ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ତିକ୍ତ ସୀମାନ୍ତରେ ମୁଁ ଝରା ଶେଫାଳି
ତୁମ ପ୍ରେମ ପୁଷ୍ପବନେ
ଝରିପଡ଼େ ନୀତି କରି କରି ନିବେଦନ
ପୂଜା ପାଇବାକୁ ତୁମ ମନେ ।
ନିରାଶ ହୋଇ ଝଡ଼ିଯାଏ ସିନା
ପ୍ରେମ ମୋର ନଝଡ଼େ
ସବୁଦିନ କରେ ଅପେକ୍ଷା ତୁମକୁ
ପାହାନ୍ତାରେ ସ୍ୱପ୍ନ ଭାଙ୍ଗିପଡ଼େ ।
ଅପରିମିତ ମୋ ପ୍ରେମର ଗଭୀରତା
ନୁହେଁ ଏ ନଶ୍ୱର
ଶାଶ୍ୱତ, ଅନାବିଳ ଏ ଭାବ
ନୈସର୍ଗିକ ଲିପ୍ସା ହୃଦୟର ।
ତଥାପି ଅନ୍ତର କନ୍ଦରେ ଉତ୍ତପ୍ତ ଆଶା
ପାରିବି ଜିତି ମୁଁ ଦିନେ
ଏହି ଆକାଙ୍କ୍ଷାରେ ପ୍ରତିଦିନ ଜିଏଁ
ଝଡ଼ିବାରେ ନାହିଁ ଦୁଃଖ ମନେ ।
୧୨