ସେ ପୁରରେ ଦୁଃଶାସନ ନ ପାଇ ଦ୍ରୌପଦୀ ଚିହ୍ନ
ବିସ୍ମୟ ହୋଇ ବହନ ଲେଉଟି ଆସେ ।
ଖୋଜି ନ ପାଇଣ ଭେଟ ରୋଷାଇଶାଳ ନିକଟ
ଆଣ୍ଠୁ ଭରା ଦେଇ ଚାହେଁ ଚାରି ପାରୁଶେ ।
ପୂର୍ବଦିଗେ ଉଦେ କି ଭାନୁ ।
ସେହିମତେ ଦିଶୁଅଛି ଦ୍ରୌପଦୀ ତନୁ ।୧୪।
ଦେଖିଣ ଦୁଃଶା ଚକିତ ବୋଲଇ କି ଦୀନ ନାଥ
ଆକାଶକୁ ଛାଡ଼ି ଆସି ଏଥି ରହିଲା ।
କି ଅବା ରାହୁର ଭୟେ ଶଶଧର ଏଥି ରହେ
କେବଣ ଚରିତ ମୋତେ ଜଣା ନ ଗଲା ।
ପୁଣି ଗଲା ପହଣ୍ତେ ପେଲି[୧] ।
ନିକଟେ ଜାଣିଲା ବୀର ଦ୍ରୌପଦୀ ବୋଲି ।୧୫।
ଶୁଣ ହେ ସୁଜନ ଜନ ମୁଁ ଛାର ପାମର ହୀନ
କହିବାକୁ ଯୋଗ୍ୟ ନିକି ମହାଭାରତ ।
ଅର୍ଥକୁ ଅର୍ଥ ମିଶାଇ ପଦକୁ ପଦ ପକାଇ
ଛାନ୍ଦ ପ୍ରତିବନ୍ଧରେ ମୁଁ କଲଇଁ ଗୀତ ।
ସାଧୁଜନେ ନ ଘେନ ଦୋଷ ।
କହେ ଦୀନ[୨] ଭୀମା କୃଷ୍ଣ ଚରଣେ ଆଶ ।୧୬।
ଚତୁର୍ଥ ଛାନ୍ଦ
[ରାଗ-ରଣବିଜେ ହରିଚଉତିଶା ବାଣୀରେ]
କର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ ଶୁଣ ଜନେ କୃଷ୍ଣରସ ,
କଳାକର ମୟ ଅନ୍ଧାର ପରାୟ ଦ୍ରୌପଦୀ-ଦୁଃଖ ବିନାଶ ହେ ।
ଶୁଣ,ଭଜ ନିରତେ ପଦ୍ମଚରଣ ହେ ।
ଫେଡ଼ ଦ୍ରୌପଦୀର ଏ କଷଣ ହେ ।
ତୁମ୍ଭ ବିନା ନାହିଁ ପରିତ୍ରାଣ ହେ ।୧।
ରୋଷାଇ ଶାଳରେ ଦୁଃଶାସନ ବୀର
ଦ୍ରୌପଦୀ ଦେଖିଲେ ପାଇ ।
ତାହାଙ୍କର କେଶ ଧରିବ ବୋଲିଣ
ହସ୍ତକୁ ଦେଲା ବଢାଇ ସେ ବୀର ।
ଦେବୀ ଦ୍ରୌପଦୀ ଦେଲେ ଉତ୍ତର ରେ ।
ଦୁଃଶା ନ ଛୁଁଅ ଅଙ୍ଗ ମୋହର ରେ
ପାକାସ୍ପରଶ ମୋହ ଶରରୀ ରେ ।
ଏଥି ଛୁଁଇଲେ ଦୋଷ ଅପାର ରେ ।୨।
ମୂର୍ଖ ଦୁଃଶାସନ ବୋଲଇ
ବଚନ ନିର୍ଲ୍ଲଜ୍ଜି ହୋଇଲୁ ବାଇ ।
ମିଛେ ରଜୋବତୀ ବୋଲିଣ ଯୁବତୀ
ମୋତେ ଲୋଡ଼ୁଛୁ ଭଣ୍ତାଇ ଗୋ ।
କହ । କେଉଁ ଦୋଷ ଛୁଇଁଲେ ତୋ ଦେହ ଗୋ ।
ମୋତେ ଲାଗିଲା ବଡ ସନ୍ଦେହ ଗୋ ।
ଆଜ କାହିଁ ଯିବୁ ରହ ରହ ଗୋ ।୩।
ଦ୍ରୌପଦୀ ବୋଇଲେ ପ୍ରଥମ ଦିନରେ
ରଜୋବତୀ ଯେବେ ହୋଇ ।
ସେ ଦିନ ପୁରୁଷ ସ୍ତିରୀକି ଛୁଇଁଲେ
ଲିଙ୍ଗଭଗ୍ନ ଦୋଷ ପାଇ ରେ ,ବୀର ।
ଏବେ ଶୁଣ ଦ୍ୱିତୀୟ ଦିନର ।
ଅଙ୍ଗ ଛୁଇଁଲେ ରଜସ୍ୱଳାର ରେ।
ଗୁରୁହତ୍ୟା ଦୋଷ ହୁଏ ତାର ଯେ ।୪।
ତୃତୀୟ ଦିନରେ ନାରୀକି ଛୁଇଁଲେ ବ୍ରହ୍ମହତ୍ୟା ଦୋଷ ପାଇ ।