ପୃଷ୍ଠା:Jati, Jagruti o Pragati.pdf/59

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୦ / ଜାତି, ଜାଗୃତି ଓ ପ୍ରଗତି
ତଥା ଓଡ଼ିଶା ସରକାରଙ୍କଦ୍ୱାରା ସଂଗୃହୀତ ରାଜ୍ୟ ଟିକସ, କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ଓଡ଼ିଶାର ଅର୍ଥ ନୀତି ନିର୍ଭରଶୀଳ । କୃଷି ଓଡ଼ିଶା ମୁଖ୍ୟ ଜୀବିକା ହୋଇଥିବାବେଳେ, ଫସଲ ଉତ୍ପାଦନପାଇଁ ପାରମ୍ପରିକ ପଦ୍ଧତି ଅନୁସରଣ, ସରକାରୀ ବିହନ ଯୋଗାଣରେ ଚାଷୀର ସନ୍ଦେହ, ଜଳସେଚନର ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଉପରେ କୃଷକର ନିର୍ଭରଶୀଳତା, ସର୍ବୋପରି ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଜୀବିକାର ବିକାଶ କ୍ଷେତ୍ରରେ ପ୍ରଶ୍ନ ଚିହ୍ନ ଆଙ୍କିିଦିଏ । ଆମ ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ତାହା କେବଳ କେତେକ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବାପାଇଁ । କୃଷି ବିଶେଷଜ୍ଞମାନଙ୍କ ସହିତ ଚାଷୀମାନଙ୍କର କୌଣସି ସମ୍ପର୍କ ନାହିଁ । ଏ ଦିଗରେ ସରକାର ମଧ୍ୟ ଉଉାସୀନ । ପୁନଶ୍ଚ ଗୁଜୁରାଟ, ପଶ୍ଚିମବଙ୍ଗ ରାଜ୍ୟ ଭଳି ଆମ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ । କେବଳ କେତୋଟି ଚିନି କଳ, କାଗଜ କଳ କିମ୍ବା ଲୁହା କଳ ଖୋଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଲେ ହେବ ନାହିଁ । ବରଂ କଳକାରଖାନା ଉପଯୁକ୍ତ ପରିଚାଳନା କରିବା ଦରକାର । ନଚେତ୍ ଚୌଦ୍ୱାର ଲୁଗାକଳ କିମ୍ବା ବଡ଼ମ୍ବା, ନୟାଗଡ଼ ଚିନିକଳ ଭଳି ସରକାରୀ କଳକାରଖାନାର ଅବସ୍ଥା ହେବ ।

ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା - ସଂଘୀୟ ରାଷ୍ଟ୍ର ଭାରତର ଏକ ଅଂଶ ହେଉଛି ଆମ ରାଜ୍ୟ ଓଡ଼ିଶା । ତେଣୁ ସ୍ୱାଧୀନ ଭାରତର ସରକାର ସମଗ୍ର ଭାରତବର୍ଷର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଦାରିଦ୍ର୍ୟ ଦୂରୀକରଣପାଇଁ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସଫଳତା କେତେ, ତାହା କେବଳ ଜନସାଧାରଣ ନୁହେଁ, ସରକାର ମଧ୍ୟ ଉପଲବ୍ଧି କରି ସାରିଲେଣି । ଆବଶ୍ୟକ ଅନୁସାରେ ଯୋଜନା ପ୍ରସ୍ତୁତ ନ କରିବା, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅସଙ୍ଗତି ରହିବା, ଭ୍ରଷ୍ଟାଚାର, ସରକାରୀ ଉଦାସୀନତା, ସର୍ବୋପରି ଜନ-ସାଧାରଣଙ୍କ ଅସହଯୋଗ ମନୋବୃତ୍ତିରୁ ଏହିସବୁ ଯୋଜନା ବିଫଳ ହୋଇଯାଉଛି । ତେଣୁ ଅତୀତର ଅଭିଜ୍ଞତାକୁ ଆଖି ଆଗରେ ରଖି ସରକାର ବର୍ତ୍ତମାନ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ପ୍ରଥମେ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଛି । ଏପରି କି କେବଳ ଅଫିସର୍ ନୁହେଁ, ସର୍ବସାଧାରଣଙ୍କ ମତ ମଧ୍ୟ ଆବଶ୍ୟକ କରୁଛନ୍ତି । ଗଣତନ୍ତ୍ରର ସର୍ବପଥ୍ରମ ମିଳିତ କେନ୍ଦ୍ର ପଞ୍ଚାୟତକୁ ସେଥିପାଇଁ ଅଧିକ କ୍ଷମତା ଦିଆଯାଇ ପଲ୍ଲୀସଭା ବା ଗ୍ରାମସଭା ମାଧ୍ୟମରେ ସିଧାସଳଖ ଏହି ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରୁଛନ୍ତି । ଏଥି ସହିତ ଓଡ଼ିଶା ସରକାର ‘ଓଡ଼ିଶା ଡେଭଲପମେଣ୍ଟ