ପୃଷ୍ଠା:Jati, Jagruti o Pragati.pdf/44

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୪୫
ଜାତୀୟତା ଓ ସ୍ୱାଭିମାନ ହେଉଛି ଓଡ଼ିଆଙ୍କର ପ୍ରାଣ । ସେଥିପାଇଁ ପରାକ୍ରମୀ ଇଂରେଜୀ ଜାତିକୁ ପରାଭୂତ କରି, ନିଜପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ପ୍ରସ୍ତୁତ କରିପାରିଛନ୍ତି । କିନ୍ତୁ ଏହାର ସତ୍ୟତା ପ୍ରତି ଆଜିର ପିଢ଼ି ନିଶ୍ଚିତ ସନ୍ଦିହାନ ହେବ । କାରଣ ଗୋଟିଏ ଲଢ଼ୁଆ ଜାତି ଯିଏ ଭାଷାଭିତ୍ତିରେ ଗୋଟିଏ ରାଜ୍ୟ ଗଠନ କରିପାରିଲା, ତେବେ ସେ ଜାତିର ମାତୃଭାଷା କାହିଁକି ରାଜ୍ୟ-ଭାଷାର ମାନ୍ୟତା ଏପର୍ଯ୍ୟନ୍ତ ପାଇପାରୁ ନାହିଁ ! କାହିଁକି କୋଟି କୋଟି ଟଙ୍କାର ଓଡ଼ିଆ ଟାଇପ୍ ମେସିନ୍ ଖତ ଖାଇଗଲା? କମ୍ପ୍ୟୁଟର ଭାଷା କାହିଁକି ଓଡ଼ିଆ ହୋଇନାହିଁ ? କାହିଁକି ମେଧାବୀ ପ୍ରାର୍ଥୀଟିଏ ରାଜ୍ୟସ୍ତରୀୟ ପ୍ରଶାସନିକ, ଆଇନ୍ ଓ ପୁଲିସ ସେବା ପରୀକ୍ଷା ନିଜ ମାତୃଭାଷାରେ ଦେଇପାରିବ ନାହିଁ ? ଓଡ଼ିଆ ମାଧ୍ୟମରେ I.A.S ପରୀକ୍ଷା ଦେଲେ ଓଡ଼ିଆ ଛାତ୍ରଟିଏ କାହିଁକି ନିରୀକ୍ଷକଙ୍କ ହୀନ ଦୃଷ୍ଟିର ଶିକାର ହେବ ? ଏହି ଅସଂଖ୍ୟ କାହିଁକିର ଶେଷ ଉତ୍ତର ହେଉଛି ଆମ ନେତୃତ୍ୱ ଅପାରଗ ନୁହେଁ, ବରଂ ଆମେ ହେଉଛୁ ଅପାରଗ ।

ନଅଙ୍କ ଦୁର୍ଭିକ୍ଷରେ ଆମ ପିତୃତ୍ୱର ପରିଚୟ ହଜିଯାଇଛି । ହଜିଯାଇଛି ଆମର ସ୍ୱାଭିମାନ । ପ୍ରତିବଦଳରେ ଗୋଡ଼ାଣିଆ ମନୋବୃତ୍ତି ଆମ ଭିତରେ ପଶିଯାଇଥିବାରୁ ଆମେ ଯଦି ଏଠାରେ ଓଡ଼ିଆତ୍ୱକୁ ଖୋଜିବା ତେବେ ମଧୁସୂଦନଙ୍କ ପରି ନିରାଶ ହିଁ ହେବା । ମଧୁସୂଦନ ସିନା ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣପାଇଁ ରାଜନୀତି କରୁଥିଲେ । ମାତ୍ର ବର୍ତ୍ତମାନର ଓଡ଼ିଆଏ ରାଜନୀତି କରୁଛନ୍ତି ଓଡ଼ିଶାକୁ ବିଖଣ୍ଡିତ କରିବାପାଇଁ । ଉପାନ୍ତ ଅଞ୍ଚଳର ମାତୃଭାଷା ସୁଦୃଢ଼ପାଇଁ ସରକାର ଚେଷ୍ଟା ନ କରି ଏବେ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ଯାହା ପରବର୍ତ୍ତୀ କାଳରେ ଏହି ଛୋଟିଆ ପ୍ରଚେଷ୍ଟା ବିଶାଳ ଅବୟବ ଧରି ଓଡ଼ଶା ବିଖଣ୍ଡିତ ହେବାପାଇଁ ବାଟ ଫିଟେଇବ । ଯେମିତି ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଘଟୁଛି । ଏଭଳି ଉଦ୍ଭଟ ବା ପାଗଳାମୀ ଚିନ୍ତାଧାରା ଅନ୍ୟ ଆଦିବାସୀ ବହୁଳ ରାଜ୍ୟମାନଙ୍କରେ ମଧ୍ୟ ଦେଖିବାକୁ ମିଳେନାହିଁ । ସେହିଭଳି ଗତବର୍ଷ ମାତୃଭାଷାକୁ ନେଇ ସରକାରଙ୍କ ହେୟ ମନୋଭାବ ଗଣମାଧ୍ୟମଗୁଡ଼ିକଦ୍ୱାରା ମୁଖରିତ ହେବା ପରେ, ତ‌ତ୍ପର ହୋଇ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରି, ଦୁର୍ବଳ ଅପାରଗ ବ୍ୟକ୍ତିତ୍ୱ ହାତରେ ନାଲିବତୀ ଗାଡ଼ି ଚାବି ଧରେଇ ଦେଇ, ଅସଲ ଚାବିତକ ଅମଲା ବା ସଚିବ ହାତରେ ରଖୁଥିବାରୁ ଏହାର କାର୍ଯ୍ୟଦକ୍ଷତା ଏ ପର୍ଯ୍ୟନ୍ତ ଜନସାଧାରଣ ଜାଣି ପାରିଲେ ନାହିଁ । ଏବର୍ଷ ମଧ୍ୟ ଭାଷାପ୍ରୀତିର ପ୍ରମାଣ ଦେବାପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଦଳ ଝାଡ଼ଖଣ୍ଡ ଯାଇଛନ୍ତି ସେଠିକାର ଓଡ଼ିଆ ମୁହଁରେ ମାତୃଭାଷା ଫେରାଇ ଆଣିବାକୁ । ଏଣେ ଯେ ଇସ୍ପାତ୍‌ ନଗରୀ ରାଉରକେଲାର ଭାଷା ହିନ୍ଦୀ ହୋଇସାରିଲାଣି, ତାହା ତାଙ୍କୁ ଜଣାନାହିଁ । ନିଜ ମାଟିରେ ଭାଷା ମରି-ମରି ଯାଉଥିବା ବେଳେ ଏହାର ସୁରକ୍ଷାପାଇଁ ସରକାର କିମ୍ବା ବୁଦ୍ଧିଜୀବୀ କେହି ମଧ୍ୟ ଚିନ୍ତିତ ନୁହନ୍ତି କିମ୍ବା ଏଥିପାଇଁ ପ୍ରଶାସନ ନ୍ୟାୟ ଓ ଶିକ୍ଷାନୁଷ୍ଠାନର ଭୂମିକା ସଂପର୍କରେ ସଚେତନ ହେଉନାହାନ୍ତି । ସାଧାରଣ ଓଡ଼ିଆ ତ ସେହି ଓଲୁ ହୋଇ ରହିଛନ୍ତି । ଅସାଧାରଣ ପଣ୍ଡିତ