ପୃଷ୍ଠା:Kapata Pasha.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

{{c|

ଅଷ୍ଟମ ଛାନ୍ଦ

ସଙ୍ଗମ ତିଆରି ବାଣୀ

ଏଥୁ ଅନନ୍ତରେ ଶୁଣ ଦିବ୍ୟ ବଚନ । ଦୌପଦୀ ଡ଼ାକିରେ ରଖ ଶ୍ରୀ ଭଗବାନ ।୧। ତୁମ୍ଭେ ନ ରଖିଲେ ମୁଁ ଯେ ହେଲି ଅନାଥ । ରଖ ରଖ ଜଗନ୍ନାଥ ଦୁଃଖୀ ସଙ୍ଗାତ ।୨। କୁରୁ ସଭାତଳେ ମୋର ଯାଉଛି ମାନ । ଏତେବେଳେ ରକ୍ଷାକର ଦୁଃଖ ନାଶନ ।୩। ଲଗାଇଲେ ପାଦପଦ୍ମ ତଳରେ ଧ୍ୟାନ । ଦ୍ୱାରକାରେ ଜାଣିଲେ ତା ଶ୍ରୀ ଭଗବାନ ।। ସତ୍ୟଭାମା ସଙ୍ଗେ ପଶା ଖେଳନ୍ତି ହରି । ଦୌପଦୀର ଡାକ ପ୍ରଭୁ ଶ୍ରବଣ କରି ।। ରଖିଲୁ ରଖିଲୁ ଆମ୍ଭେ ବୋଲି ବୋଇଲେ । ଆଜାନୁ ଲମ୍ବିତ ଭୁଜ ବେଗେ ଟେକିଲେ ।। ସତ୍ୟଭାମା ବୋଲୁଛନ୍ତି କୃଷ୍ଣଙ୍କୁ ଚାହିଁ । କେଉଁଠାରେ କାହାକୁ ରଖିଲ ଗୋସାଇଁ ।। ପଞ୍ଜୁଆତି ଦାନ ମୋର ପଡ଼ିଛି ସାର । କାହାକୁ ରଖିଲ କ‌ହ ପ୍ରାଣଈଶ୍ୱର ।। ଗୋବିନ୍ଦ ବୋଇଲେ ପଶାଖେଳ ନୁହଇ । ଦୌପଦୀ ଡାକିଲେ କୁରୁସଭାରେ ଥାଇ ।। ଦୁର୍ଯ୍ୟୋଧନ ସଙ୍ଗେ ଧର୍ମ ପଶା ଖେଳିଲେ । ଅବିବେକ ପଣେ ଦୌପଦୀଙ୍କ ହାରିଲେ ।। ବିବସ୍ତ୍ର କରୁଛି ତାଙ୍କୁ ଦୁଃଶା ପାମର । ଦୌପଦୀ ଡାକିଲେ ମୋତେ ରଖ ଠାକୁର ।। ସତ୍ୟଭାମା ବୋଇଲେ ଏ ମିଥ୍ୟା ବଚନ । ହସ୍ତିନାକୁ ଦ୍ୱାରକା ଯେ ଲକ୍ଷେ ଯୋଜନ ।। ଏତେ ଦୂରେ କି ପ୍ରକାରେ ଶୁଭିଲା ଡାକ । ମିଛେ ମୋତେ ଭଣ୍ତାଉଛ ପ୍ରାଣନାୟକ ।। ଯେବେ ଦୌପଦୀର ତୁମ୍ଭେ ହୋଇଛ ସାହା । ମୋ ମନେ ପରତେ ନୁହେଁ ଦେଖାଅ ତାହା ।। ଗରୁ‌ଡ଼କୁ ଧ୍ୟାନ କଲେ ଋକ୍ମଣୀ ନାହା । ରମ୍ୟକ ଦ୍ୱୀପରେ ପକ୍ଷୀ ଜାଣିଲା ତାହା ।। ଗରୁଡ଼ ବୋଲଇ ତାର ପତ୍ନୀକୁ ଚାହିଁ । ଅମୃତ ଭୋଜନ ମୋତେ ପିତା ଲାଗଇ ।। ମଦନ ବୋଲଇ ଶୁଣ ପ୍ରାଣ ଈଶ୍ୱର । ପ୍ରମାଦ ପଡ଼ିଲା ଅବା ଦ୍ୱାରକାପୁର ।। ଶୁଣିକରି ଖଗବର ବେଗେ ଅଇଲା । ଲକ୍ଷେକ ଯୋଜନ ଡେଣା ବିସ୍ତାରି ଦେଲା ।। ଗୋବିନ୍ଦ ସୁମରି ପକ୍ଷୀ ଗଲାକ ଚଳି । କ୍ଷଣକ ଭିତରେ ଯାଇ ଦ୍ୱାରକା ମିଳି ।। ଆସ୍ଥାନ ଉପରେ ବସିଛନ୍ତି ଗୋସାଇଁ । ପଦ୍ମ‌ପାଦ ତଳେ ପକ୍ଷୀପଡ଼ିଲା ଯାଇ ।। ଉଠ ଉଠ ବୋଲି ପ୍ରଭୁ ଧଇଲେ ତୋଳି । ଦେଖିଣ ହରଷ ଶତ୍ରାଜିତ ଦୁଲାଳି ।। ଗରୁଡ଼ ବୋଲଇ କିମ୍ପା କଲ ସ୍ମରଣ । କି କାର୍ଯ୍ୟ କରିବି କ‌ହ ଲକ୍ଷ୍ମୀରମଣ ।। ଗୋବିନ୍ଦ ବୋଇଲେ ବାବୁ ପିଠି ବିସ୍ତାର । ଆମ୍ଭଙ୍କୁ ଘେନିଣ ଯିବୁ ହସ୍ତିନାପୁର ।।