ପୃଷ୍ଠା:Kapata Pasha.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅତି ଲଜ୍ଜାଭରେ ନୃପତି ସଭାରେ ତଳେ ଛନ୍ତି ପାଞ୍ଚଭାଇ ।
ଭୀଷ୍ମ,ଦ୍ରୋଣ‌ଗୁରୁ,କର୍ଣ୍ଣ ସଙ୍ଗେ ମାନ‌ଗୋବିନ୍ଦ ବସି ଅଛଇ ।।
ଶୀଘ୍ର କରି ଦୁଃଶାସନ ମୁଖ ଚାହିଁ ଆଜ୍ଞାଦେଲା କୁରୁରାଣ ।
ବାରୁଣାବନ୍ତକୁ ଯାଇଁ ଦ୍ରୋପଦୀର କେଶ ଧରି ବେଗେ ଆଣ ।।
ହୋଇ ଏକନାରୀ ପଞ୍ଚଭର୍ତ୍ତା କରି ଦୋଲାଉଛି ମହାସତୀ ।
କେଡ଼େ ଶୋଭାବନ ଦେଖୁ ସର୍ବଜନ ଘେନିଆସ ମୋର କତି ।।
ଦୁର୍ଯ୍ୟୋଧନ ବାଣୀ ଦୁଃଶାସନ ଶୁଣି ଧାଇଁଲା ଅତି ପ୍ରଖର ।
ବୋଲେ ଭୀମା ହୀନ ପ୍ରବେଶ ହୋଇଲା ବାରୁଣାବନ୍ତ ନ‌ଗର ।।

ତୃତୀୟ ଛାନ୍ଦ

ରାଗ—ଚୋଖି

ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନ‌ଗର
ହସ୍ତିନାକୁ ଦ୍ୱାଦଶ ଯୋଜନ ଅଟଇ ।
ପବନ‌ହୁଁ ଖରତର ଧାଇଁଲା ସେ ଦୁଃଶା ବୀର
ପ୍ରବେଶ ହେଲା ବାରୁଣାବନ୍ତରେ ଯାଇ ।
ପାଦଘାତେ ମ‌ହୀ ଚମକେ ।
ଆରେ ଆରେ ପାଣ୍ତବାରେ ବୋଲିଣ ଡାକେ ।୧।

ଭୟ ପାଇ ନ‌ଗ୍ର ଲୋକେ ପଳାଇଣ ଗଲେ ଥୋକେ
ସିଂହହାରେ ଦୁଃଶାସନ ପଶିଲା ଠେଲି ।
ଦ୍ୱାରେ ଦ୍ୱାରୀମାନେ ଥିଲେ କୁନ୍ତୀଙ୍କ ଆଗେ କ‌ହିଲେ
ଦୁର୍ଯ୍ୟୋଧନ ଭ୍ରାତା ଦୁଃଶା ଆସୁଛି ପେଲି ।
ଶୁଣି କୋନ୍ତଭୋଜ କୁମାରୀ ।
ଯାଇଁ ସିଂହଦ୍ୱାର ମାଡି ବସିଲେ ନାରୀ ।୨।

କୁନ୍ତୀ ବୋଇଲେ ରେ ବାବୁ ରହ ରହ କଥା ସବୁ
ପଚାରିବା କିପାଁ ତୁହି ଭିତରେ ପଶୁ ।
ସିଂହର ଭୁବନେ ଆସି ଶୃଗାଳ ପଶଇ ଝାସି
କ‌ହ ଏ ଚରିତ ମନୁ ସଂଶୟ ନାଶୁ ।
ଦୁଃଶା କର ଯୋଡି ଜଣାଏ
ମନ୍ଦକୃତ୍ୟ କଲେ ମାଗୋ ତୁମ୍ଭର ପୋଏ ।୩।

ଯୁଧିଷ୍ଠି ହସ୍ତିନା ଗଲେ ମାନ‌ଗୋବିନ୍ଦର ତୁଲେ
ପଶାଖେଳ ରସେ ମାତି ହୋଇଲେ ଭୋଳ ।
ରାଜ୍ୟ ଦଣ୍ତସିଂହାସନ ନ‌କୁଳ ଭୀମ ଅର୍ଜୁନ
ଦ୍ରୌପଦୀ ସ‌ହିତେ ପୀଢ଼ କଲେ ସକ‌ଳ ।
ହାରିଲେ ସେ ଧର୍ମଙ୍କ ସୁତ
ଜିଣିଲେ ମା‌ନ‌ଗୋବିନ୍ଦ ଶୁଣ ଗୋ ମାତ ।୪।

ଆଜ୍ଞା ମୋତେ ଛନ୍ତି ଦେଇ ରାଜା ଭାନୁମ‌ତୀସାଇଁ
ଦ୍ରୌପଦୀର କେଶ ଧରି ଘେନି ମୁଁ ଯିବି ।
ଆଗୋ ମାତଃ ଛାଡ଼ ଦ୍ୱାର ଯିବଇ ଭିତର ପୁର
ଉଛୁର ହୋଇଲେ ପରାଭବ ପାଇବି ।
କୁନ୍ତୀଦେବୀ ପୁଛିଲେ ସବୁ ।
କେଉଁ ପୀଢ଼େ ଦୌପଦୀକି ହାରିଲେ ବାବୁ ।୫।