ପୃଷ୍ଠା:Krutrima upagrahara jayajatra.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଳରେ ତାଣ୍ଡବ ନୃତ୍ୟ ରଚନା କରୁଛି ! ବିପଜ୍ଜନକ ମାରଣାସ୍ତ୍ରଗୁଡ଼ିକର ଉଦ୍ଭାବନ ଓ ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ସେ କୃତ୍ରିମ ଉପଗ୍ରହ ସାହାଯ୍ୟରେ ସେଗୁଡ଼ିକୁ ଆହୁରି ବ୍ୟାପକ ଓ ଭୟଙ୍କର କରାଇବାରେ ଲାଗିଛି । ମହାକାଶରେ କୃତ୍ରିମ ଉପଗ୍ରହର ସାମରିକ କେନ୍ଦ୍ରମାନ ପ୍ରତିଷ୍ଠା କରି ସେହିଠାରୁ ସମରସଜ୍ଜା ଓ ଆକ୍ରମଣ ତଥା ପ୍ରତିଆକ୍ରମଣ କରାଇବା ହେଉଛି ତାରକାଯୁଦ୍ଧ ବା ଏସ୍‌.ଡି.ଆଇ (Strategic Defence Initiative) । ଏହି କେନ୍ଦ୍ରମାନ ଯନ୍ତ୍ରମାନବ ବା ରୋବଟ (Robot) ଦ୍ୱାରା ନିୟନ୍ତ୍ରିତ ହେବ ଏବଂ ପ୍ରଳୟଙ୍କରୀ ଆଣବିକ ତଥା ଉଦ୍‌ଜାନିକ କ୍ଷେପଣାସ୍ତ୍ର, ଲେଜର୍‌ ଆଦି ଦ୍ୱାରା ସୁସଜ୍ଜିତ ହେବ ।

ଏହି ପ୍ରକଳ୍ପର ଏକ ପ୍ରଧାନ ବିଭାଗ ହେଲା ଉପଗ୍ରହ ବିଧ୍ୱଂସକ ଶସ୍ତ୍ରବ୍ୟବସ୍ଥା (Anti Satellite Weapon) । ପ୍ରଥମେ ଶହ ଶହ କି.ମି. ଦୂରସ୍ଥ ମୃତ ଉପଗ୍ରହ ପାଖକୁ କ୍ଷେପଣାସ୍ତ୍ର ପଠାଇ ତାକୁ ଧ୍ୱଂସ କରାଯାଇଥିଲା । ସମ୍ପ୍ରତି ଇରାକ୍‌ର ଶକ୍ତିଶାଳୀ ସ୍କଡ୍‌ (Scud) କ୍ଷେପଣାସ୍ତ୍ରକୁ ପାଟ୍ରିଅଟ୍‌ ମିଜାଇଲ୍‌ (Patriot Missile) ଦ୍ୱାରା ଆକାଶ ଦେଶରେ ବିଧ୍ୱସ୍ତ କରାଯାଇ ପାରିଥିଲା । ଫଳରେ ଏହି ପ୍ରକଳ୍ପର ସଫଳତା ପ୍ରମାଣିତ ହୋଇପାରିଛି । ଆମ ପୌରାଣିକ ଯୁଗରେ ଅଗ୍ନି ଅସ୍ତ୍ର, ବଜ୍ର ଅସ୍ତ୍ର ପ୍ରଭୃତି ଅତି ଭୟଙ୍କର ଶସ୍ତ୍ରଗୁଡ଼ିକୁ ଆକାଶ ମଣ୍ଡଳରେ ବିଧ୍ୱଂସକାରୀ ଅସ୍ତ୍ରଦ୍ୱାରା ଧ୍ୱଂସ କରାଯାଉଥିଲା । ଆଜି ଯୁକ୍ତରାଷ୍ଟ୍ର ଆମେରିକା ଏହି ପ୍ରକାର ମହାଶୂନ୍ୟରେ ଥିବା ଉପଗ୍ରହ ତଥା କ୍ଷେପଣାସ୍ତ୍ର ଗୁଡ଼ିକୁ ଧ୍ୱଂସ କରିଦେବାରେ ସଫଳତା ଅର୍ଜନ କରିଛି ।

ଗତ ଇରାକ୍‌ ଯୁଦ୍ଧରେ ବ୍ୟବହୃତ ପ୍ୟାଟ୍ରିଅଟ୍‌ ମିଜାଇଲ୍‌ର ଅପୂର୍ବ ସଫଳତା ଆମେରିକାକୁ ପୂର୍ବରୁ ଆଲୋଚିତ ତାରକା ଯୁଦ୍ଧ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଅଧିକ ଉତ୍ସାହିତ କରିଛି । ରାଷ୍ଟ୍ରପତି ରେଗନ୍‌ଙ୍କ ସମୟରେ ପ୍ରସ୍ତାବିତ ଓ ବହୁ ସମାଲୋଚିତ ଏହି ତାରକାଯୁଦ୍ଧ ପ୍ରକଳ୍ପ ସମ୍ପ୍ରତି ରାଷ୍ଟ୍ରପତି ବୁଶ୍‌ଙ୍କ ଦ୍ୱାରା ବିଧିବଦ୍ଧ ଭାବରେ ପରୀକ୍ଷିତ ଓ ସମ୍ପାଦିତ ହେବାର ଆଶା ଉଜ୍ଜ୍ୱଳ ହୋଇଉଠିଛି । ଏହାକୁ ମୁଖ୍ୟତଃ ପ୍ରତିରକ୍ଷାମୂଳକ କହୁଥିଲେ ହେଁ ବାସ୍ତବରେ ଏହା ଆକ୍ରମଣାତ୍ମକ କାର୍ଯ୍ୟରେ ନିଯୁକ୍ତ ହେବା ଅସମ୍ଭବ ନୁହେଁ । ଫଳରେ ଆନ୍ତର୍ଜାତିକ ସ୍ତରରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହ୍ରାସ ପାଇବାକୁ ଯାଉଥିଲା ବେଳେ ବହୁଗୁଣିତ ହେବ । ତେଣୁ ବିଶ୍ୱଶାନ୍ତି ବିଘ୍ନିତ ହେବା ସ୍ୱାଭାବିକ୍‌ ।