ପୃଷ୍ଠା:Jati, Jagruti o Pragati.pdf/53

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୪ / ଜାତି, ଜାଗୃତି ଓ ପ୍ରଗତି
ସାକ୍ଷାତ୍‌କାର : ଏହା ହେଉଛି ପ୍ରାର୍ଥୀର ବ୍ୟକ୍ତିତ୍ୱ ନିର୍ଦ୍ଧାରଣର ଶେଷ ପର୍ଯ୍ୟାୟ । ମୁଖ୍ୟ ପରୀକ୍ଷାରେ ପ୍ରାର୍ଥୀ ଯେଉଁ ଭାଷାରେ ଉତ୍ତର ଲେଖିଥିବ, ସେହି ଭାଷାରେ ପ୍ରାର୍ଥୀଙ୍କୁ ବୋର୍ଡ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ଏହା ଯଦିଓ ପ୍ରାର୍ଥୀର ବ୍ୟକ୍ତିତ୍ୱ ପ୍ରଦର୍ଶନପାଇଁ ସିଧାସଳଖ ମାଧ୍ୟମ, ତେବେ ଏଥିରେ କୌଣସି ସର୍ବନିମ୍ନ ମାର୍କ ରଖିବା ନିର୍ଦ୍ଧାରିତ ହୋଇ ନ ଥାଏ । ତେବେ ପ୍ରାର୍ଥୀ ଏଥିରେ ବିଫଳ ହେଲେ ବି ସର୍ବନିମ୍ନ ୭୦-୮୦ ମାର୍କ ମିଳିଥାଏ । ଯଦି ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ଅଧିକ ମାର୍କ ରଖିଥାଏ, ତେବେ ସେ ନିଶ୍ଚିତ ଭାବରେ ଅନ୍ତିମ ପର୍ଯ୍ୟାୟରେ ସଫଳ ବୋଲି ୟୁ.ପି.ଏସ.ସି. ଦ୍ୱାରା ଘୋଷିତ ହେବେ । ତେଣୁ ଓଡ଼ିଆ ମାଧ୍ୟମରେ ଯେଉଁ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେଉଛନ୍ତି ସେମାନେ ସାକ୍ଷାତକାରପାଇଁ ଭୟଭୀତ ନ ହେବା ଉଚିତ୍ । ବରଂ ମୁଖ୍ୟ ପରୀକ୍ଷାରେ କିପରି ଅଧିକ ମାର୍କ ରଖିବେ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।

ଓଡ଼ିଶା ପ୍ରାର୍ଥୀ ଦୁର୍ବଳ କାହିଁକି: ୟୁ.ପି.ଏସ.ସି. ସୂଚନାରୁ ଜଣାଯାଏ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ପ୍ରାର୍ଥୀ ସଂଖ୍ୟା ସର୍ବାଧିକ । ପ୍ରାୟ ୩୦ରୁ ୩୫ହଜାର । ମାତ୍ର ସଫଳତା ସବୁଠାରୁ କମ୍, ପ୍ରାୟ ୨ରୁ ୨୦ ମଧ୍ୟରେ । ଏହି ବିଫଳତା ସଂପର୍କରେ ଗତ ମଇ ୨୦୦୭ର ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିମ୍ନଲିଖିତ କାରଣକୁ ନିଆଯାଇପାରେ ।

(କ) “ସବୁ ଜାଣିଛି”-ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଯଦିଓ ସ୍ଥାଣୁ, ମାତ୍ର ଆମ ଓଡ଼ିଆ ବିଦ୍ୟାର୍ଥୀଙ୍କ ସ୍ଥାଣୁତା ଟିକେ ଭିନ୍ନ ପ୍ରକାରର । ‘ସବୁ ଜାଣିଛି’- ଏହା ହେଉଛି ଆମ ଛାତ୍ରଙ୍କ ମାନସିକତା । ଅର୍ଥାତ୍ ଜିଜ୍ଞାସୁ ବା ଜାଣିବାର ଆଗ୍ରହ ଏମାନଙ୍କର ନାହିଁ । ସେଥିପାଇଁ ଏମାନଙ୍କଠାରୁ ଜ୍ଞାନରେ ବହୁତ ତଳେ ଥିବା ହିନ୍ଦୀ ଭାଷାଭାଷୀ ପ୍ରାର୍ଥୀ ଉକ୍ତ ପରୀକ୍ଷାରେ ସଫଳ ହୋଇ ଓଡ଼ିଆଙ୍କୁ ଶାସନ କରୁଥିବାବେଳେ, ଆମ ଉଚ୍ଚଶିକ୍ଷିତ ମେଧାବୀବର୍ଗ ଏମାନଙ୍କ ଅଧିନସ୍ଥ କିରାଣୀ ଭାବେ ଆଜ୍ଞାଧୀନ ଅଛନ୍ତି ।

(ଖ) ଦିଗ୍‌ଦର୍ଶକର ଅଭାବ - ଆମ ପ୍ରାର୍ଥୀଙ୍କର ଗୋଟିଏ ମୁଖ୍ୟ ଅଭିଯୋଗ ହେଲା ଓଡ଼ଶାରେ ଭଲ କୋଚିଂ ସେଣ୍ଟର ନାହିଁ, ସେଥିପାଇଁ ସ୍ୱଚ୍ଛଳ ପରିବାର ନିଜ ପିଲାଙ୍କୁ ଦିଲ୍ଲୀ ପଠାନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ମାତ୍ର ୦.୦୫% ସଫଳ ହୋଇଥାନ୍ତି । କାରଣ ଆମ ସରଳ ମେଧାବୀ ଓଡ଼ିଆ ପିଲାଙ୍କ ମଧ୍ୟରୁ ଅଧିକାଂଶ ଠକ କୋଚିଂ ସେଣ୍ଟର ହାବୁଡ଼ରେ ପଡି ଅର୍ଥ ସମୟ ଓ ଶ୍ରମ ନଷ୍ଟ କରି ବିନା ଫଳରେ ଘର ବାହୁଡ଼ିଥାଆନ୍ତି ।

(ଗ) ଇଚ୍ଛାଧୀନ ବିଷୟ ଚୟନରେ ତ୍ରୁଟି-ପରୀକ୍ଷା ନିୟମାନୁସାରେ ପ୍ରାର୍ଥୀକୁ ୨ଟି ଇଚ୍ଛାଧୀନ ବିଷୟ ଚୟନ କରିବାକୁ ହୁଏ । ପ୍ରାର୍ଥୀ ଗୋଟିଏ ବିଷୟକୁ ଖୁବ୍ ସହଜରେ