ଭାଷା କେଉଁଠୁ ପଢ଼ିବ ? ଭାଷା ଖଣ୍ଡିକ ଘେନି ଘୋଡ଼ାରେଚଢ଼ି ବାହାରିଲା । ଅଧାବାଟରେ ହେଲାଣି, ଗୋଟାଏ ଜଉତିଷ ଦେଖିଲା, ତାକୁ କହିଲା ହେ ଏ ଭାଷାକୁ ପଢ଼ିବଟି, ଏଥିରେ କଅଣ ସବୁ ଲେଖା ହେଇଚି । ଯାହା ସବୁ ଲେଖା ହୋଇଥିଲା, ଜଉତିଷ ପଢ଼ିଗଲା, ଏ ଶୁଣିଲା, କହିଲା ସେ ଭାଷାକୁ ଚିରିପକାଅ, ଆଉଖଣ୍ଡେ ଲେଖିଦିଅ ମୋ ପୁଅ ଯାଉଚି, ତାକୁ ଯେପରି କେହି ଅଣହେଳା କରିବ ନାହିଁ; ଜଉତିଷ ଏପରି ଖଣ୍ଡେ ଭାଷା ଲେଖି ଦେଲା, ଏ ନେଇକରି ଯାଇଁ ଅସୁରଦେଶରେ ପହଞ୍ଚିଲା । ଭାଷା ଦେଖି ସମସ୍ତେ କହିଲେ, ଆମ ସାନ ଭଉଣୀ ପୁଅ ଆସିଲାଣି । ଏ ସମସ୍ତିଙ୍କି ଦଣ୍ଡବତ କଲା । ୟାକୁ ସବୁ ଏମାନେ ତଳେ ପକାଇ ଦେଲେ ନାହିଁ । ଭାରି ଯତ୍ନରେ ରଖାଇଲେ, ସବୁ ଘରଦ୍ୱାର ଦେଖାଇଦେଲେ; ଏମାନଙ୍କ ଜୀବନ ଯେଉଁଥିରେ ଥିଲା ଓ ୟା ମା ମାନଙ୍କ ଆକ୍ଷି ଅସୁରୁଣୀ ବାପଘରକୁ ପଠାଇଦେଇଥିଲା ତାକୁ ସବୁ ଦେଖାଇଲେ । ଏ ପଚାରିଲା ଆକ୍ଷି କେମନ୍ତି ଲାଗିବ ? ଅସୁରୁଣୀଯାକ କହିଲେ, ଟକ୍ମକ୍ ପାଣି ଦେଇ ଲଗାଇ ଦେଲେ ଆକ୍ଷି ସବୁ ଲାଗିଯିବ । ଏହିପରି ବୁଝାସୁଝା କରି ସାରିଲା, ସେଠାରେ ଦି ଚାରି ଦିନ ରହିଲା; ଦିନେ ଅସୁରୁଣୀଯାକ ଚରିବାକୁ ଯାଇଚନ୍ତି, ଏ କଣ କଲା, ବଗଟିମାନଙ୍କ ବେକ ମୋଡ଼ି ଦେଲା ଯେ ଛ ଭଉଣୀଯାକ ସେ ଆଡ଼େ ମରିଗଲେ । ଯୋଉ ଅସୁରୁଣୀ ରାଜାଘରେ ଛି ତାର ଜୀବନକୁ ନେଇ ଟକ୍ମକ୍ ପାନି, ଚଳନ୍ତି ବାଜା, ମା ମାନଙ୍କ ଆକ୍ଷି ଘେନି ଘରକୁ ଆସିଲା । ଆସି ରାଜାଙ୍କ ପାଖକୁ ଗଲା, କହିଲା, ତମ ରାଣୀ ପରା ଅସୁରୁଣୀ ନୁହେ ? ତାକୁ ଡାକ, ଦେଖିବ କେତେଘୋଡ଼ା ହାତୀ ଗାଈ ଗୋରୁ ଖାଇଚି । ରାଜା ରାଣୀଙ୍କି ଡକାଇ ପଠାଇଲେ; ଏଣେ ପୁଅ କଣ କରୁଥାଏ, ବଗବେକକୁ ମୋଡ଼ି ଦେଉଥାଏ, ଯେ ଅସୁରୁଣୀର ବେକ ମୋଡ଼ି ହୋଇପଡ଼ୁଥାଏ । ଅସୁରୁଣୀ ଆସି ପହଞ୍ଚିଲା, ପୁଅ କହିଲା ଏ ପରା ଅସୁରୁଣୀ ନୁହେ ? ଏହିକ୍ଷଣ ସବୁ ଜଣାଯିବ ।
ପୃଷ୍ଠା:Kathalahari (RN Das, 1927) opt.pdf/୫୭
Appearance