ଜାତି, ଜାଗୃତି ଓ ପ୍ରଗତି / ୬୧
ଅଥରିଟି (ଓ.ଡି.ଏ.) ଆଇନ୍-୧୯୮୨’ ପ୍ରଣୟନ କରି କେତେକ ଉନ୍ନୟନ ସଂସ୍ଥା ଖୋଲି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିକଶିତ କରିବାପାଇଁ ଚେଷ୍ଟା କରୁଛନ୍ତି ।
ଦାରିଦ୍ର୍ୟ ଦୂରୀକରଣରେ ଗ୍ରାମ୍ୟ ନାରୀଙ୍କ ଭୂମିକା - ବାସ୍ତବରେ କହିବାକୁ ଗଲେ ଦାରିଦ୍ର୍ୟର ଏକ ବଡ଼ କାରଣ ହେଉଛି ଗ୍ରାମୀଣ ମହିଳାଙ୍କ ଅଜ୍ଞାନତା । ପରିବାର ପରିଚାଳନାରେ ସେମାନଙ୍କ ଭୂମିକା ମୁଖ୍ୟ ଥିବାବେଳେ ସେମାନଙ୍କ ଉଦାସୀନତା ହିଁ ପାରିବାରିକ ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ପକାଉଛି । ବିନା ଖାଦ୍ୟରେ ଏମାନେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାବେଳେ, ପୁରୁଷମାନେ ମଦ ପିଇ, ତାସ ଓ ପଶା ଖେଳି, କୁକୁଡ଼ା ଲଢେଇରେ ସମୟ ଅତିବାହିତ କରିଥାନ୍ତି । ନାରୀଗଣ ପୁରୁଷଙ୍କ ଭଳି କାର୍ଯ୍ୟ କରୁଥିଲେ ମଧ୍ୟ କମ୍ ମଜୁରି ମିଳିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନ ଥା’ନ୍ତି । କମ୍ ବୟସରେ କିଶୋରୀ କନ୍ୟାଙ୍କୁ ବିବାହ ଦେବା ଯୋଗୁଁ ପୁଷ୍ଟିହୀନତାଦ୍ୱାରା ଏମାନେ କେବଳ ରୋଗରେ ପଡ଼ୁନାହାନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଉଛନ୍ତି । ତେଣୁ ଏ ବିଷୟରେ ଏମାନଙ୍କୁ ସଚେତନ କରିବା ସର୍ବ ପ୍ରଥମେ ଆବଶ୍ୟକ । କୃଷି ଉତ୍ପାଦନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିବାରୁ ଏ ସଂପର୍କରେ ଅଧିକ ପ୍ରଶିକ୍ଷଣ ଦେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏମାନଙ୍କୁ ସଚେତନ ଓ କ୍ରିୟାଶୀଳ କରିବା ଆବଶ୍ୟକ ।
ଯୁଗରୁଚି ଅନୁଯାୟୀ ବିଭିନ୍ନ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା, ଏଥିପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଦାୟିତ୍ୱ ସରକାର ନେବା ଉଚିତ । ଲୁଙ୍ଗି, ଗାମୁଛା ବୁଣିବା, ବିଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ ପ୍ରସ୍ତୁତି ବଳରେ ଚୀନ୍, ଜାପାନ ଭଳି ରପ୍ତାନୀ ଭିତ୍ତିକ ଇଲେକ୍ଟ୍ରୋନିକ୍ ସାଜ ସରଂଜାମ, ଆଧୁନିକ ଗୃହୋପକରଣ ନିର୍ମାଣକୁ କୁଟୀରଶିଳ୍ପର ମର୍ଯ୍ୟାଦା ଦେଇ ଗ୍ରାମ୍ୟ ମହିଳାମାନଙ୍କୁ ଏ ଦିଗରେ ପ୍ରଶିକ୍ଷିତ କରିପାରିଲେ, ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ହେବ ।
ଏଠାରେ ମନେରଖିବାକୁ ହେବ ଯେ, ଯେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ପାଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ପାଇବ ନାହିଁ ।
****