ପୃଷ୍ଠା:Jati, Jagruti o Pragati.pdf/75

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୭୬ / ଜାତି, ଜାଗୃତି ଓ ପ୍ରଗତି
ସମ୍ବିଧାନରେ ଉଲ୍ଲେଖ ଅଛି ବ୍ୟବସ୍ଥାପକ ସଭା ନିର୍ଦ୍ଦେଶ ଦେବ କାର୍ଯ୍ୟପାଳିକାକୁ । ମାତ୍ର ଓଡ଼ିଶାରେ ଏହାର ଓଲଟା କାର୍ଯ୍ୟ ହେଉଥିବାର ପ୍ରମାଣ ନିକଟରେ ଘଟି ଯାଇଥିବା ବିଧାନସଭାରୁ ଜଣାପଡ଼େ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଆଢ଼ୁଆଳରେ ରଖିବାପାଇଁ ଜଣେ ସ୍ୱଚ୍ଛ ସଚ୍ଚୋଟ ଅଫିସରଙ୍କୁ କିପରି ବିଧାନସଭା ବଳି ପକାଯାଇଛି ତାହା ସମଗ୍ର ଓଡ଼ିଶାବାସୀ ଅନୁଭବ କରୁଥିବେ । ତେଣୁ ଏଭଳି ସ୍ଥିତିରେ ଆମେ ଓ ଆମର ଭାଗ୍ୟ ତଥା ରାଜ୍ୟ କିପରି ସୁରକ୍ଷିତ, ତାହା ପର୍ଯ୍ୟାଲୋଚନା କରିବାର ବେଳ ଆସି ପହଞ୍ଚିଛି । ନେତା ବୋଲି ଆମେ ଯାହାକୁ ସ୍ୱୀକୃତି ଦେଇଛୁ, ସେମାନେ ଯେ ଗୋଟିଏ ଗୋଟିଏ କଥାକୁହା ପଶୁ ତଥା ମସ୍ତିଷ୍କ ପକ୍ଷାଘାତର ଗୋଟିଏ ଗୋଟିଏ ରୋଗୀ, ତାହା ସେମାନେ ପ୍ରମାଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ବର୍ଷକୁ ଗୋଟିଏ ରେଳ, ଦୁଇଟା ପୋଲ କିମ୍ବା ଭୁବନେଶ୍ୱରରୁ ଅନ୍ୟ ସହରକୁ ସବୁିଦିନିଆ ଉଡ଼ାଜାହାଜ ଉଡ଼ାଣ କରିବାର ଘୋଷଣା କରିଦେଲେ ଯେ ଓଡ଼ିଶାର ଭାଗ୍ୟ ବଦଳିଯିବ, ଏ ବିଶ୍ୱାସ ଏ ନେତାଙ୍କ ମନ ଭିତରେ ସଂଗୋପନରେ ରହିଛି ।

ଓଡ଼ିଆ ଓ ଓଡ଼ିଶାର ବିକାଶ ହେଉ ବା ନ ହେଉ, ନିଜର ପାରିବାରିକ ବିକାଶରେ ଯେପରି କୌଣସି ହାନି ନ ହେଉ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି ଆମ ତଥାକଥିତ ରାଜନେତାଗଣ । କିନ୍ତୁ ମୁଣ୍ଡ ଉପରେ ଭୋଟ୍ ରୂପକ ଡେମୋକ୍ଲିସ୍ ଖଣ୍ଡାର ଝୁଲନ୍ତା ରୂପକୁ ମନେ ପକାଇ ମନ ଭିତରକୁ ଟିକ୍ ଟିକ୍ କରି କାଟୁଥିବା ଘୁଣଖିଆ ପୋକ ଯେ ଦିନେ ସେମାନଙ୍କ ସମଗ୍ର ସତ୍ତାକୁ ଆବୋରି ଆଲେକ୍‌ଜାଣ୍ଡାର୍, ନେପୋଲିୟନ୍, ହିଟ୍‌ଲର କିମ୍ବା ସଦ୍ଦାମ ଭଳି ପୁଣି ସେହି ସୁରମ୍ୟ ପ୍ରାସାଦର ତୂଳିତଳ୍ପ ଶଯ୍ୟାରୁ ଟାଣିଆଣି ମାଟି ଉପରକୁ ଫୋପାଡ଼ି ନ ଦେବ, ତାହା କିଏ କହିବ?


***