ପୃଷ୍ଠା:Krutrima upagrahara jayajatra.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃତ୍ରିମ ଉପଗ୍ରହ; ସୁବିଧା ଓ ସମ୍ଭାବନା

ଯୋଗାଯୋଗରେ ବେତାଳ

କୃତ୍ରିମ ଉପଗ୍ରହ ଆଧୁନିକ ବିଶ୍ୱର ଏକ ବିରାଟ ଉଦ୍ଭାବନ । ଏହା ମାନବ ସମାଜର ବିକାଶ ପାଇଁ ପ୍ରଶସ୍ତ ପଥ ଉନ୍ମୁକ୍ତ କରିଦେଇଛି । ଏହା ସାହାଯ୍ୟରେ ଆଜିକାଲି ବହୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି । ମଣିଷର ଚନ୍ଦ୍ର ଅଭିଯାନଠାରୁ ଆରମ୍ଭ କରି ଗ୍ରହଗ୍ରହାନ୍ତର ଯାତ୍ରା ଯାଏ, ଏଥିଯୋଗୁଁ ସଫଳ ହୋଇପାରିଛି । ସାରା ଦେଶରେ ଦୂରଦର୍ଶନ କାର୍ଯ୍ୟକ୍ରମର ସୁବିଧା ହୋଇପାରିଛି । ଗୋଟିଏ ଦେଶରେ ଘଟୁଥିବା ବା ସଂଗଠିତ ହେଉଥିବା ବିଶେଷ ଘଟଣା ତଥା ଉତ୍ସବ କୃତ୍ରିମ ଉପଗ୍ରହ ଯୋଗୁଁ ଅନ୍ୟ ଦେଶର ଲୋକମାନେ ଦେଖି ପାରୁଛନ୍ତି । ଦୂରଦୂରାନ୍ତର ଟେଲିଫୋନ୍‌ ସେବା ବ୍ୟବସ୍ଥା, ଭବିଷ୍ୟତ ପାଣିପାଗର ସୂଚନା, ଭୂସର୍ବେକ୍ଷଣ ଇତ୍ୟାଦି ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଏହି ଅଦ୍ଭୁତ ମନୁଷ୍ୟ କୃତି ଦ୍ୱାରା ସମ୍ପାଦିତ ହୋଇପାରିଛି । ମାତ୍ର ଏହି କୃତ୍ରିମ ଉପଗ୍ରହ କ’ଣ ଓ କିପରି ଏହି ସବୁ କାର୍ଯ୍ୟ କରିପାରୁଛି, ତାହା ଅନେକେ ଜାଣିପାରି ନଥିବେ । ସତେ ଯୋଗାଯୋଗ କ୍ଷେତ୍ରରେ ଏହା ବେତାଳ ପରି କାର୍ଯ୍ୟ କରୁଛି !


କୃତ୍ରିମ ଉପଗ୍ରହ କ’ଣ?

ଆମେ ଜାଣୁ ଯେ ସୂର୍ଯ୍ୟର ଚତୁଃପାର୍ଶ୍ୱରେ ଗ୍ରହଗୁଡ଼ିକ ପରିକ୍ରମା କରିଥାନ୍ତି । ଗୋଟିଏ ଗୋଟିଏ ଗ୍ରହର ଚତୁର୍ଦ୍ଦିଗରେ ଏକ ବା ଏକାଧିକ କ୍ଷୁଦ୍ରଗ୍ରହ ଘୂରିବୁଲୁଥାନ୍ତି । ଚନ୍ଦ୍ର ସେହିପରି ପୃଥିବୀର ଚତୁଃପାର୍ଶ୍ୱରେ ଘୂରିବୁଲୁଛି । ଏହା ଗୋଟିଏ ଉପଗ୍ରହ ଏବଂ ଏହାକୁ ପ୍ରାକୃତିକ ଉପଗ୍ରହ କୁହାଯାଏ ।

ମାତ୍ର ମନୁଷ୍ୟ ଆଜିକାଲି ଶହ ଶହ ଉପଗ୍ରହ ନିର୍ମାଣ କରି ମହାଶୂନ୍ୟରେ