ପୃଷ୍ଠା:Krutrima upagrahara jayajatra.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃତ୍ରିମ ଉପଗ୍ରହର ବିପୁଳ ଶୋଭାଯାତ୍ରା

ମହାକାଶରେ କୁନିଚାନ୍ଦ

୧୯୫୭ ମସିହା ଅକ୍ଟୋବର ମାସ ୪ ତାରିଖ । ମହାଶୂନ୍ୟରେ ଏକ କୁନିଚାନ୍ଦର ପ୍ରବେଶ ! ସାରା ଦୁନିଆରେ ଭାରି ଚହଳ। ଋଷର ବିଜ୍ଞାନୀମାନେ ଏହାକୁ ପଠାଇଥିଲେ । ଆମେରିକାରେ ଖୁବ୍‌ ଭାଳେଣି ପଡ଼ିଗଲା ।

ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ। ମାତ୍ର ଏହା ପ୍ରାକୃତିକ । ପୃଥିବୀର ଚତୁର୍ଦ୍ଦିଗରେ ଏହା ପରିକ୍ରମା କରେ । ସେହିପରି ଏହି କୁନିଚାନ୍ଦଟି ହେଉଛି ଏକ ଉପଗ୍ରହ । ପୃଥିବୀର ଚତୁର୍ଦ୍ଦିଗରେ ଏହା ଘୁରିବୁଲେ । ଏହା କୃତ୍ରିମ, ମନୁଷ୍ୟନିର୍ମିତ ।

ଆକାଶରେ ଉଡ଼ିବା ଯେମିତି ଥିଲା ମଣିଷର ବହୁଦିନର ସ୍ୱପ୍ନ । ଜହ୍ନରାଜ୍ୟକୁ ଯିବା, ମଙ୍ଗଳ, ଶୁକ୍ର ପ୍ରଭୃତି ଗ୍ରହକୁ ଯିବା ସେମିତି ମନୁଷ୍ୟର ଆଶା ଓ ଅଭିଳାଷ । ସେହିସବୁ ଗ୍ରହ ଉପଗ୍ରହରେ କ’ଣ ସବୁ ଅଛି ? ତାର ଜଳବାୟୁ, ମାଟି, ପାଣି, ପବନ ଆଦି କିପରି? ତାର ଖଣିଜ ପଦାର୍ଥ, ନଦୀ, ପାହାଡ଼ ପ୍ରଭୃତି କେମିତି ? ଏସବୁ ଦେଖିବା ଓ ଜାଣିବା ପାଇଁ ତାର କେତେ କଳ୍ପନା, କେତେ ଆଶା ।

ମାତ୍ର ଏଥିପାଇଁ ବହୁ ବାଧାବିଘ୍ନ । ପରିସ୍ଥିତିସବୁ ପ୍ରତିକୂଳ । ମନୁଷ୍ୟର ଶକ୍ତିସାମର୍ଥ୍ୟ ଓ ସମ୍ବଳ ମଧ୍ୟ ସୀମିତ । ବହୁ କବି ଓ ସାହିତ୍ୟିକ କେତେ କଳ୍ପନା ନେଇ ଏ ସବୁ ବିଷୟରେ ଲେଖିଛନ୍ତି । ବିଜ୍ଞାନୀମାନେ ମଧ୍ୟ ବହୁ ସ୍ୱପ୍ନ ଦେଖିଛନ୍ତି । ଅନେକ ତ ଏଥିପାଇଁ ଚେଷ୍ଟା କରି ମୃତ୍ୟୁମୁଖରେ ପଡ଼ିଛନ୍ତି । କେତେ ଦଣ୍ଡ ଓ ଯନ୍ତ୍ରଣା ସହିଛନ୍ତି । ମାତ୍ର ମନୁଷ୍ୟର ଆଶା ବୈତରଣୀ ନଦୀ । ତାର ଉଦ୍ୟମର ଅନ୍ତ ନାହିଁ, ତାର ସ୍ୱପ୍ନ ପାଇଁ ରାତ୍ରିର ଅଭାବ ନାହିଁ ।