ପୃଷ୍ଠା:Jati, Jagruti o Pragati.pdf/72

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୭୩
ଚିକିତ୍ସାଳୟ । ତେବେ ଏତେସବୁ ଚିକିତ୍ସାଳୟରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ସରକାର ଆତ୍ମସନ୍ତୋଷ ପାଉଥିବା ବେଳେ ସାଧାରଣ ଲୋକଟିର ଧାରଣା ହେଲାଣି ଯେ ସରକାରୀ ଡାକ୍ତରଖାନାର ‘ଛାତ୍ର ଡାକ୍ତର’ଙ୍କୁ ଦେଖାଇଲେ ରୋଗ ଭଲ ହେବ ନାହିଁ । କିନ୍ତୁ ଘରବାଡ଼ି ବନ୍ଧାରଖି ଡାକ୍ତରଙ୍କୁ ବସାଘରେ ଦେଖାଇଲେ ରୋଗ କୁଆଡ଼େ ଡରି ପଳାଏ । ଜନସାଧାରଣଙ୍କ ଏଭଳି ଦାତବ୍ୟ ଗୁଣକୁ ଚିହ୍ନିପାରି ସରକାର ଡାକ୍ତରଖାନାରେ ବସାଇଦେଲେ ୟୁଜର୍ସ ଫିସ୍ । ଫଳରେ ରୋଗୀଙ୍କୁ ନର୍ସିଂହୋମ ଯିବାପାଇଁ ସୁବିଧା ହୋଇଗଲା । ନମୂନା ରୂପେ ଓଡ଼ିଶାର ବଡ଼ଡାକ୍ତରଖାନା କଟକକୁ ନେଇ ପାରିବା । ଏକ୍ସରେ ବିଭାଗରେ ଫିଲ୍ମ ନ ଥିବ । ସ୍କାନିଂପାଇଁ ଇଲେକ୍ଟ୍ରି ନ ଥିବ । ରକ୍ତ ପରୀକ୍ଷା କେନ୍ଦ୍ରରେ ଛୁଞ୍ଚି ନ ଥିବାରୁ ଲୋକେ କେତେ ସମୟ ଅପେକ୍ଷା କରିବେ ମୁମୂର୍ଷୁ ରୋଗୀଙ୍କୁ ଧରି? ତେଣୁ ବାଧ୍ୟ ହେବେ ସେହି ଡାକ୍ତରଙ୍କଦ୍ୱାରା ପରିଚାଳିତ ଘରୋଇ ଡାକ୍ତରଖାନାକୁ ଯିବାପାଇଁ । ୫ ଟଙ୍କାର ରୋଗ ଭଲ ହେବ ୫୦୦ କିମ୍ବା ୫୦୦୦ ଟଙ୍କାରେ । ପୁଣି ଗ୍ରାମାଞ୍ଚଳ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତରଙ୍କପାଇଁ କୌଣସି ସୁବିଧା ସୁଯୋଗ ନ ଥିବାବେଳେ, ସହରୀ ଡାକ୍ତରବାବୁଙ୍କ ଅନୁପସ୍ଥିତିରେ ତଳିଆ କର୍ମଚାରୀ ହିଁ ଡାକ୍ତର ଭୂମିକା ନେଇ ଲୋକମାନଙ୍କ ନିକଟରେ ଭଗବାନ ହୋଇଯାଏ ଏବଂ ତ୍ରୁଟିପୂର୍ଣ୍ଣ ଚିକିତ୍ସାକରି ରୋଗୀକୁ ସର୍ବସ୍ୱାନ୍ତ କରେ କିମ୍ବା ଜୀବନ ନେଇଯାଏ । ସେମାନଙ୍କପାଇଁ ଏହି ଡାକ୍ତରବାବୁମାନେ କ’ଣ କରନ୍ତି? ନିକଟରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟଧାରାର ବିସ୍ତୃତ ବିବରଣୀ କିମ୍ବା ଭୁବନେଶ୍ୱର ୟୁନିଟ୍-୬ ଡାକ୍ତରଖାନାରେ ଦିନ ଦ୍ୱିପ୍ରହରରେ ଘଟିଥିବା କାର୍ଯ୍ୟର ଫଟୋଯୁକ୍ତ ବିବରଣୀ ଖବରକାଗଜର ମୁଖ୍ୟ ପୃଷ୍ଠାରୁ ସମସ୍ତେ ପାଠ କରିଥିବେ । ତେବେ ଦୁଃଖର କଥା ପୁରୀ ଚିକିତ୍ସାଳୟର ଅନେକ ଚିକିତ୍ସକଙ୍କ ନିଦୁଆ ଆଖି ଆଉ ଅସୌଜନ୍ୟ ବ୍ୟବହାର ବହୁବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ, ପୁରୀ ସହରରେ କୌଣସି ଦୃଢ଼ ପ୍ରତିବାଦ ଏପର୍ଯ୍ୟନ୍ତ କେହି କରି ନାହାନ୍ତି, କିମ୍ବା ବିଜୁବାବୁଙ୍କ ମାଡ଼ମନ୍ତ୍ର ଲାଗୁକରି ନାହାନ୍ତି । ତାହା ହିଁ ଆମମାନଙ୍କ ନୈତିକ ଅଧପତନ, ହୀନମନ୍ୟତା ଓ ଆଳସ୍ୟର ପ୍ରମାଣ ଦିଏ ।

ସେହିଭଳି ଆମ ସ୍ୱାସ୍ଥ୍ୟ ବିଭାଗ ନିଜ କାର୍ଯ୍ୟାଳୟ ପଛପଟେ ରୋଗ ଓ ରୋଗୀ ନ ଥିବା ବିଭାଗ ‘ରାଜ୍ୟ ଏଡ୍ସ ସେଲ୍’ ଖୋଲି କି ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି, ତାହା ଏବେ ବିଚାର କରିବାର ସମୟ ଆସିଛି । ପ୍ରତିବର୍ଷ ରାଜ୍ୟରେ ମ୍ୟାଲେରିଆଦ୍ୱାରା ୫ରୁ ୧୦ ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ (ସରକାରୀ ହିସାବରେ ୪୫୦, କାରଣ ସେମାନେ ପରିସଂଖ୍ୟାନକୁ ବିଶ୍ୱାସ କରନ୍ତି, ବାସ୍ତବତାକୁ ନୁହେଁ) ଏବଂ ପ୍ରତି ବ୍ୟକ୍ତିଙ୍କ ରକ୍ତରେ ମ୍ୟାଲେରିଆ, ଫାଇଲେରିଆ ଜୀବାଣୁ ଥିବାବେଳେ ଏହାର