ପୃଷ୍ଠା:Jati, Jagruti o Pragati.pdf/62

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୬୩
କିଛିିଦିନ ପରେ ଏହା ପରିବର୍ଦ୍ଧିତ ରୂପ ନେଇ ପରମ୍ପରା ଭାବେ ଏକ ଅଲିଖିତ ସ୍ୱୀକୃତି ଲାଭ କଲା । ଅର୍ଥାତ୍ ମଧୁର କଥା, ଓଜଃପୂର୍ଣ୍ଣ ଭାଷଣ, କପଟ ଆଚରଣ, ତୋଷାମଦ ସହ ଗୋଡ଼ଟଣା ପ୍ରବୃତ୍ତିଦ୍ୱାରା ସାଧାରଣ ଲୋକଟିଏ ଲୋକ-ପ୍ରତିନିଧି ହୋଇଯିବା ପରେ ଶାସନ ଦଣ୍ଡକୁ ହାତରେ ଧରିବାପାଇଁ ଏପରି ବ୍ୟାକୁଳ ହୋଇ ଉଠନ୍ତି ଯେ, ରାଜାଙ୍କ ନୀତିକୁ ସେମାନେ ‘ବାଜ’ର ନୀତି ଭାବେ ସ୍ୱୀକାର କରିବାକୁ ତିଳେମାତ୍ର କୁଣ୍ଠା ପ୍ରକାଶ କରି ନାହାନ୍ତି । ନିଜର ସ୍ୱାର୍ଥ ସାଧନପାଇଁ ଅକ୍ଳେଶରେ ମନ୍ତ୍ରିମଣ୍ଡଳକୁ ରାତାରାତି ଭାଙ୍ଗି ନୂଆ ମନ୍ତ୍ରୀଙ୍କୁ ଜନସମ୍ମୁଖକୁ ଆଣି ପ୍ରତିଶ୍ରୁତି ପାଳନ କରିବାର ପାରିଲା ପଣିଆ ଦେଖାଉଥିବାବେଳେ, ଭୁଲିଯାଆନ୍ତି ଯେ ଏଥିପାଇଁ ନିରୀହ ଜନସାଧାରଣ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କପାଇଁ ଯାହା ଖେଳ, ଜନସାଧାରଣଙ୍କପାଇଁ ତାହା କାଳ ବୋଲି ସେତେବେଳେ ବୁଝୁଛନ୍ତି; ଯେତେବେଳେ ୫ ବର୍ଷର ସୁଖସମୃଦ୍ଧି ପରେ ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରି ସାଧାରଣ ମଣିଷ ସ୍ତରକୁ ନେଇ ଆସନ୍ତି । ଏକଥା ଜାଣି ମଧ୍ୟ ସେମାନେ ଚିରାଚରିତ ପ୍ରଥା ଦୁର୍ନୀତିକୁ ଦୂରେଇ ଦେବା ପରିବର୍ତ୍ତେ ସର୍ବଦା ତା’ର ପାଖେପାଖେ ରହିଥାନ୍ତି । କାରଣ ୫ ବର୍ଷର ପାର୍ଥିବ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଆଜୀବନ ଉପଭୋଗ କରିବାର ଏକମାତ୍ର ପଥ ହେଉଛି ଦୁର୍ନୀତି । ଏହାର ମାଧ୍ୟମ ହେଉଛି ଛଳନା,ମଧୁର ବଚନ ଓ ଓଜଃପୂର୍ଣ୍ଣ ଭାଷଣ ।

ଉକ୍ତ କଥନର ସତ୍ୟତା କେତେ, ତାହା ଯେକୌଣସି ଶିକ୍ଷିତ ଅଶିକ୍ଷିତ ବ୍ୟକ୍ତି ନିର୍ବିଶେଷରେ ହୃଦୟଙ୍ଗମ କରିପାରିବେ । କାରଣ ଛଳନାଟି କେବଳ ଆଉ ରାଜନୀତି ମଧ୍ୟରେ ସଂକୁଚିତ ହୋଇ ରହିନାହିଁ । ପଞ୍ଚାୟତକୁ ସର୍ବକ୍ଷମତା ଦେଇସାରିବା ପରେ ରାଜନୀତିର ଅନ୍ତିମଚରଣ ଗ୍ରାମପଞ୍ଚାୟତ ସଂପର୍କିତ ବ୍ୟକ୍ତିମାନେ ଛଳନାର ଅକ୍ଟୋପାସ ଭିତରକୁ ଏଭଳି ଭାବେ ଚାଲି ଆସୁଛନ୍ତି ଯେ, ଯାହାକୁ କିଛିିଦିନ ପୂର୍ବରୁ ନିରୀହର ସଂଜ୍ଞା ଦିଆଯାଉଥିଲା, ସେମାନେ ଟାଉଟରୀ କରି ଜଣେ ପୋଖତ ରାଜନୀତିଜ୍ଞର ପରିଚୟଟିଏ ସୃଷ୍ଟି କରିବା ସହ ଉପରିସ୍ଥ ରାଜନେତାଙ୍କ ଦପ୍ତର ନିକଟରେ ପହଞ୍ଚି ହାରିଗୁହାରୀ ତଥା ରାଜନୀତିର ଦା’ ପେଞ୍ଚ ଖେଳ ଅକ୍ଳେଶରେ ଖେଳି ପାରୁଛନ୍ତି । କେବଳ ସେତିକି ନୁହେଁ, ମହାନ ନେତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳା ଅଧିକାରକୁ ସ୍ୱୀକୃତି ଦେଇ ମହିଳା ସୁରକ୍ଷା ପ୍ରତି ପରୋକ୍ଷରେ ଜନଜାଗରଣ ସୃଷ୍ଟି କରିଥିଲେ ମଧ୍ୟ, ପ୍ରତ୍ୟକ୍ଷ ଭାବରେ ରାଜନୀତିକୁ ଘରର ହାଣ୍ଡିଶାଳ ଭିତରେ ପହଞ୍ଚାଇ ପାରିବାର ବିଶୃଙ୍ଖଳାଟିଏ ସୃଷ୍ଟି କରିଛନ୍ତି । କାରଣ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ଯାହା କେବଳ ତ୍ରିସ୍ତରୀୟ ପଞ୍ଚାୟତ ମଧ୍ୟରେ ସୀମିତ ଏବଂ ଯେଉଁଠି ପାରମ୍ପରିକ ଭାବେ ପରିବାରର ସ୍ନେହ, ପ୍ରେମ ତଥା କର୍ତ୍ତବ୍ୟ ନିଷ୍ଠାର ବୀଜ ସଂଗୋପନରେ ଜୀବିତ । ସର୍ବୋପରି ପୁରୁଷକୁ ସ୍ୱାମୀ ବା ପ୍ରଭୁତ୍ୱର ଆସନରେ ମଣ୍ଡିତ