ପୃଷ୍ଠା:Krutrima upagrahara jayajatra.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃତ୍ରିମ ଉପଗ୍ରହର କାର୍ଯ୍ୟ ଓ ପ୍ରକାରଭେଦ

କୃତ୍ରିମ ଉପଗ୍ରହକୁ ମାନବ ସମାଜର ବିଭିନ୍ନ ପ୍ରକାର ସେବାରେ ଉପଯୋଗ କରା ଯାଇଥାଏ । ଭୂପୃଷ୍ଠରୁ ପ୍ରାୟ ୩୬,୦୦୦ କି.ମି. ଉଚ୍ଚରେ ରହି ଏହା ଏକ ଶକ୍ତିଶାଳୀ ଟାୱାର ଭାବରେ କାର୍ଯ୍ୟ କରିଥାଏ । ଏହି ଉଚ୍ଚତାରୁ ପୃଥିବୀର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ ବିଭିନ୍ନ ପ୍ରକାର ସୁଯୋଗ ମିଳିଥାଏ । ତେଣୁ ସମାନ ଦୂରତାରେ ମହାଶୂନ୍ୟରେ ତିନୋଟି କୃତ୍ରିମ ଉପଗ୍ରହ ସ୍ଥାପିତ ହେଲେ ସମଗ୍ର ବିଶ୍ୱ ସହିତ ଏହି ଯୋଗାଯୋଗ ସେବାର ସୁବିଧା କରା ଯାଇଥାଏ ।

କୃତ୍ରିମ ଉପଗ୍ରହ ଏକ ବିସ୍ତୃତ ଭୂଖଣ୍ଡରେ ସଞ୍ଚାର ତଥା ଯୋଗାଯୋଗର ସାଧନ ହୋଇପାରିଛି । ଦୂରଦର୍ଶନ ସେବାରେ ଏହା ଏକ ବିପ୍ଳବ ଆଣିପାରିଛି । ଅଳ୍ପ କେତେ ବର୍ଷ ପୂର୍ବେ ଟେଲିଭିଜନର ଚିତ୍ର ଶହେ କି.ମି.ରୁ ଅଧିକ ଦୂରକୁ ପଠାଇବା କଷ୍ଟକର ଥିଲା । ଏବେ କିନ୍ତୁ ଲଣ୍ଡନଠାରୁ ପ୍ରଚାରିତ କାର୍ଯ୍ୟକ୍ରମ ଲରମ୍ଭାରେ ଦେଖି ହେଉଛି । ଏମିତିକି ନୂଆଦିଲ୍ଲୀରେ ଏକ ଆନ୍ତର୍ଜାତୀୟ ସମ୍ମେଳନ ହେଲେ ନିଉୟର୍କର ଟେଲିଭିଜନ ସେଟ୍‌ରେ ସିଧା ଦେଖି ହେଉଛି । ସମ୍ପ୍ରତି ଇନ୍‌ସାଟ୍‌ ଉପଗ୍ରହ ଯୋଗୁଁ ସମଗ୍ର ଭାରତବର୍ଷରେ ଦୂରଦର୍ଶନ କାର୍ଯକ୍ରମର ଅଭୂତପୂର୍ବ ପ୍ରସାର ଘଟିପାରୁଛି । ଅଲିମ୍ପିକ୍‌, ଏସିଆଡ଼୍‌ ଆଦି ଆନ୍ତର୍ଜାତୀୟ ଓ ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତାର ସିଧା ପ୍ରସାରଣ ସମ୍ଭବ ହୋଇପାରିଛି ।

ସାରା ଜଗତରେ ତାର ବ୍ୟବସ୍ଥାରେ ଆଜିକାଲି ଉଲ୍ଲେଖଯୋଗ୍ୟ ଅଗ୍ରଗତି ଘଟିଛି । ଟେଲିଫୋନ୍‌ ସେବାର ପ୍ରସାର ସହଜସାଧ୍ୟ ହୋଇପାରିଛି । ଆଗେ ଆମେ ଦୂରଦୂରାନ୍ତର ଫୋନ୍‌ କରିବାକୁ ଘଣ୍ଟା ଘଣ୍ଟା, କେତେବେଳେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଏବେ ଆମେ କୌଣସି ଟେଲିଫୋନ୍‌ ବାର୍ତ୍ତା ଆମ ଘରୁ ବା ସ୍ଥାନୀୟ ଟେଲିଫୋନ୍‌ କେନ୍ଦ୍ରରୁ ପଠାଉଛୁଁ । ସେଠାରୁ ମାଇକ୍ରୋୱେଭ୍‌ ସାହାଯ୍ୟରେ ଉପଗ୍ରହ ସଞ୍ଚାର କେନ୍ଦ୍ରକୁ ପଠାଯାଏ । ସେଠାରୁ କୃତ୍ରିମ ଉପଗ୍ରହ ସଞ୍ଚାର କେନ୍ଦ୍ର ସାହାଯ୍ୟରେ ଦେଶ ବିଦେଶର ନିର୍ଦ୍ଦିଷ୍ଟ ସ୍ଥାନକୁ ଉକ୍ତ ବାର୍ତ୍ତା ଆସି ଉଦ୍ଦିଷ୍ଟ ଟେଲିଫୋନ୍‌ରେ ଶୁଣାଯାଏ । ଏତେ କଥା