ପୃଷ୍ଠା:Kathalahari (RN Das, 1927) opt.pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୦
ଉତ୍କଳ କାହାଣୀ ସଂଗ୍ରହ ।

ଘର କବାଟରେ ଲାଙ୍ଗୁଡ ମାରିଦେଲା ଯେ, କବାଟ ଫିଟିଗଲା । ରଜ ରାଣୀ ସେ ଘର ଭିତରେ ପଶିଗଲେ, ମା ଗୋଡ଼ତଳେ ବସିଲା, ବାପ ମୁଣ୍ତଉପରେ ବସିଲା, କ‌ହିଲେ ହଜିଥିଲେ ଖୋଜିଦେବୁ ଭାଙ୍ଗିଥିଲେ ଗଢ଼ିଦେବୁଁ,କାହିଁକି ରୁଷିଚୁ କ‌ହ । ରଜାପୁଅ କଥା କହୁ ନ ଥାଏ । ମା ବାପ ଲଗେଇ କେତେବେଳ ସରିକି କଥା କହିଲା । କହିଲା ତେମେ ଦିହେଁ ସତ୍ୟକର, କ‌ହିବି କାହିଁକି ରୁଷିଚି । ମା କହିଲା ମାର ପୁଅର କି ସତ୍ୟ ? ବାପ କହିଲେ ବାପଘର ପୁଅର କି ସତ୍ୟ ? ପୁଅ ଏକଯିଦ୍ ଲଗାଇଲା ଯୋଉଠୁ, ମା ବାପ ସତ୍ୟ କଲେ । ପୁଅ କହିଲା ମୁଁ ସାଧବ ଝିଅକୁ ବିଭା ହେବି । ମା ବାପ କହିଲେ ଆମ ସମାନ ବନ୍ଧୁହେବ,ତୋ ସମାନ କନ୍ୟାହେବ, ତେବେ ଯାଇ ବିଭାକର, ଏ କଥା ଛାଡ଼ି ଆଉ କଣ କହ । ପୁଅ କହିଲା ମୋର ଆଉ କିଛି କଥା ନାହିଁ, ମୁଁ ସାଧବଝିଅକୁ ବିଭା ନ ହେଲେ ପ୍ରାଣହରାଇଦେବି । ରଜା ନାଚାର ହୋଇ ହଁ ଭରିଲେ । ବନ୍ଧୁମାନଙ୍କ ଘରକୁ ନିମନ୍ତ୍ରଣ ଗଲା, ଛାମୁଣ୍ଡିଆ ବନ୍ଧା ହେଲା । ବେଦୀ ତୋଳା ହେଲା; ମହାସମାରୋହରେ ବିଭାଘର ହେଲା । ରଜାପୁଅ ଚଉଠି ଦିନ ରାତିରେ ସାଧବଝିଅ ପାଟତେଣିଆ କାନିରେ କଉଡ଼ି କଡ଼ାଏ ବାନ୍ଧିଦେଇ ତାର ଧାଈସାଙ୍ଗରେ ତାକୁ ଏକ ବନସ୍ତରେ ସୁଆରିରେ ନେଇ ଛାଡ଼ି ଆସିଲା । ସାଧବଝିଅକୁ ନିଦଲାଗିଥାଏ କିଛି ଜାଣିପାରିଲା ନାହିଁ । ନିଦଭାଙ୍ଗିଗଲାରୁ ଦେଖେ ଯେ କେହିନାହାନ୍ତି ଅଗନାଗନ ବନସ୍ତ ଭିତରେ ସେ ଏକା ଆଉ ତା ଧାଈ ଅଛନ୍ତି, କଉଡି କଡ଼ିଏ କାନିରେ ବନ୍ଧା ହୋଇଚି । ତାର ପୂର୍ବକଥା ସବୁ ମନେ ପଡିଲା, ଧାଈକି କିଛି କହିଲା ନାହିଁ, ସେ ବନସ୍ତରେ ଗୋଟିଏ କୁଡ଼ିଆ କରି ରହିଲା । କାନିରେ ଯେଉଁ କଉଡ଼ି କଡ଼ାକ ଥିଲା ତାକୁ ଧାଈକି ଦେଲା ଲିଆ କିଣି ଆଣିବାକୁ । ଧାଈ ଲିଆ ଆଣିଲାରୁ ତାକୁ କହିଲା ନେ ୟାକୁ ବଣ ଭିତରେ ଗୋଟିଏ ପଦା ଯେଗାରେ ବୁଣିଦେ , ମୟୁର ଖାଇକରି ପକ୍ଷି ଝାଡିଦେଇ ଯିବେ । ତ‌ହିଁ ଆର ଦିନ ପକ୍ଷିଗୁଡ଼ିକ