ପୃଷ୍ଠା:Jati, Jagruti o Pragati.pdf/48

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୪୯
ସଂସ୍କୃତ ଭାଷାକୁ ତୃତୀୟ ଭାଷା ଭାବରେ ଗ୍ରହଣ କଲେ । କେବଳ ବୋଲାଲ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ହରିଆଣାର ୩ୟ ଭାଷା ରୂପରେ ତେଲୁଗୁକୁ ଗ୍ରହଣ କରିଥିଲେ ।

ଏଠାରେ ପ୍ରଶ୍ନ ଉଠେ, ଭାରତର ମୂଳ ଭାଷା କିଏ ? ସଂସ୍କୃତ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହଁ । କାରଣ ଏହା ପୂର୍ବରୁ ସିନ୍ଧୁ ସଭ୍ୟତାରେ ଏକ ଉତ୍କୃଷ୍ଟ, ପରିଷ୍କୃତ ଓ ବଳିଷ୍ଠ ଭାଷା ପ୍ରଚଳିତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନ‌ଦ୍ୱାରା ପ୍ରମାଣ ମିଳିସାରିଛି । ବୈିଦିକ ସାହିତ୍ୟର ଭାଷା ଯଦିଓ ସଂସ୍କୃତ, ମାତ୍ର ଏହାର ଲିପି ଏପର୍ଯ୍ୟନ୍ତ ଅନାବିଷ୍କୃତ । ଏହାପରେ ଆମେ ଯେଉଁ ବ୍ରାହ୍ମିଲିପିକୁ ଦେଖୁ, ତାହା ମଧ୍ୟ କେଉଁ ଭାଷାର ଏହା ଏପର୍ଯ୍ୟନ୍ତ ବିବାଦାସ୍ପଦ । ବର୍ତ୍ତମାନ ଆମେ ଯେଉଁ ସଂସ୍କୃତ ବ୍ୟବହାର କରୁଛୁ ତା’ର ଭୂୟୋବିକାଶ ଗୁପ୍ତ କାଳରେ ଘଟିଥିବାର ଭାଷାବିତ୍‌ମାନେ ମତବ୍ୟକ୍ତ କରୁଥିବାବେଳେ ବ୍ରାହ୍ମିଲିପି କିନ୍ତୁ ଭାରତବର୍ଷରୁ ଏପରି ଦୁରେଇ ଗଲା ଯେ, ଏକ ହଜାର ବର୍ଷ ପରେ ଆମେ ତାକୁ ଆଉ ଚିହ୍ନିପାରିଲୁ ନାହିଁ । ଏହାପରେ ଭାଷା ବିବର୍ତ୍ତନ ଫଳରେ ଅନେକ ଆଞ୍ଚଳିକ ଭାଷା ସୃଷ୍ଟି ହୋଇ ସମୃଦ୍ଧ ହେବା ବେଳକୁ ମୁସଲମାନ ଶାସକଦ୍ୱାରା ଆରବୀ, ପାର୍ଶୀକୁ ସର୍ବ ଭାରତୀୟ ଭାଷା ଭାବରେ ଲଦି ଦେବାର ଯେଉଁ ପ୍ରକ୍ରିୟା ଆରମ୍ଭ ହେଲା, ତାହା ଠିକ୍ ସଂସ୍କୃତଭାଷା ପରି ଆଭିଜାତ ବର୍ଗଙ୍କ ଭାଷା ହେବା ସହ ହିନ୍ଦୀ ଭଳି ନୂତନ ଆଞ୍ଚଳିକ ଭାଷାକୁ ଜନ୍ମ ଦେଲା ସିନା, ଭାରତବାସୀଙ୍କ ହୃଦୟର ଭାଷା ହୋଇପାରିଲା ନାହିଁ । ତେଣୁ ଭାରତ ଇତିହାସକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ଗୋଟିଏ ଭାଷା କେବେ ମଧ୍ୟ ସମଗ୍ର ରୂପରେ ଭାରତୀୟଙ୍କ ମୁଖର ଭାଷା ହୋଇପାରିି ନାହିଁ । “ଏକ ରାଷ୍ଟ୍ର-ଏକ ଭାଷା” ଅର୍ଥାତ୍ ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ଯୋଡ଼ିବାପାଇଁ ଗୋଟିଏ ଭାଷାର ପ୍ରଚଳନ ଭଳି ବିକୃତ ଚିନ୍ତାଧାରା ୟୁରୋପୀୟ ଇତିହାସରୁ ଧାର ସୂତ୍ରରେ ଅଣାଯାଇ ଅଯଥାରେ ବାସ୍ତବ ରୂପ ଦେବାର ପ୍ରୟାସ କରାଯାଉଛି ।

ତେବେ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇବା ପରେ ଉତ୍‌ଫୁଲ୍ଲିତ ହିନ୍ଦୀ ଭାଷୀ ଜନତା ଇଂରେଜୀ ଭାଷାକୁ ବ୍ୟାପକ ଅବହେଳା କରିବାଦ୍ୱାରା ଭାରତରେ ଏହି ବୃହତ ଗୋଷ୍ଠୀ ଆଧୁନିକ ଶ୍ରମବଜାରଠାରୁ ଦୂରେଇ ରହିଛି । କେନ୍ଦ୍ରଠାରୁ ଏହି ଭାଷାଭାଷୀ ଅଞ୍ଚଳ ସର୍ବାଧିକ ଅନୁଦାନ ବିଭିନ୍ନ ଉପାୟରେ ହାସଲ କରୁଥିଲେ ମଧ୍ୟ, ଏହି ଅଞ୍ଚଳ ଅନଗ୍ରସର ହେବାର କାରଣ ହେଲା-ଏ ପର୍ଯ୍ୟନ୍ତ ପ୍ରତିଷ୍ଠାର ପ୍ରତୀକ ଥିବା ତଥା ବିଭିନ୍ନ ନିଯୁକ୍ତିର ମାଧ୍ୟମ ଭାବେ ଇଂରେଜ ଭାଷା ଥିବାରୁ ଇଂରେଜୀ ଭାଷାରେ ଦୁର୍ବଳ ହିନ୍ଦୀ ଭାଷୀ ବିଦ୍ୟାର୍ଥୀ ନିଯୁକ୍ତିର ଏହି ସଫଳତାଠାରୁ ବହୁ ଦୁରରେ ଅଛନ୍ତି । ଏପରିକି ସର୍ବଭାରତୀୟ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମଠାରୁ ଉଚ୍ଚ I.A.S. ଓ S.S.C. ପରୀକ୍ଷାରେ ହିନ୍ଦୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସଫଳତା ହାର ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମରୁ ଉଚ୍ଚ ଥିଲେ ମଧ୍ୟ,