ପୃଷ୍ଠା:Kathalahari (RN Das, 1927) opt.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪
ଉତ୍କଳ କାହାଣୀ ସଂଗ୍ରହ

ସୁନ୍ଦର, ସେ ସ୍ତ୍ରୀ କେଡେ ସୁନ୍ଦରୀ ହୋଇ ନ ଥିବ । ଏହିପରି ଝୁରି ୨ ରଜାପୁଅର ଅଉ ଅବସ୍ଥା [୧] ରହିଲା ନାହିଁ, ଖାଲି କଣ୍ଟା ଦୋହଲିଲା । ଅନେକ ବଇଦ ଲାଗିଲେ, ରାଇଜର ଚିକିତ୍ସା ହେଲା; କାହଁରେ କିଛି ଭଲ ହେଲା ନାହଁ । ରଜାପୁଅ ବରାବରି ମଲାସମାନ ହୋଇଗଲା । ବଞ୍ଚିବାରତ ଆଉ ଆଶା ନାହିଁ, ରଜାପୁଅ କହିଲା ମୋର ଭଉଣୀମାନଙ୍କୁ ଡକାଅ ମୁଁ ସେମାନଙ୍କୁ ଦେଖିବି । ଭଉଣୀମାନଙ୍କ ପାଖକୁ ଖବର ଗଲା, ସମସ୍ତେ ଆସିଲେ, ଖାଲି ସାନଭଉଣୀ ଆସିନଥାଏ । ସାନ ଭଉଣୀ ଘର ବହୁତ ଦୂର, ଆସୁ ଆସୁ ବାଟରେ ଗୌଡମାନଙ୍କୁ ଖରା ବରଷା ପାରିବାକୁ ପଡିଲା । ଗୋଟିଏ ଗଛମୂଳେ ସୁଆରିକୁ ଭିଡ଼ି ଦେଇ ଗଉଡମାନେ ଜଳଖିଆ କରିବାକୁ ଗଲେ । ରଜାଝିଅ ସେଇଠି ଥାଏ ସେ ବରଗଛରେ ଗୋଟାଏ ଫୁଲଶୀଗୁଣୀର ବସା । କୋଉଠି ମଢ଼ ପଡ଼ିଥିଲା ଯେ ଶାଗୁଣୀ ଖାଇକରି ଅସିଥାଏ, ପିଲାଙ୍କ ପାଇଁ ଆଣି ନ ଥାଏ ପିଲାଯାକ କେଁକଟର ଇଗାଇ ଥାନ୍ତି, ମା ତୁ ଖାଇଲୁ ଆମ‌ପାଇଁ ଆଣିଲୁ ନାହିଁ, ଶାଗୁଣୀ କ‌ହିଲା ତେମେ ସବୁ କାହିଁକି ସେମିନ୍ତି ହେଉଚ, ରଜାପୁଅ ଏହିକ୍ଷଣି ମରିବ ତେମେ ଆନନ୍ଦରେ ଖାଇବ । ପିଲାଯାକ କ‌ହିଲେ ନାହିଁ ମା ସେ କାହିଁକି ମରିବ, ଆମେ ପଛକେ ନ ଖାଉଁ ସେ ଜୀଇ ଆଊ । ଶାଗୁଣା କ‌ହିଲା ତାକୁ ଆଉ କିଏ ବଞ୍ଚାଇବ ତାରତ ସବୁ ଏମନ୍ତି ୨ କଥା ହେଇଚି, କିଏ ଜାଣିଥାନ୍ତା କି ସେ କାଚ ଖମ୍ବକୁ ଭାଙ୍ଗି ଦିଅନ୍ତା ଯେ ସେ ସାଧବଝିଅ ବାହାରି ପଡ଼ନ୍ତା, ତାକୁ ଦେଖିଲାକ୍ଷଣ ରଜାପୁଅ ଦେହରେ ଜୀବନ ପଶିଯାନ୍ତା । ଏହା ସବୁ ସାନଭଉଣୀ ଶୁଣି ସୁଅରି ଉଠାଇବାକୁ ଗଉଡ ସାଙ୍ଗେ ଉଚ୍ଛନ ଲଗାଇଲା । ଗଉଡ଼ମାନେ ସୁଆରି ନେଇ ରାଜାଙ୍କ ଦୁଆରେ ଭିଡ଼ିଲେ


  1. ଦେହର ବଳ ସ୍ୱାସ୍ଥ୍ୟ ।