ପୃଷ୍ଠା:Jati, Jagruti o Pragati.pdf/98

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୯୯
ଆଗେଇ ନେବାର ଦୃଢ଼ ଇଚ୍ଛାରେ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କ ସାହାଯ୍ୟରେ କଲିକତାରୁ କଲେଜସ୍ତରୀୟ ଶିକ୍ଷା ଗ୍ରହଣ କରିସାରିବା ପରେ ଚୁକ୍ତି ଅନୁଯାୟୀ ଯେତେବେଳେ ତାଙ୍କୁ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ କୁହାଗଲା, ସେତେବେଳେ ସେ ରୋକ୍‌ଠୋକ ମନା କରିଦେଲେ ଏବଂ କଲିକତାରେ ଚଳିବାପାଇଁ ଟିଉସନ ଆରମ୍ଭ କଲେ । ସେ ସମୟରେ ବିଶିଷ୍ଟ ଶିକ୍ଷାବିତ୍, କଲିକତା ବିଶ୍ୱଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଆଶୁତୋଷ ମୁଖାର୍ଜୀଙ୍କୁ ପାଇଥିଲେ ଛାତ୍ର ରୂପେ ତାଙ୍କର ଘରୋଇ ଶିକ୍ଷକ ଭାବରେ ଶିକ୍ଷକତା କରି । ତଥାପି ଅର୍ଥର ଅଭାବ ପୂରଣ ନ ହେବାରୁ ‘ସହଜ ଇଂରେଜୀ ଶିକ୍ଷା’ ବହି ମୁଦ୍ରଣ କରି ବିକ୍ରି କରିବା ଆରମ୍ଭ କଲେ । ପରେ ଆଇନ୍ ଶିକ୍ଷା ସମାପ୍ତ କରି ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କଲେ । ଜାତିରେ ଖ୍ରୀଷ୍ଟିୟାନ, ମୁହଁରେ ବଙ୍ଗଳା ଭାଷାଥିବା ‘ମଧୁ ଉଡେ’ ଘର, ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ ମଧ୍ୟ ମାଟିର ମୋହକୁ ଏଡେଇ ପାରି ନ ଥିଲେ । ଏହି ସମୟରେ ଓଡ଼ିଶା ମାଟିରେ ବଙ୍ଗାଳୀଙ୍କ ଚକ୍ରାନ୍ତ, ନୂଆ ଭାବରେ ଗଠିତ ହୋଇଥିବା ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କ ପ୍ରାଦୁର୍ଭାବ ତଥା ନୀରିହ ଓଡ଼ିଆଙ୍କ ଦୁଃଖମୟ ସ୍ଥିତିକୁ ଆଉ ଦେଖି ନ ପାରି ସେ ଫେରି ଆସିଥିଲେ ଓଡ଼ିଶାବାସୀ ଆଉ ଓଡ଼ିଆମାଟିର ସେବା କରିବାପାଇଁ । ଯେତେବେଳେ ସେ କଟକର କିଲଟରୀ ହତାରେ ପାଦ‌ଦେଲେ, ସେତେବେଳେ ତାଙ୍କୁ ବସିବାପାଇଁ କୋଉ ଓଡ଼ିଆ କିମ୍ବା ବଙ୍ଗାଳୀ ଓକିଲଗଣ ସ୍ଥାନ ଟିକିଏ ଦେଇ ନ ଥିଲେ । ନିଜର ବୁଦ୍ଧିବଳରେ ସେ କେବଳ ସେଠାରେ ସ୍ଥାନ ପାଇଲେ, ତା’ ନୁହେଁ ବରଂ କେତୋଟି ମାତ୍ର ଦିନ ପରେ ସମଗ୍ର ଓଡ଼ିଆ ଜାତିଙ୍କ ହୃଦୟରେ ସ୍ଥାନ ପାଇଗଲେ । ସେହି ସମୟରେ ଛିନ୍ନ ବିଚ୍ଛିନ୍ନ ହୋଇଥିବା ଓଡ଼ଶାର ବିଭିନ୍ନ ଅଞ୍ଚଳକୁ ଏକାଠି କରିବାକୁ ସେ ଉକ୍ରଳ ସମ୍ମିଳନୀ ନାମକ ଯେଉଁ ଛୋଟିଆ ବୃକ୍ଷଟିଏ ଲଗାଇଥିଲେ, ସେ ବୃକ୍ଷଟି ବୃଦ୍ଧି ପାଇ ପରବର୍ତ୍ତୀ କାଳରେ ତାଙ୍କୁ ସିନା ଘଉଡ଼ାଇ ଦେଲା, ମାତ୍ର ଗୋଟିଏ ଜାତିକୁ ଭାଷା ଭିତ୍ତିରେ ଏକାଠି କରିବାରେ ଏହି ବୃକ୍ଷ ରୂପକ ଅନୁଷ୍ଠାନଟି ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ତାହା ଅନ୍ୟତ୍ର ଦେଖିବାକୁ ବିରଳ । ଏହି ମଧୁବାବୁଙ୍କ ଉଉ୍ୟମ ଯୋଗୁଁ ୭୨ ବର୍ଷ ୯ ମାସ ତଳେ ଓଡ଼ିଆ ଜାତିକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ମାଧ୍ୟମରେ ଓଡ଼ିଶାର ଆତ୍ମପରିଚୟ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ, ମୁହଁରେ ବଙ୍ଗଳା କହୁଥିଲେ ମଧ୍ୟ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ଧର୍ମ, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ସ୍ୱାଭିମାନର ସୁରକ୍ଷାପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ତାଙ୍କରି ମାନସ ପ୍ରସୂତ ସ୍ୱାୟତ୍ତଶାସନ ବ୍ୟବସ୍ଥା ଆଜି ଭାରତୀୟ ଗଣତନ୍ତ୍ରର ଏକ ସୁଦୃଢ଼ ସ୍ତମ୍ଭ । ସର୍ବପ୍ରଥମେ ତାଙ୍କଦ୍ୱାରା ପ୍ରଚଳିତ କୁଟୀରଶିଳ୍ପର ବିକାଶ ଓ ସ୍ୱଦେଶୀ ଆନ୍ଦୋଳନ ମହାତ୍ମାଗାନ୍ଧୀଙ୍କର ହୋଇଯାଇଥିଲା ଦିବ୍ୟ ଅସ୍ତ୍ର । ଯାହାକୁ ଗ୍ରହଣ