ପୃଷ୍ଠା:Jati, Jagruti o Pragati.pdf/87

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୮ / ଜାତି, ଜାଗୃତି ଓ ପ୍ରଗତି

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧୋକା :

ସ୍ୱାଭିମାନୀ ଓଡ଼ିଆଙ୍କୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମପାଇଁ ପ୍ରଚୁର ଅର୍ଥ ମୁକ୍ତ ହସ୍ତରେ ଅନୁମୋଦନ କରିଥିଲେ । ସେହି ଅନୁସାରେ ସଦସ୍ୟଗଣ ଭିତରେ ଭିତରେ ଅର୍ଥ ଭାଗ ବାଣ୍ଟ କରି ଚାଲିଥିଲେ । ମାତ୍ର ଯେତେବେଳେ ବିଦ୍ୟାଳୟଗୁଡ଼ିକୁ ବହି ବଣ୍ଟନ କରିବା ନିଷ୍ପତ୍ତି ନିଆଗଲା, ସେଥିରେ ନିଜର ସ୍ୱଚ୍ଛତା ପରିପ୍ରକାଶ କରିବାପାଇଁ ଏକ ‘ପୁସ୍ତକ ଚୟନ କମିଟି’ ଗଠନ କରିଦେଲେ । ଏହି କମିଟି ସଦସ୍ୟଗଣ କେବଳ ଅନଭିଜ୍ଞ ନୁହନ୍ତି, ଏମାନେ ଗୋଟିଏ ଗୋଟିଏ ସଖି କଣ୍ଢେଇ ମଧ୍ୟ । ତାହା ନ ହୋଇଥିଲେ ଏହି କମିଟି ୧୬ ପୃଷ୍ଟାର ଯେଉଁ ପୁସ୍ତକ ତାଲିକା ଦେଇଛନ୍ତି, ସେହି ତାଲିକା ଭିତରୁ କେବଳ ୨୦୦୬-୦୭ ମସିହାପାଇଁ ସରକାର ଦେଇଥିବା ୧କୋଟି ୪୦ଲକ୍ଷ ଟଙ୍କାର ବହି କିଣା ହେବ ନାହିଁ, ବରଂ ଆଗାମୀ ଦଶବର୍ଷପାଇଁ ବହି କିଣିବା ଉଦ୍ଦେଶ୍ୟରେ ସରକାର ଯେତେ ଅର୍ଥ ପ୍ରଦାନ କରିବେ, ସେହି ଅର୍ଥରେ ଉକ୍ତ ତାଲିକାଭୁକ୍ତ ବହି କେବଳ ହିଁ କିଣାଯିବ । ଅର୍ଥାତ୍ ଏହି ୧୦ବର୍ଷ ମଧ୍ୟରେ ଉଚ୍ଚକୋଟୀର ପୁସ୍ତକ ରଚନା କରାଯାଇଥିଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ । କେବଳ ନିଷ୍ପତ୍ତିଟି ଏତିକିରେ ରହିଥିଲେ ହୁଏତ ପଖାଳଖାଇ ଶୋଇ ପଡୁଥିବା ଓଡ଼ିଆଏ ଚେତି ନ ଥାନ୍ତେ, ଯଦି ଭଲ ଭଲ ପ୍ରକାଶନ ସଂସ୍ଥାର ଓଡ଼ିଆ ପୁସ୍ତକକୁ ଉପେକ୍ଷା କରାଯାଇ; ନିଜ କର୍ମଚାରୀ, ନିଜ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ଅନାମଧ୍ୟେୟ ପ୍ରକାଶନ ସଂସ୍ଥା ଗଠନ କରି, କଟକର ଏକ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥାର ସର୍ବାଧିକ ଅନାମଧ୍ୟେୟ ଓ ଛାତ୍ର ଅରୁଚି ପୁସ୍ତକ ମନୋନୀତ ହୋଇ ନ ଥା’ନ୍ତା ।

ଏହି ବହି କାହା ପାଇଁ? :

ରାଜ୍ୟର ୩୫୦୦ ବିଦ୍ୟାଳୟକୁ ଓଡ଼ିଆ ବହି କିଣି ପ୍ରଦାନ କରିବା ପଛରେ ସରକାରଙ୍କର ମହତ ଉଦ୍ଦେଶ୍ୟ ଥିଲା ଯେ, ବିଦ୍ୟାଳୟରେ ପୂର୍ବରୁ ଥିବା ପାଠାଗାର ଆନ୍ଦୋଳନକୁ ସକ୍ରିୟ କରିବା, ପିଲାଙ୍କ ମଧ୍ୟରେ ପଢ଼ିବା ପିପାସା ବୃଦ୍ଧି କରାଇବା ତଥା ଓଡ଼ିଆ ଲେଖା ଓ ଲେଖକଙ୍କ ସହ ପରିଚିତ ହେବା । ମାତ୍ର ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ହେଉ, ସାମାନ୍ୟ ଅବହେଳାର ସୁଯୋଗ ନେବାକୁ ଭୁଲିଲେ ନାହିଁ ଏଠି ଛକି ବସିଥିବା ଗୋତ୍ରମାରୁ ଓଡ଼ିଆ କଙ୍କଡ଼ା ଦଳ । ସେମାନେ ଓଡ଼ିଶାର କେତେକ କଳୁଷିତ ପ୍ରକାଶନ ସଂସ୍ଥାଙ୍କ ପ୍ରଲୋଭନକୁ ଗ୍ରହଣ କରି ବିକ୍ରି ହୋଇପାରୁ ନ ଥିବା ଗୁଡ଼ିଏ ଅବୋଧ୍ୟ ପୁସ୍ତକ ତାଲିକା କରି ପକାଇଲେ । ପୁସ୍ତକ ମନୋନୟନ ବେଳେ ଏମାନେ କୋମଳମତି ପିଲାଙ୍କ ମାନସିକତାକୁ, କିମ୍ବା ବିଦ୍ୟାଳୟଗୁଡ଼ିକର ଭୌଗୋଳିକ