ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସୁରୂଜ ଜଳେ ଉତ୍ତାପେ ବିଞ୍ଚିବାକୁ ରଶ୍ମି ଗୁଚ୍ଛ
ବିନା ସ୍ୱାର୍ଥରେ ନିଜକୁ ଜାଳି ବାଣ୍ଟେ ଜୀବନ ଉତ୍ସ
କାହିଁ ସେ ତ କରିନି କେବେ ଅଭିମାନ?
ନିଜର ସର୍ବସ୍ୱ ହାରି ବଞ୍ଚାଏ ବୃକ୍ଷ ଏ ଜଗତ
ଅମୃତରେ ଭରି ଦିଏ ମୃତ୍ୟୁଞ୍ଜୟ ମନ୍ତ୍ର
କାହିଁ ସେ ତ କରିନି କେବେ ଅଭିମାନ?
ଯାଯାବର ବାଟୋଇ ସାଜି ବହେ ଅଙ୍କାବଙ୍କା ହୋଇ
କେତେ କୋଟି ପ୍ରାଣ ବଞ୍ଚାଏ ଜଳପାନ କରାଇ
କାହିଁ ସେ ତ କରିନି କେବେ ଅଭିମାନ?
ନିଜ ବକ୍ଷରୁ ଅମୂଲ୍ୟ ରତ୍ନକୁ ବାଣ୍ଟି ଜନ ହିତେ
ନିଜକୁ କରି ଫୁଙ୍ଗୁଳା ଦୃଢ଼େ ରହେ ପର୍ବତ ସତେ !
କାହିଁ ସେ ତ ଦିନେ କରିନି ଅଭିମାନ?
କିନ୍ତୁ ଏ ମନୁଷ୍ୟ ସବୁ କରି ହାସଲ ନିଜ ସ୍ୱାର୍ଥେ
ବୋଲାଇ ନିଜକୁ ଶ୍ରେଷ୍ଠ ଲୁଣ୍ଠି ଅନ୍ୟକୁ ଉପାର୍ଜନ ଅର୍ଥେ
କାହିଁ ପାଇଁ ଦେଖାଏ ଏତେ ଗର୍ବ ଆଉ ଅଭିମାନ?
୧୯