ପୃଷ୍ଠା:Kathalahari (RN Das, 1927) opt.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪
ଉତ୍କଳ କାହାଣୀ ସଂଗ୍ରହ ।

ଆସି ରାଜାଙ୍କୁ କହିଲା ମଣିମା ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଚି, ରାଜା କହିଲେ କ'ଣ କହ । ମାଳୀ କହିଲା ମଣିମା ବନସ୍ତ ଭିତରେ ଯୋଉ ନଅରରେ ଛାମୁଙ୍କର ଡାଳିମ୍ବକୁମରକୁ ରଖି ଦେଇ ଆସିଥିଲେ ସେଠାକୁ ମୁଁ ଆଗେ ଫୁଲତୋଳି ଯାଇଥିଲି ଯେ ସର୍ବଦା ନିଃଶବ୍ଦ ଜଣା ଯାଉଥିଲା, ଏବେ କେତେଦିନ ହେଲା ସେଠାରେ ବଡ଼ ଗହଳଚହଳ ଲାଗିଚି । ରଜା କହିଲେ କାଲି ସେ ଆଡ଼କୁ ବୁଲିଯିବା ଦେଖି ଆସିବା । ସେ ଦିନ ଗଲା ତହିଁ ଆରଦିନ ରଜା ଗଲେ ସେ ଆଡ଼କୁ ବୁଲି । ଡାଳିମ୍ବକୁମର ଘର କବାଟ ଫିଟାଇ ଦେଖିଲାବେଳକୁ ପୁଅ ଡାଳିମ୍ବକୁମର ଖଟ ଉପରେ ବସିଚି । ତା ଭାରିଯା ତଳେ ବସିଚି, ପୁଅ ଡାଳିମ୍ବ କୁମର ପାଖେ ବସିଚି । ରଜା ଦେଖି କାବା ହୋଇଗଲେ, ଡାଳିମ୍ବକୁମରକୁ ସବୁ କଥା ପଚାରିଲେ । ଡାଳିମ୍ବକୁମର ସବୁ କହିଗଲା, ବଡ଼ ରାଣୀ ଯାହା କରିଥିଲା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ରଜାଙ୍କୁ ସବୁ କହିଲା । ସେ ରଜାଝିଅ ଆଉ ପୁଅକୁ ଦେଖି ରଜା ପଚାରିଲେ ଏ ସବୁ କିଏ ? ରଜାଝିଅ କହିଲା ମୁଁ ଆପଣଙ୍କର ବୋହୂ, ଆଉ ଯେତେ ୨ କଥା ତା ସମ୍ବନ୍ଧରେ ଘଟି ଥିଲା ସବୁ କହିଗଲା, ଭଣ୍ଡାରୁଣୀ ବେଶ ହୋଇ ଯେମନ୍ତ ବଡ଼ ରାଣୀଙ୍କଠାରୁ ହାର ଆଣିଥିଲା ସବୁ କହି ଗଲା । ରଜା ପୁଅ ବୋହୂ ନାତି ଦେଖି ବଡ଼ ଖୁସି ହେଲେ, ସେମାନଙ୍କୁ ଘରକୁ ନେଇଗଲେ, ଗୋଟାଏ ଦୀଘୀ ଖୋଳାଇ ବଡ଼ ରାଣୀକି ତହିଁରେ ପକାଇଦେଇ ତଳକଣ୍ଟା ଉପରକଣ୍ଟା ଛାଟି ଦେଲେ । ସାନ ରାଣୀ ପୁଅ ବୋହୂ ନାତି ନେଇ ଘର ଦ୍ୱାର କଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା, ଇତ୍ୟାଦି ।