ପୃଷ୍ଠା:Jati, Jagruti o Pragati.pdf/83

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୪ / ଜାତି, ଜାଗୃତି ଓ ପ୍ରଗତି
ମାଫିଆଙ୍କଦ୍ୱାରା ମୂଲ୍ୟବାନ ପୁରୁଣା କାଠଗଛ ସବୁ କଟାଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ନୂତନ ଜଙ୍ଗଲ ସୃଷ୍ଟିପାଇଁ ପ୍ରତିବର୍ଷ ସରକାର ଅର୍ଥ ପ୍ରଦାନ କରୁଥିଲେ ମଧ୍ୟ ଆମ୍ବ, ପଣସ, ଶାଳ, ପିଆଶାଳ, ଶାଗୁଆନ ଭଳି ଗଛ ଅଧିକ ସଂଖ୍ୟାରେ ଲଗାଯିବାପାଇଁ ଗୁରୁତ୍ୱପ୍ରଦାନ କରାଯାଉନାହିଁ । ୨୦୦୪-୦୫ରେ ବନ ପ୍ରକଳ୍ପପାଇଁ ଯୋଜନା ଓ ଅଣଯୋଜନା ବାବରେ ୯୧କୋଟି ୬୫ଲକ୍ଷ ୨୩ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୨୦୦୫-୦୬ ମସିହାରେ ୯୯କୋଟି ୬୧ଲକ୍ଷ ୨୭ହଜାର, ୨୦୦୬-୦୭ରେ ସର୍ବାଧିକ ୧୨୪ କୋଟି ୪୧ଲକ୍ଷ ୧୭ ହଜାର ଏବଂ ୨୦୦୭-୦୮ ଡିସେମ୍ବର ଶେଷ ସୁଦ୍ଧା ୭୬କୋଟି ୪୫ଲକ୍ଷ ୮୪ହଜାର ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହି ଅର୍ଥରେ କେତେ ଅଞ୍ଚଳ ଶାଳ, ପିଆଶାଳ, ଶାଗୁଆନ କିମ୍ବା ସେହିଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି ଏବଂ ସେଥିରୁ କେତେ ବଞ୍ଚିଛି ସେ ସଂପର୍କରେ ସରକାରଙ୍କ ପାଖରେ ହିସାବ ନାହିଁ ।

ବ୍ୟାପକ ଜଙ୍ଗଲକ୍ଷୟ ଓ ପରିବେଶ ସନ୍ତୁଳନ ଅଭାବରୁ ଗତ କିଛିବର୍ଷ ହେବ ଋତୁଚକ୍ରରେ ବ୍ୟାପକ ବ୍ୟତିକ୍ରମ ସୃଷ୍ଟି ହୋଇଛି । ବର୍ଷାଦିନେ ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବା ବେଳେ ଶୀତଦିନେ ମଧ୍ୟ ଯେଭଳି ଶୀତ ହେବା କଥା ସେଭଳି ହେଉନାହିଁ । ତେଣୁ ରାଜ୍ୟରେ ଶିଳ୍ପର ବିକାଶ ସହିତ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରା ନ ଗଲେ, ଓଡ଼ିଶା ଆଗାମୀ ଦିନରେ ବିଷାକ୍ତ ବଳୟରେ ପରିଣତ ହେବ ଓ ଆମେ ବିଶୁଦ୍ଧ ପାନୀୟ ଜଳ, ବିଶୁଦ୍ଧ ବାୟୁ ପାଇପାରିବା ନାହିଁ । ଫଳରେ ଆମର ସାଧାରଣ ଜୀବନ ନିର୍ବାହ ପଦ୍ଧତି ପ୍ରଭାବିତ ହେବ । ତା’ଛଡ଼ା ଆମର ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ଆମେ ବିଶୁଦ୍ଧ ପାଣି କିମ୍ବା ବାୟୁ କିଣିପାରିବା ନାହିଁ । କେବଳ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିବା । ତେଣୁ ଯଦି ସୁସ୍ଥ, ସୁନ୍ଦର ଓ ନିରାମୟ ଜୀବନ ଯାପନ କରିବାକୁ ଚାହିଁବା, ତେବେ ଗଛକୁ ନ କାଟି ପ୍ରଚୁର ଗଛ ଲଗାଇବା, ଶିଳ୍ପ ନାଁରେ ଜଙ୍ଗଲ ଉଜାଡ଼ିବା ନୀତିରୁ ସରକାରଙ୍କୁ ପ୍ରବର୍ତ୍ତାଇବା । ସ୍ୱାର୍ଥୀ ଶିଳ୍ପପତିଙ୍କ କୁଚକ୍ରରେ ପଡ଼ି ସରକାର ଯଦି ଉଚିତ ପକ୍ଷେପ ନ ନିଅନ୍ତି, ତେବେ ବ୍ୟାପକ ଜନଆନ୍ଦୋଳଦ୍ୱାରା ଏହି କାର୍ଯ୍ୟ କରିବାକୁ ହେବ ।

                           ***