ପୃଷ୍ଠା:Kathalahari (RN Das, 1927) opt.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ଉତ୍କଳ କାହାଣୀ ସଂଗ୍ରହ ।

ଗୋଟିଏ ଦେଶରେ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ,କଟୁଆଳ ପୁଅ ଏ ଚାରି ସଙ୍ଗାତ । ଦିନକର ଚାରିହେଁଯାକ ବିଚାର କଲେ ବିଦେଶ କରିଯିବା, ଗୋଟିଏ ଘୋଡ଼ା ଚଢ଼ିଲେ ଗଲେ । ଯାଉ ଗୋଟାଏ ଅସୁରୁଣୀ ଦୁଆରେ ରାତି ହେଲା । ଅସୁରୁଣୀକି କ‌ହିଲେ ମାଉସୀ ଟିକିଏ ଘର ଯେଗାଦେବୁ ? ଅସୁରୁଣୀ ବୁଢ଼ୀ କହିଲା ହଉ ରହ । ଘର ଯେଗା ଦେଲା ରୋଷାଇ କରିବାକୁ ଡ଼ାଲି ଚାଉଳ, ହାଣ୍ଡି, ପରିବା ହେରିକା ସବୁ ଦେଲା । ଏମାନେ ଗୋଟାଏ ଘରେ ରହି ରୋଷାଇ ବାସ କରୁଚନ୍ତି ବୁଢ଼ୀ ଅସୁରୁଣୀ ଆଉ ଗୋଟାଏ ଘରେ ରହି ରୋଷାଇବାସ କରିବାକୁ ଗଲା । ମନ୍ତ୍ରିପୁଅ କାହିଁକି ଦୁଆରକୁ ଯାଇ ଦେଖେ ଯେ ଅସୁରୁଣୀ କଣ କରିଚି ନା ଗୋଟାଏ ଗୋଡ଼ ଚୁଲିକି ମୁହାଁଇ ଦେଇଚି, ଆଉ ଗୋଟାକରେ ପାଣି ଆଣୁଚି, ଚାଉଳ ଧୋଉଚି ଏହିପରି ସବୁ ଘରକାମଦାମ କରୁଚି । ଏ ଯାଇ ଆଉ ତିନି ସଙ୍ଗାତଙ୍କୁ କହିଲା ହେ ସଙ୍ଗାତ ଏ ଅସୁରୁଣୀ ଘରୁଟାଏ, ଚାଲ ଆମର ଏଠାରୁ ଯିବା ବାହାରି । ଚାରିହେଁଯାକ ଆଉ ଖାଇଲେ ନାହିଁ, ପିଇଲେ ନାହିଁ, ରୋଷାଇ ଛାଡ଼ି ଦେଇ ଘୋଡ଼ା ଉପରେ ବସି ଗଲେ ବାହାରି, ବୁଢ଼ୀ ଅସୁରୁଣୀ ଯାଉଁ ଜାଣିଲା ଏମାନେ ଯାଉଛନ୍ତି ବାହାରି ଲଣ୍ତଭଣ୍ତ ହୋଇ ଘରୁ ସୋରିଷ ଦି ସେରେ ଘନି ଆସିଲା, ମନ୍ତ୍ରୀପୁଅ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ଦେଲା, କହିଲା ତୁ ଯେମନ୍ତ ସତ୍ୟଯୁଗର ସୋରିଷ ହୋଇଥିବୁ, ବିଞ୍ଚି ଯାଉଥିବୁ, ଗଛ ଉଠି ଯାଉଥିବ, ଫୁଲ ଫୁଟି ଯାଉଥିବ । ଏହା କହି ଘରକୁ ଆସିଲା ଝିଅମାନଙ୍କୁ ଡାକ ଛାଡ଼ିଲା କୁଆଡ଼େ ଯାଇଚ ଲୋ, କି ସୁନ୍ଦର ଭେଣ୍ଡା ଆଣି ରଖିଥିଲି,