ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପ୍ରେମ ଜୀବନର ମଧୁରତା, ଈଶ୍ୱରଙ୍କ ଏକ ଦାନ
ନଥାଏ ସଭିଁଙ୍କ ଭାଗ୍ୟରେ, ସେଥିପାଇଁ ସେ ଯେ ପୁଣ୍ୟ ।
ନାହିଁ ପ୍ରେମର ପରିଭାଷା, କେବଳ ସେ କଳ୍ପନା
ଯେବେ ହୁଏ ତା’ର ଆଗମନ, ପାଦ ହୁଏ ଆନମନା ।
ହୃଦୟେ ଖେଳେ ସିହରଣ, ଦୁନିଆ ଲାଗେ ରଙ୍ଗଭରା
ଶ୍ରାବଣ- ବସନ୍ତ ଋତୁ ନୁହେଁ, ଲାଗେ ସତେ ପ୍ରେମ ଝରା ।
ପୁଲକରେ ସେ ଭରିଦିଏ, କେତେ ଆଶା ଦେଖେଇ
ଫଗୁଣ ସତେ ରଙ୍ଗ ବୋଳେ ପ୍ରଜାପତି ଦିଏ ଛୁଇଁ ।
ପୁଣି କେବେ ପ୍ରେମ ଦଗାଦିଆ, କରେ ପ୍ରତାରଣା
ମରୀଚିକା ସାଜି ଧୋକା ଦେଇ କରେ ବାଟବଣା ।
ସବୁ ସ୍ୱପ୍ନ କରିଦିଏ ଚୁନା, ଓଠରୁ ଲିଭାଇ ହସ
ନିରୀହ ଆଖିକୁ ଦିଏ ଦଣ୍ଡ, କି ଅବା ତା’ର ଦୋଷ ।
କାହା ପାଇଁ ପ୍ରେମ ମହୁଫେଣା କାହା ପାଇଁ ସେ ବିଷ
ଭାଗ୍ୟବାନ ସେଇ ଏକା ଯେ ପ୍ରେମରେ ହେଇଛି ଶେଷ ।
୪୩