ପୃଷ୍ଠା:Kathalahari (RN Das, 1927) opt.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୫
ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା

ଅନାଇଁ ଯାଉଁ ଅଭିମନ୍ୟୁ ନଆସିଲା, ଗଲା ଖୋଜିବାକୁ ଗାଁ ଭିତରକୁ । ଏଣେ ସହର ଭିତରେ ଧେଣ୍ଡୁରା ଦିଆ ହେଉଚି ଯେ ସେ ରାଇଜରେ ଗଣ୍ଡାଗୟଳ ମାତିଚି, ଯେ ଗୟଳକୁ ମାରିଦେବ ସେ ରାଜାଝିଅକୁ ବିଭାହେବ । ଶଶିସେନା ଗୋଟିେ ମରଦ ବେଶ ଧରିଲା, ଆଉ ଅନେକ ରାଜା ଆଉ ଆଉ ଦେଶରୁ ଆସିଥାନ୍ତି, ସେ ସବୁ ଯାଉଥାନ୍ତି ଗଣ୍ଡାଗୟଳ ମାରିବାକୁ, ଶଶିସେନା ତାଙ୍କ ପଛେ ପଛେ ଘୋଡ଼ାରେ ଚଢ଼ି ଗଲା । ସମସ୍ତେ ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲେ ।ଶଶିସେନାଠାରେ ବାରହାତ ଖଣ୍ଡା ଥାଏ, ଦୂରରୁ ତାକୁ ବୁଲାଇ ବୁଲାଇ ଫିଙ୍ଗିଲା ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଲା । ଏ ଦଉଡ଼ିଯାଇ ଗଣ୍ଡାଗୟଳର ଜିଭ ନଖ କାଟି ଆଣିଲା, ଆଉ ସବୁ ରାଜାମାନେ ଫେରି ଆସିଲେ । ଶଶିସେନା ଗଣ୍ଡାଗୟଳର ଜିଭ ନଖ ରଜାଙ୍କ ଆଗେ ଥୋଇଦେଲା, ରଜାଝିଅକୁ ତାକୁ ବିଭା କରିବାର ସ୍ଥିର କଲେ । ବିଭାଘର ଯୋଗାଡ଼ ହେଉଥାଏ, ଶଶିସେନା କହିଲା, ମୋର ଗୋଟାଏ ବ୍ରତ ଅଛି ବରଷେ, ମୁଁ ତାକୁ ପୂରଣ କରିସାରିଲେ ବିଭା ହେବି, ବିଭାଘର ବନ୍ଦ ରହିଲା । ଶଶିସେନା ମରଦବେଶ ଧରି ରଜାଘରେ ଥାଏ, ମନେ ମନେ ଅଭିମନ୍ୟୁକୁ ଖୋଜୁଥାଏ । ଅନେକଦିନ ଚାଲିଗଲା, ଅଭିମନ୍ୟୁର କିଛି ଖୋଜଖବର ମିଳିଲାନାହିଁ । ଶଶିସେନା ଗୋଟାଏ ବୁଦ୍ଧି ପାଞ୍ଚିଲା, ବରଷ ପୂରିବାକୁ ଦଶ ପନ୍ଦର ଦିନ ଅଛି, ରଜାଙ୍କୁ କହିଲା, ଏଠେଇ ଯୋଉ ମହାଦେବ ଅଛନ୍ତି, ତାଙ୍କଠାରେ ବାରୁଣୀବୁଡ଼ ପଡ଼ିବ, ଡେଙ୍ଗୁରା ପିଟାଇ ଦିଅ ଯେ ଏ ରାଇଜରେ ଯେତେ ଲୋକ ଅଛନ୍ତି ସମସ୍ତେ ଆସିବେ ବୁଡ଼ ପକାଇବାକୁ । ରଜା ସେହିପରି କରାଇଦେଲେ ଯୋଉଦିନ ବୁଡ଼ ପଡ଼ିବ ସେଦିନ ସକାଳୁ ଶଶିସେନା ଗୋଧୋଇ ଆସି ଘୋଡ଼ାରେ ଚଢ଼ି ଦେଉଳ ଚାରିପାଖ ପୋଖରୀ ଚାରିପାଖ ବୁଲୁଥାଏ, ଅଭିମନ୍ୟୁ ଆଗରୁ ଶୁଣିଥାଏ ଯେ ଜଣେ କିଏ ବାରହାତ ଖଣ୍ଡାରେ ଗଣ୍ଡାଗୟଳ ମାରି ରଜା ଝିଅକୁ ବିଭାହେବ ବୋଲି ତାଙ୍କ ଘରେ