ପୃଷ୍ଠା:Kapata Pasha.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦୁଃଶାସନ ବୋଲେ ମାତ ପ୍ରଥମେ ଧର୍ମଙ୍କ ସୁତ
ହାରିଲେ ସପତଘର ଧନ ଭଣ୍ତାର ।
ଦ୍ୱିତୀୟରେ ପୀଢ଼ କରି ଦଣ୍ତସିଂହାସନ ହାରି
ତୃତୀୟେ ହାରିଲେ ତୁମ୍ଭ ଭୀମ କୁମର ।
ଚତୁର୍ଥେ ହାରିଲେ ଅର୍ଜୁନ ।
ପଞ୍ଚମେ ହାରିଲେ ମାଗୋ ମାଦ୍ରୀ ନନ୍ଦନ ।୬।

ଷଷ୍ଠବେଳେ ପୀଢ଼କରି ହାରିଲେ ଦ୍ରୋପଦୀ ନାରୀ
ସପ୍ତବେଳେ ହାରି ଅଙ୍ଗ ହେଲେ ମଉନ ।
କୁନ୍ତୀ ବୋଇଲେ ଦ୍ରୋପଦୀ ପ୍ରଥମ ବିବାହୀ ସତୀ
ପ୍ରଥ‌ମ‌ ପୀଢେ ହାରିଲେ ନିଅନ୍ତ ପୁଣ ।
ଭାଇ ଭାଇ କରିଛ ଗୋଳ ।
ଏ ଛାର କଥାକୁ ଦୁଃଶା କରୁ କଟାଳ ।୭।

ସୋଦରେ ସୋଦରେ ପୂଣ ହେଉଛନ୍ତି ହଣାହଣି
କ‌ହ ଦ୍ରୋପଦୀ କି ଦୋଷ କରିଛି ତ‌ହିଁ ।
ଶୁଣି କରି ଦୁଃଶାସନ ବୁଲାଇ ବେନିନୟନ
ଆଡ଼ ହୁଅ ବୋଲି କୁନ୍ତୀ ଦେବୀଙ୍କୁ କ‌ହି ।
ଠେଲି କରେ ଦେଲା ପକାଇ ।
କବାଟ କଣରେ ଦେବୀ ପଡିଲେ ଯାଇଁ ।୮।

କୁନ୍ତୀ ଡାକ ଦେଲେ ହରି ଆହେ ଶଙ୍ଖ ଚକ୍ରଧାରୀ
ଦ୍ୱାରକା ଛାଡି କି ନିଜ ଧାମ‌କୁ ଗଲ ।
କେତେ କେତେ ଶଙ୍କଟରୁ ରଖିଛ ମୋହ ପୁତ୍ରଙ୍କୁ
ଏବେ ଯୁଧିଷ୍ଠିରଠାରେ ଦୟା ଛା‌ଡିଲ ।
ପଞ୍ଚପୁତ୍ର ମଲେ କି ମୋର ।
ଥିଲେ କିପାଁ ଦୁଃଶସନ ପଶନ୍ତା ଘର ।୯।

କୁନ୍ତୀ ଉଚ୍ଚେ କଲେ ହୁରି
ଦ୍ରୁପଦ ରାଜକୁମାରୀ ସୁଭଦ୍ରାଙ୍କୁ ଘେନି ଯାଇଁ ଭିତରେ ପଶ ।
ବଳତ୍କାରେ ଦୁଃଶାସନ ପଶିଲା ଆମ୍ଭ ଭବନ
ଗୁପତଭାବରେ ରହି ହୁଅ ଅଦୃଶ୍ୟ ।
ତାହା ଶୁଣି ସୁଭଦ୍ରାଦେଈ ।
ଚନ୍ଦ୍ରଶାଳା ପୁରେ ବେଗେ ଲୁଚିଲେ ଯାଇଁ ।୧୦।

ଦ୍ରଉପଦୀ ଭୟ ପାଇ ଆକୁଳେ ଅଙ୍ଗ ଥରଇ
ତରତର ହୋଇ ଉଠି ଗଲେ ପଳାଇ ।
କେଶପାଶ କଟିବାସ ଫିଟିବ‌ହେ ଖରଶ୍ୱାସ
ରୋଷାଇଶାଳ ମଧ୍ୟରେ ଲୁଚିଲେ ଯାଇଁ ।
ବ୍ୟାଧ ଭୟେ ଯେହ୍ନେ ମୃଗୁଣୀ ।
ଚଞ୍ଚଳନୟନ ମୁଖୁ ନ ସ୍ଫୁରେ ବାଣୀ ।୧୧।

ପୁରେ ପୁରେ ଦୁଃଶାସନ ଖୋଜଇ ସର୍ବଭୁବନ
ନେତ୍ରପୁର ବାସପୁର ଡାଳିମ୍ବପୁର ।
ଝୀନପୁର ରତ୍ନପୁର କଉସ୍ତୁଭ ମଣିପୁର
ଇନ୍ଦ୍ର ଅବକାଶପୁର ଖୋଜଇ ବୀର ।
ଯୁଧିଷ୍ଠିର ଶୁଅନ୍ତି ଯେ ପୁରେ ।
ଇନ୍ଦ୍ରପୁର ସମନୋହେ ତାକୁ ଲକ୍ଷରେ ।୧୨।

ଚାରି ତ୍ରୋଶ ଦୀର୍ଘ ପ୍ରତି ଅଟଇ ସେ ପୁର-ସ୍ଥିତି
ହୀରା ନୀଳା ଖଞ୍ଜାଅଛି ଅଷ୍ଟରତନ ।
କ୍ଷୁଦ୍ର ମୋତି କେରା ୨ ଲମ୍ବିଛି ମୁକୁତା ଝରା
ପ୍ରବାଳର ସ୍ତମ୍ଭ ହୋଇଅଛି ଶୋଭନ ।
ଦିବ୍ୟ ପାଟବସ୍ତ୍ର ଚାନ୍ଦୁଆ ।
ମର୍କତ ଚାମରମାନ ଲମ୍ବିଛି ନୂଆ ।୧୩।