ପୃଷ୍ଠା:Jati, Jagruti o Pragati.pdf/65

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୬ / ଜାତି, ଜାଗୃତି ଓ ପ୍ରଗତି
ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣି ବିଫଳ ହେବା ପରେ ଶାସନ ନାମରେ ଓଡ଼ିଶା ସରକାର ପୁଣି ଇଂରେଜ ଜାତିଠାରେ ହାତ ପାତୁଛି କାହିଁକି ? ସେମାନଙ୍କ ପରାମର୍ଶରେ ନିଯୁକ୍ତିର ସୁଯୋଗ ବନ୍ଦ କରିଦେଲେ ଓଡ଼ିଶା କିଭଳି ବିକାଶର ଚରମ ସୀମାରେ ପ‌ହ‌ଞ୍ଚି ପାରିବ ? ଏଭଳି ଅନେକ ପ୍ରଶ୍ନ ଉଠୁଛି ଆମ ମନ ମଧ୍ୟରେ ।

(୨)

ଓଡ଼ିଶା କେବଳ ଏକ ଗ୍ରାମବହୁଳ ରାଜ୍ୟ ନୁହେଁ, ନେତାବହୁଳ ରାଜ୍ୟ ମଧ୍ୟ । ଯେଉଁ ନେତାମାନେ ରାଷ୍ଟ୍ରସ୍ୱାର୍ଥ ଅପେକ୍ଷା ନିଜସ୍ୱାର୍ଥ ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି, ଓଡ଼ିଆଏ ସେଇମାନଙ୍କ ହାତରେ ହିଁ ଶାସନ‌ଦଣ୍ଡ ଧରାଇ ଦିଅନ୍ତି । ଆଶା କରନ୍ତି ସର୍ବନିମ୍ନ ଆବଶ୍ୟକତାକୁ ସିଂହରୂପୀ ଶୃଗାଳମାନେ ପୂରଣ କରିବେ । ତେବେ ୫୦ ବର୍ଷ ମଧ୍ୟରେ ଏହି ନେତାମାନେ ସମ୍ବିଧାନ ଲିଖିତ ମୌଳିକ ଆବଶ୍ୟକତା ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କରେ କିଭଳି ପଦକ୍ଷେପ ନେଇଛନ୍ତି, ତାହା ବର୍ତ୍ତମାନ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ।

ପ୍ରଥମେ ଶିକ୍ଷା କଥା ଚିନ୍ତା କରାଯାଉ । ଶିକ୍ଷିତ ବ୍ୟକ୍ତି ହେଉଛନ୍ତି ଦେଶର ପ୍ରଗତିର ମୂଳ ଭିତ୍ତି । ଇଂରେଜ ଶାସନାଧୀନ ଓଡ଼ିଶାବାସୀ ରାଜା, ଜମିଦାରଙ୍କ ଅତ୍ୟାଚାରର ଶିକାର ହୋଇ କେବଳ ଦାନା ଗଣ୍ଡାଏ ଯୋଗାଡ଼ରେ ଅହରହ ସଂଗ୍ରାମରେ ବ୍ରତୀ ଥିଲେ । ସେ ସଂଗ୍ରାମ ଭିତରେ ଅକ୍ଷର ଶିକ୍ଷା କରିବା ଥିଲା ଅସମ୍ଭବ ବ୍ୟାପାର । ଯଦିବା କେହି ନିଜ ପିଲାଙ୍କୁ ଅବଧାନଙ୍କ ଚାଟଶାଳୀରେ ବସାଇବାକୁ ଚେଷ୍ଟା କରୁଥିଲା, ସ୍ୱଚ୍ଛଳବର୍ଗଙ୍କ ରୋଷର ଶିକାର ହୋଇ ମାନସିକ ଓ ଶାରୀରିକ ନିର୍ଯାତନା ପାଉଥିବାର ବହୁ ନମୂନା ଆମେ ପୂର୍ବ ପୁରୁଷଙ୍କଠାରୁ ଶୁଣିଛୁ । ତେଣୁ ସ୍ୱତଃ ଏଭଳି ଏକ ପିଢ଼ି ଓଡ଼ିଶାରେ ଦେଖାଦେଲେ, ଯେଉଁମାନଙ୍କର କଥିତ ଭାଷା ଥିଲା ଓଡ଼ିଆ, ମାତ୍ର ଲିଖିତ ରୂପ ଥିଲା ବାମ ବୃଦ୍ଧାଙ୍ଗୁଳିର ଟିପଚିହ୍ନ । ଉପେନ୍ଦ୍ର, ଅଭିମନ୍ୟୁ, ଗୋପାଳକୃଷ୍ଣ ଆଦିଙ୍କ ପଦାବଳୀ ଏମାନଙ୍କ ତୁଣ୍ଡରେ ଅହରହ ଥିବାବେଳେ ଆଉ କିଛି ସୃଷ୍ଟି କରିବାର ତୀବ୍ର ଅଭୀପ୍ସା ହିଁ କେବଳ ଭୀମଭୋଇ ଭଳି ଅନ୍ଧ, ଛୋଟାମାନଙ୍କଠାରେ ରହୁଥିଲା । ଯଦ୍ଦ୍ୱାରା ଓଡ଼ିଶାରେ ଶିକ୍ଷିତ ଓଡ଼ିଆ (ବ୍ରାହ୍ମଣ, କରଣ)ଙ୍କ ସହ ଇଂରେଜୀ ଚାକର ବଙ୍ଗାଳୀମାନଙ୍କ ପ୍ରଭାବ ଏଭଳି ରହିଲା ଯେ, ସୀମିତ ସଂଖ୍ୟକ ଶିକ୍ଷିତ ଓଡ଼ିଆଙ୍କୁ ଅତିକ୍ରମ କରି ବଙ୍ଗାଳୀମାନେ ଆଗଙ୍ଗା-ଗୋାବରୀ ଓଡ଼ିଶା ଭଳି ବିଶାଳ ଅଞ୍ଚଳ (ଅବଶ୍ୟ ସେତେବେଳକୁ ସଂକ୍ଷିପ୍ତ ରୂପ ନେଇ ସାରିଥଲା)ରେ ନିଜ ଭାଷା ପ୍ରଚଳନପାଇଁ ଦାବି କରିବାର ଦୁଃସାହସଟିଏ କରିପାରିଲେ । ତେଣୁ ସେହି ଦୁଃସାହସର ପରିଣାମକୁ ବୁଝିପାରି ଆଗଧାଡ଼ିର ଓଡ଼ିଆଏ ଶିକ୍ଷାର ପ୍ରସାରପାଇଁ ଏଭଳି କାର୍ଯ୍ୟ କରି