ପୃଷ୍ଠା:Krutrima upagrahara jayajatra.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାଶୂନ୍ୟରେ କୃତ୍ରିମ ଉପଗ୍ରହଟି ପହଞ୍ଚି ତାର ନିର୍ଦ୍ଦିଷ୍ଟ କକ୍ଷପଥରେ ରହେ ଏବଂ ପୃଥିବୀକୁ ପରିକ୍ରମା କରେ । କୃତ୍ରିମ ଉପଗ୍ରହର କକ୍ଷପଥ ଭୂପୃଷ୍ଠରୁ କେତେଦୂର ଉପରେ, ତା ଉପରେ ନିର୍ଭର କରେ ଏହାର ପୃଥିବୀକୁ ପ୍ରଦକ୍ଷିଣ କରିବା ସମୟ । ଧରାଯାଉ, ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ୩୮୪,୦୦୦ କି.ମି. । ତେଣୁ ଏହା ପୃଥିବୀକୁ ଥରେ ପ୍ରଦକ୍ଷିଣ କରିବା ପାଇଁ ୨୬ ଦିନ ୮ ଘଣ୍ଟା ଲାଗେ । ସେମିତି ୩୬,୦୦୦ କି.ମି. ଉଚ୍ଚତାରେ ରହି କୃତ୍ରିମ ଉପଗ୍ରହ ପୃଥିବୀ ପରିକ୍ରମା କରିବା ପାଇଁ ୨୪ ଘଣ୍ଟା ଦରକାର କରେ । ଆମେ ଜାଣୁ ଯେ ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରେ ଏବଂ ଏଥିପାଇଁ ତାକୁ ୨୪ ଘଣ୍ଟା ଲାଗେ । ତେଣୁ କୃତ୍ରିମ ଉପଗ୍ରହ ଯଦି ମହାଶୂନ୍ୟରେ ରହି ୩୬,୦୦୦ କି.ମି. ଉଚ୍ଚ କକ୍ଷପଥରେ ପଶ୍ଚିମରୁ ପୂର୍ବକୁ ପରିକ୍ରମା କରେ ତାକୁ ସେହି ୨୪ ଘଣ୍ଟା ସମୟ ଲାଗିବ । ତେଣୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବ୍ୟକ୍ତିକୁ ଉପଗ୍ରହ ସ୍ଥିର ରହିଲା ପରି ଜଣା ପଡ଼ିବ । ଏହାକୁ କୃତ୍ରିମ ଉପଗ୍ରହର ଭୂସ୍ଥିର ଗତି କୁହାଯାଏ । ଏହି ଗତି ମଣିଷର ଯୋଗାଯୋଗ କ୍ଷେତ୍ରରେ ଖୁବ୍‌ ସୁବିଧାଜନକ ହୋଇଥାଏ ।

ପ୍ରାକୃତିକ ସମ୍ବଳର ସର୍ବେକ୍ଷଣ, ଦୂରଦର୍ଶନ, ଟେଲିଫୋନ୍‌ ଓ ଆଗୁଆ ପାଣିପଗ ସୂଚନା ଇତ୍ୟାଦି କାର୍ଯ୍ୟ ପାଇଁ ଏହି ଗତି ସହାୟକ ହୁଏ । ଉତ୍‌କ୍ଷେପଣ ସମୟରେ କୃତ୍ରିମ ଉପଗ୍ରହର ଓଜନ ଅଧିକ ଥାଏ ଏବଂ ମହାଶୂନ୍ୟ କକ୍ଷପଥରେ ତାହା ଅବସ୍ଥାପିତ ହେଲାବେଳକୁ ବହୁତ କମି ଯାଇଥାଏ । ଉଦାହରଣ ସ୍ୱରୂପ, ଇନ୍‌ସାଟ୍‌ ଉପଗ୍ରହଟି ଭୂପୃଷ୍ଠରୁ ଯିବାବେଳେ ପ୍ରାୟ ୧,୧୫୦ କି.ଗ୍ରା. ଓଜନ ଥିଲା ବେଳେ କକ୍ଷପଥରେ ପରିକ୍ରମା କଲାବେଳକୁ ତାର ଓଜନ ୫୮୦ କି.ଗ୍ରା.କୁ କମି ଯାଇଥିଲା । କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ ସକ୍ରିୟ ରଖିବା ପାଇଁ ସୌରଶକ୍ତିର ସାହାଯ୍ୟ ନିଆଯାଇଥାଏ । ଏଥିରେ ଥିବା ଫଳକମାନ (Panels) ସୂର୍ଯ୍ୟ ଆଡ଼କୁ ରହି ସୌରଶକ୍ତି ସଂଗ୍ରହ କରିଥାଏ ଏବଂ ସେଥିରୁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ପ୍ରସ୍ତୁତ କରାଯାଇ କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରେ । କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ପ୍ରାୟ ୫/୭ ବର୍ଷ ଏହିପରି କାର୍ଯ୍ୟକ୍ଷମ ରହିବା ପାଇଁ ନିର୍ମିତ ହୋଇଥାଏ ।