ପୃଷ୍ଠା:Jati, Jagruti o Pragati.pdf/51

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୨ / ଜାତି, ଜାଗୃତି ଓ ପ୍ରଗତି


ଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ସରଳ ଉପାୟ

ଆଇ.ଏ.ଏସ୍ ଅର୍ଥ ଭାରତୀୟ ପ୍ରଶାସନିକ ସେବା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତି ଭାରତର ଶାସନ ବ୍ୟବସ୍ଥାକୁ ପରିଚାଳନା କରିଥାନ୍ତି । ଲୋକ ପ୍ରତିନିଧିଗଣଙ୍କ ପରାମର୍ଶରେ ଏମାନେ ଶାସନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥାନ୍ତି । ତେଣୁ ଏହା ହୋଇଯାଇଛି ଆମ ସମାଜର ସବୁଠାରୁ ଲୋକପ୍ରିୟ ଓ ଲୋଭନୀୟ ବୃତ୍ତି । ଏହି ବୃତ୍ତିରେ ୨୦୦୯ ମସିହାପାଇଁ ନିଯୁକ୍ତି ଉଦ୍ଦେଶ୍ୟରେ ଗତ ସପ୍ତାହରେ ଭାରତୀୟ ଲୋକସେବା (ଆଇସିଏସ୍) ଅନ୍ତର୍ଭୁକ୍ତ ଭାରତର ପ୍ରଶାସନ ସମ୍ବନ୍ଧିତ ୨୦ଟି ବିଭାଗର ପ୍ରାର୍ଥୀ ଚୟନ ଉଦ୍ଦେଶ୍ୟରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଜ୍ଞାପନ ପ୍ରକାଶ କରିଛି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଏହି ପରୀକ୍ଷାରେ ଦୀର୍ଘ କିଛିବର୍ଷ ଧରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କେବଳ ଆଗାମୀ ପିଢ଼ିର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରୁତ୍ସାହିତ କରୁନାହିଁ, ବରଂ ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଅଣଓଡ଼ିଆ ଅଧିକାରୀଙ୍କୁ ପ୍ରବେଶ କରାଇ ଆମ ପ୍ରଶାସନତନ୍ତ୍ରକୁ ସମ୍ପୂର୍ଣ୍ଣ ଭାବରେ ସାଧାରଣ ଲୋକଙ୍କ ପାଖରୁ ଦୂରେଇ ଦେବା ସହ, କେତେକ କ୍ଷେତ୍ରରେ ଏହି ବାହାର ଅଫିସରମାନେ ଓଡ଼ିଶା ବାହାର ରାଜ୍ୟର ସ୍ୱାର୍ଥପାଇଁ କାମ କରୁଛନ୍ତି । ଫଳରେ ଆମର ସବୁକିଛି ଥାଇ ସୁଦ୍ଧା ଏକ ଅନଗ୍ରସର ଓ ପଛୁଆ ରାଜ୍ୟ ଭାବେ ଆମେ ଚିହ୍ନିତ ହେଉଛୁ । ତେଣୁ ଓଡ଼ିଶାର ବିକାଶପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ସଂଖ୍ୟାଧିକ ଓଡ଼ିଆ ପ୍ରତିଯୋଗୀ ସଫଳ ହେବା ନିତାନ୍ତ ଆବଶ୍ୟକ । ଯଦିଓ ଏକଥା ବହୁ ବୁଦ୍ଧିଜୀବୀ ଜାଣିଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି, ମାତ୍ର ତାହା କିପରି ସଫଳ ହେବ ସେ ସଂପର୍କରେ ସଠିକ୍ ଦିଗଦର୍ଶନ ଆଗାମୀ ପିଢ଼ିକୁ ଦେଇପାରୁନାହାନ୍ତି । ତେଣୁ ବହୁ ମେଧାବୀ କୋଚିଂ ନେବା ନାଆଁରେ ଦିଲ୍ଲୀର ବିଭିନ୍ନ ଠକ ସଂସ୍ଥା ହାବୁଡ଼ରେ ପଡି ଅର୍ଥ, ଶ୍ରମ ଓ ସମୟ ନଷ୍ଟ କରି ନିଜର, ନିଜ ପରିବାରର ତଥା ରାଜ୍ୟର ଶକ୍ତିକୁ କ୍ଷୟ କରୁଛନ୍ତି ।