ରାଷ୍ଟ୍ରପତି ନିକ୍ସନ୍ ସେହି ମହାକଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ - ଚନ୍ଦ୍ରରେ ତୁମ ଦୁଇଜଣଙ୍କର ପହଞ୍ଚିବା ମଣିଷ ଜାତିର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଏହି ଗୌରବପୂର୍ଣ୍ଣ ସଫଳତାରେ ଆମେ ଗର୍ବିତ ।
କିଛି ସମୟ ପରେ ଆଲ୍ଡ୍ରିନ୍ ଚନ୍ଦ୍ରଯାନରୁ ଓହ୍ଲାଇଥିଲେ । ସେମାନେ ସାଥିହୋଇ ସେଠାରେ ବୁଲାବୁଲି କଲେ । କେତେ ପ୍ରକାର ପରୀକ୍ଷା ନିରୀକ୍ଷା କଲେ । ସେଠାରେ ଧୂଳିବାଲି ପଥରରେ ଖେଳିବା ଓ ସେଗୁଡ଼ିକୁ ସାଉଁଟିବାକୁ ସେମାନଙ୍କର ମନ ହେଲା । ଚନ୍ଦ୍ର ପୃଷ୍ଠରେ ସେମାନେ କେତେକ ସନ୍ତକ ଓ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକା ରଖିଥିଲେ । ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଥିବା ଆପୋଲୋ-୧୧ ମହକାଶଯାନରେ କଲିନ୍ସ ରହି ସେମାନଙ୍କ ସହିତ ବେତାରରେ କଥାବାର୍ତ୍ତା ହେଉଥିଲେ । ପୃଥିବୀକୁ ମଧ୍ୟ ସେମାନେ ସେମାନଙ୍କ ଅନୁଭୂତିର ବିବରଣୀମାନ ଜଣାଉଥିଲେ ।
ଆଲଡ୍ରିନ୍ ଓ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରଯାନ ଇଗଲ୍କୁ ଫେରି ଆସିଲେ ଏବଂ ଘରବାହୁଡ଼ା ପାଇଁ ପ୍ରସ୍ତୁତ ହେଲେ । କଲିନ୍ସଙ୍କୁ ମହାକାଶଯାନଟିକୁ ଏଥିପାଇଁ ପ୍ରସ୍ତୁତ ରଖିବାକୁ କୁହାଗଲା । କାରଣ ଏହି ମୂଳ ଯାନ ସହିତ ଚନ୍ଦ୍ରଯାନଟିକୁ ଯୋଡ଼ିବା କଠିନ ବ୍ୟାପାର ଥିଲା । ତେବେ ସେହି କାର୍ଯ୍ୟଟି ସୁରୁଖୁରୁରେ ହୋଇଗଲା । ଆଲ୍ଡ୍ରିନ୍ ଓ ଆର୍ମଷ୍ଟ୍ରଙ୍ଗ ଗୋଟିଏ ସଂକୀର୍ଣ୍ଣ ରାସ୍ତାରେ ମୂଳଯାନ ଭିତରକୁ ପ୍ରବେଶ କରିଥିଲେ । ଜହ୍ନ ରାଇଜରୁ ନେଇଥିବା ବାଲି ଗୋଡ଼ି ଓ ପଥର ସେଠାରେ ରଖିଲେ । ଜହ୍ନଯାନଟିକୁ ମୂଳଯାନରୁ ଅଲଗା କରି ଦିଆଗଲା ।
ଏବେ ମୂଳଯାନଟି ବିଜୁଳୀ ବେଗରେ ଭୂପୃଷ୍ଠକୁ ଆସିବାରେ ଲାଗିଲା । ଟେଲିଭିଜନ୍ରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଘର ବାହୁଡ଼ା ଦୃଶ୍ୟ ଦେଖିବାରେ ଲାଗିଲେ । ଶେଷରେ ପ୍ରଶାନ୍ତ ମହାସାଗରରେ ମୂଳଯାନଟି ଓହ୍ଲାଇଲା । ମହାକାଶଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା । ହେଲିକପ୍ଟରରୁ ରବର ଭେଳା ସାହାଯ୍ୟରେ ଉଦ୍ଧାରକାରୀମାନେ ସେମାନଙ୍କୁ ସମୁଦ୍ର ଭିତରୁ ସାଉଁଟି ନେଇଥିଲେ । ରାଷ୍ଟ୍ରପତି ନିକ୍ସନ୍ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଥିଲେ - ଆପଣମାନଙ୍କ ଚନ୍ଦ୍ରଯାତ୍ରା ପୃଥିବୀ ଇତିହାସର ଏକ ଅଭୁଲା ଘଟଣା । ଆପଣମାନଙ୍କ ସଫଳତା ସମସ୍ତଙ୍କୁ ନିକଟତର କରିପାରିଛି ।