଁ ଭଳି ଖାଣ୍ଟି ଓଡ଼ିଆ ଦେଶୀୟ ରାଜ୍ୟ ଓଡ଼ିଶାରେ ମିଶିଥିବାବେଳେ, ଗମନାଗମନ ଅସୁବିଧାର ଆଳଦେଖାଇ ପୁଣି ଛଡାଇ ନେଇ ବିହାରରେ ମିଶାଇ ଦିଆଗଲା । ଏପରିକି ମୟୂରଭଞ୍ଜ ଓଡ଼ିଶାରେ ମିଶିବା ପରେ ମଧ୍ୟ ଏହାର ଦୁଇଟି ବିସ୍ତୀର୍ଣ୍ଣ ଅଞ୍ଚଳ ଆଉ ଓଡ଼ିଶାକୁ ଫେରି ଆସି ନ ଥିଲା । ଏବେ ସେଠିକାର ଶିଶୁ ମାତୃଭାଷା ଭାବରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ପଢ଼ିବାକୁ ବାଧ୍ୟ । ଏଠାରେ ସଂଖ୍ୟାନ୍ୟୁନ ବଙ୍ଗାଳୀ ନିଜର ପାରିବାପଣିଆ ଦେଖାଇ ଦ୍ୱିତୀୟ ଭାଷା ହେବାର ଗୌରବ ଲାଭ କରିଥିବା ବେଳେ, ସଂଖ୍ୟାଧିକ ଓଡ଼ିଆଙ୍କ ସ୍ୱାର୍ଥକୁ ଉପେକ୍ଷା କରିଛନ୍ତି- ଝାଡ଼ଖଣ୍ଡର ତତ୍କାଳୀନ ଓଡ଼ିଆ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ଆଉ ଆମ ସରକାର ଓଡ଼ିଆ ଭାଷାର ସୀମାକୁ ଓଡ଼ିଶାର ପ୍ରତିଟି କୋଣଅନୁକୋଣରେ ପହଞ୍ଚାଇବାର ଚେଷ୍ଟା ନ କରି ମୁଷ୍ଟିମେୟ ଆଦିବାସୀ ଭାଷା ବିକାଶ ପ୍ରତି ଧ୍ୟାନ ଦେଇ ଓଡ଼ିଶା ସୀମା ଭିତରେ ଭାଷାଭିତ୍ତିକ ପ୍ରାଚୀର ସୃଷ୍ଟି ଉଦ୍ଦେଶ୍ୟରେ ଭିତ୍ତି ସ୍ଥାପନ କରୁଛନ୍ତି । ଶାସନର ସର୍ବୋଚ୍ଚ ସୀମାରେ ଯେତେବେଳେ ଅଣଓଡ଼ିଆ ଅଧିକାରୀଗଣ ଭର୍ତ୍ତି ହୋଇଗଲେଣି, ସେପରି ସ୍ଥଳେ ତାଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ !

ଆଜି ଓଡ଼ିଶାର ସୀମା କ୍ରମଶଃ ସଂକୁଚିତ ହୋଇଆସୁଛି । ତତ୍‌ସହିତ ସଂକୁଚିତ ହୋଇଆସୁଛି ଏହାର ଭାଷା ଓ ସାହିତ୍ୟ । ମୋଗଲ ବନ୍ଦୀ କୁହାଯାଉଥିବା କେନ୍ଦ୍ରାଞ୍ଚଳରେ ଦେଶୀ ବିଦେଶୀ ଭାଷାର କଥିତ ଓ ଲିଖିତ ସମ୍ଭାର ମଧ୍ୟରେ ଓଡ଼ିଆ ଭାଷା ଚାପି ହୋଇ ଅଣନିଃଶ୍ୱାସୀ ହୋଇଗଲାଣି । ସୀମାନ୍ତ ଅଞ୍ଚଳର ୨୨ ଭାଗ ଆଦିବାସୀ ଯଦିଓ ପାରମ୍ପରିକ ଭାବରେ ନିଜକୁ ଓଡ଼ିଆ ବୋଲି କୁହନ୍ତି, ମାତ୍ର ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରି ନ ଥିବାରୁ ନିଜର ଭାଷା ଓ ପରମ୍ପରା ସହିତ ଓଡ଼ିଆ ଭାଷା ଓ ପରମ୍ପରାକୁ ସାମିଲ କରି ଓଡ଼ିଶା ଏକତ୍ରୀକରଣ ଯଜ୍ଞରେ ପୂର୍ଣ୍ଣାହୂତି ଦେବାକୁ ପଛେଇ ଯାଉଛନ୍ତି । ସେମାନଙ୍କ