ପୃଷ୍ଠା:Kathalahari (RN Das, 1927) opt.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସାଧବଘର ବୋହୂ କଥା

ସରେ ଦେଇ ଆସିଲା । ଏ ଚାକରକୁ କ‌ହିଲା ସେ ଯୋଉ ସାତ ଜଣ ମରଦ ସାତଜଣ ମାଇପେ ଆସିଛନ୍ତି, ତାଙ୍କୁ ଡାକି ଆଣ; ଚାକର ଡାକି ଆଣିଲା । ଏ କଣ କଲା, ସାତଜଣ ଭଣ୍ଡାରି, ସାତ ଗିନା ତେଲ, ସାତ ଯୋଡ଼ା ପାଟ‌ଯୋଡ଼ ୟାକୁ ସବୁ ସାତ ମରଦଙ୍କପାଇଁ ପଠାଇଲା; ସାତ ମାଇପିଙ୍କ ପାଇଁ ସାତ କାଠୁଆ ହଳଦି, ସାତ ଗିନା ତେଲ ସାତୁଟା ପୋଇଲୀ, ସାତଖଣ୍ଡ ପାଟଶାଢ଼ୀ ପଠାଇଦେଲା । ସେ ସବୁ ଲଗେଇ ପଗେଇ ହୋଇ ଗାଧୋଇ ପାଧୋଇ ଆସିଲେ, ଆଉ ଏ ସାନବୋହୂ ସାନ ପୁଅ ବୋଲି ଜାଣନ୍ତି ନାହିଁ, ମନେ ମନେ ହେଉଥାନ୍ତି ସମସ୍ତେ ଏ ଆମକୁ ଏପରି ସବୁ କାହିଁକି କରୁଚି, ଏ କଣ ଆମକୁ ଆଉ ମାରି ପାଇବ କି? ଏପରି ମନରେ ପାଞ୍ଚି ହେଉଥାଆନ୍ତି । ଯୋଉଠୁଁ ଏମାନେ ଗାଧୋଇ ଆସିଲେ ଦେଖିଲା, ଦିଇଟା ଘରେ ଠା ପିଢ଼ା କଲା, ଶଶୁର ଆଉ ଛ ଦେଢ଼ଶୁରଙ୍କୁ ଗୋଟାଏ ଘରେ ଦେଲା, ଶାଶୁ ଆଉ ଛ ଯାଙ୍କୁ ଆଉ ଗୋଟାଏ ଘରେ ଦେଲା । ସମସ୍ତଙ୍କୁ ଲୁଣ ଦେଇଥାଏ, ଆଉ ଶାଶୁ ଶଶୁରଙ୍କୁ ଲୁଣ ଦେଇ ନଥାଏ । ଯେତେଥର ଆସୁଥାଏ ପରଷିବାକୁ, ତେତେଥର ଭିନ୍ନ ଭଳିରେ ଖଣ୍ଡେ ଲେଖାଁ ପାଟ ପିନ୍ଧି ଆସୁଥାଏ । ଏମାନେ ମନେ କରୁଥାନ୍ତି ଏହା ଘରେ ଏମନ୍ତି କେତେ ବୋହୁ ଅଛନ୍ତି କି ? ଏ ସମସ୍ତଙ୍କୁ ଆଗରେ ପଛରେ ଦେଇ ସାରିଲା, ଫେର କହିଲା ଆଉ କଣ ଦେବି? ଶାଶୁ ଶଶୁର ଆଉ ଏତେକଥା ଜାଣିଛନ୍ତି? କ‌ହିଲେ ଲୁଣ ଦୋଟି ଦେଲ । ଏ ସେତିକିବେଳେ କ‌ହିଲା, କେତେ ଦେବି ଲୁଣ, କି କ‌ହିବି ଏହି ଶାଶୁ ଶଶୁରଙ୍କ ଗୁଣ । ଏହା ଯୋଉଠୁ କ‌ହିଲା, ସମସ୍ତେ ଜାଣିପାରିଲେ, କାନ୍ଦି ଉଠିଲେ; କ‌ହିଲେ ଯାହା କ‌ହିଥିଲା ସେଇଆ ହେଲା । ଆମେ ଯାହା କ‌ହିଥିଲୁ ଆମକୁବି ସେଇଆ ଫଳିଲା । ଏହିପରି କୁହା କୁହି ହେଲେ, ସେଠାରେ ମାସେ ଦିମାସେ ରହିଲେ । ତେଣେ ଅଲଗା ଉଆସ ତୋଳା ହେଲା, ସେମାନେ ସେଥିରେ ରହିଲେ,