ପୃଷ୍ଠା:Jati, Jagruti o Pragati.pdf/85

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୬ / ଜାତି, ଜାଗୃତି ଓ ପ୍ରଗତି
ସବୁଠାରୁ ଦୁଃଖର ବିଷୟ ଆମ ବୁଦ୍ଧିଜୀବୀ, ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ ତଥା ନିଜକୁ ଓଡ଼ିଆ ଭାଷା ଓ ସଂସ୍କୃତିର ତ୍ରାଣକର୍ତ୍ତା ବୋଲାଉଥିବା ବିରୋଧୀ ଦଳର ନେତାଙ୍କର ଏପରି ସମ୍ବେଦନଶୀଳ ବିଷୟପ୍ରତି ନୀରବତା; ଏହି ଲୁଟେରା ନପୁଂସକ ଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରୁଛି ।

ଭାଷା ପ୍ରତିଷ୍ଠାନର ଉଦ୍ଦେଶ୍ୟ :

ଭାଷା ପ୍ରତିଷ୍ଠାନ ଗଠନର ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷାର ବିକାଶ, ପ୍ରସାର ତଥା ଅନ୍ୟାନ୍ୟ ସର୍ବଭାରତୀୟ ସ୍ତରରେ ଥିବା ଆଞ୍ଚଳିକ ଭାଷାର ସମକକ୍ଷ କରାଇବା । ଏଥିପାଇଁ ଜଣେ ନିର୍ଦ୍ଦେଶକ, ୬୭ ଜଣ ସଦସ୍ୟ, ଯୁଗ୍ମ ସଚିବ ପାହ୍ୟାଭୁକ୍ତ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା । ବିଭିନ୍ନ ସମୟରେ ସଂସ୍ଥାକୁ ଗତିଶୀଳ କରିବାପାଇଁ ଅନେକ ବୈଠକମାନ ମଧ୍ୟ ବସିଛି । ମାତ୍ର ସରକାରଙ୍କ ପାରମ୍ପରିକ କାର୍ଯ୍ୟଧାରା ପରି ଅନେକ ‘ଭୋଜନ ଓ ଭଜନ’ ପରେ ନିଷ୍ପତ୍ତି ନିଆଗଲା ଯେ, ଗୋଟିଏ ଅଭିଧାନ ଓ ଗୋଟିଏ ନିର୍ଭୁଲ ବ୍ୟାକରଣ ପୁସ୍ତକ ପ୍ରସ୍ତୁତି କରିବା, ଇଣ୍ଟରନେଟରେ ପ୍ରମୁଖ ପୁସ୍ତକଗୁଡ଼କ କମ୍ପ୍ୟୁଟରୀକରଣ କରିବା, ତଥା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ଉପଯୋଗୀ ଓଡ଼ିଆ ପୁସ୍ତକମାନ ବଣ୍ଟନ କରିବା ଇତ୍ୟାଦି ଅନେକ କାର୍ଯ୍ୟ । ଏସବୁ କାର୍ଯ୍ୟ କରିବ କିଏ? କରୁଥିବା ବ୍ୟକ୍ତିର ଯୋଗ୍ୟତା କ’ଣ ହେବ ଏବଂ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ କେତେ ଗୁଣାତ୍ମକ ହୋଇଛି, ତାହାର ମୂଲ୍ୟାଙ୍କନ କରାଯାଇଛି କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର କେବଳ ସମିତି ସଦସ୍ୟମାନେ ହିଁ କହିପାରିବେ । କାରଣ ଏ ବିଷୟରେ ଗଣମାଧ୍ୟମକୁ ଜଣାଇ ଦିଆଗଲା ନାହିଁ । ଏପରିକି ମାତ୍ର ୩ ବର୍ଷ ମଧ୍ୟରେ ଗଠିତ ଏହି ସଂସ୍ଥା ବହୁ ଦୁର୍ନୀତିରେ ଜଡ଼ିତ ଥିଲେ ମଧ୍ୟ ଏ ବିଷୟରେ କେହି କହିବାକୁ ନାହାନ୍ତି । ବିଦ୍ୟାଳୟଗୁଡ଼ିକପାଇଁ କିଣାଯାଇଥିବା ପୁସ୍ତିକା ତାଲିକାରେ ପ୍ରମୁଖ ପ୍ରକାଶନ ସଂସ୍ଥା ଓ ପ୍ରତିଷ୍ଠିତ ଲେଖକଙ୍କ ନାମ ନ ଥିବାରୁ ଏହି ସଂସ୍ଥା ରୂପକ ଢୋଲ ଭିତରେ ଯେ ବହୁତ ବଡ଼ ମୂଷା ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।

ଦୁର୍ନୀତି ଓ ଅନୀତିର ଗନ୍ତାଘର :

ଭାଷା ପ୍ରତିଷ୍ଠାନ ଗଠନ ହେବା ସମୟରୁ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଛି । ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ ପଦବୀପାଇଁ ସବୁଠାରୁ ଯୋଗ୍ୟ ବିଚାରବନ୍ତ ତଥା ବରିଷ୍ଠ ଭାଷାବିତ୍ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ‌ତ୍କାଳୀନ ବିଭାଗୀୟ ମୁଖ୍ୟଙ୍କ ନାମ ସର୍ବାଗ୍ରେ ଥିଲା । ମାତ୍ର ୬ ମାସ ପରେ ତାଙ୍କର ଅବସର ସମୟ ଉପସ୍ଥିତଥିବା ଆଳ