Jump to content

ପୃଷ୍ଠା:Mahimandala Gita (Arakhita Dasa).pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରଥମ ଅଧ୍ୟାୟ
ମନ ଚୈତନକୁ ଦେଖିଣ
ଅତି ଆନନ୍ଦ ଯେ ହୋଇଣ ।୧।
ଏ ମହୀ ମଣ୍ଡଳରେ ମୁହିଁ
ତୁମ୍ଭଙ୍କୁ ଖୋଜି ଯେ ନ ପାଇ ।୨।
ତୁମ୍ଭର ଦୟା ଥିଲା ଯେଣୁ
ଦର୍ଶନ ଦେଲ ମୋତେ ତେଣୁ ।୩।
ଏବେ ମୋ ସର୍ବ ଦୁଃଖ ଗଲା
ତୁମ୍ଭ ଦର୍ଶନ ଯେ ମିଳିଲା ।୪।
ଏବେ ମୁଁ କଥାଏ ଜଣାଇ
କହିବ ମୋତେ ଦୟା ବହି ।୫।
ମହୀ ମଣ୍ଡଳ ଗୀତା କହ
ମୋ ମନୁ ସଂଶୟ ଫିଟାଅ ।୬।
ଏ ମହୀ ସ୍ଥିତିରେ ଯେ ଗୁଣ
ଶୁଣିହେ ନିସ୍ତରିବି ପୁଣ ।୭।
ପ୍ରକୃତି ସଙ୍ଗରେ ଭ୍ରମଇ
ତୁମ୍ଭଙ୍କୁ ସେବି ନ ପାଇଇ ।୮।
ହେ ପ୍ରଭୁ ମୋର ପ୍ରାଣ ପତି
ତୋ ବିନୁ ଆନେ ନାହିଁ ଗତି ।୯।
ନମସ୍ତେ ଗୁରୁ ସର୍ବ ଦାରା
ନମସ୍ତେ ଗୁରୁ ଜଗତ୍ କର୍ତ୍ତା ।୧୦।
ନମସ୍ତେ ଗୁରୁ ସର୍ବଦେହୀ
ତୋ ବିନୁ ଅନ୍ୟ ନାହିଁ କେହି ।୧୧।
ନମସ୍ତେ ଗୁରୁ ସର୍ବ ଦେବ
ମୋତେ ଦୟାଟି ତୋର ଥିବ ।୧୨।
ନମସ୍ତେ ଗୁରୁ ମାୟାଧର
ମୋତେ ତୁ ମାୟା ଯେ ନ କର ।୧୩।
ନମସ୍ତେ ଗୁରୁ ଅନ୍ତର୍ଯ୍ୟାମୀ
ତୋ ମାୟା କେ ପାଇବ ଜାଣି ।୧୪।
ନମସ୍ତେ ଗୁରୁ ଦୟା ଯାକୁ
ତୋ ମାୟା ନ ଲାଗଇ ତାକୁ ।୧୫।
ନୋହିଲେ ତୋ ମାୟା କେ ତରେ
ବ୍ରହ୍ମାଦି ଦେବା ସୁର ନରେ ।୧୬।
ନମସ୍ତେ ଗୁରୁ ସର୍ବ ଦେହୀ
ତୋହର ରୂପ ବର୍ଣ୍ଣ ନାହିଁ ।୧୭।
ନମସ୍ତେ ଗୁରୁ ତୁ ଅନନ୍ତ
ନମସ୍ତେ ଗୁରୁ ଜଗତ୍ତାତ ।୧୮।
ନମସ୍ତେ ସର୍ବ ଜୀବ ଗୁରୁ
ନମସ୍ତେ ବାଞ୍ଛା କଳ୍ପତରୁ ।୧୯।
ନମସ୍ତେ ଗୁରୁ ମୋକ୍ଷ ଦାତା
ନମସ୍ତେ ଗୁରୁ ପିତା ମାତା ।୨୦।
ନମସ୍ତେ ଗୁରୁ ଦୟାକର
କଥାଏ ଜଣାଏ ଛାମୁର ।୨୧।
ପଞ୍ଚଭୂତଙ୍କ କଥା କହ
ମୋ ମନୁ ସଂଶୟ ଫିଟାଅ ।୨୨।
ଏହି ଦେହରେ ମୁହିଁ ଥାଇ
ପଞ୍ଚ ଭୂତଙ୍କୁ ନ ଚିହ୍ନଇ ।୨୩।
ଏ ଦେହେ ପଞ୍ଚଭୂତ କେହୁ
ଏହା କହିବ ମହାବାହୁ ।୨୪।
ପୃଥିବୀ କାହୁଁ ଜାତ ହେଲା
ତୁମ୍ଭ ମାୟାକୁ ନ ଜାଣିଲା ।୨୫।
ଯେବେ ତୋ ମାୟା ମୋତେ ହେବ
କିମ୍ପା ପୃଥ୍ୱୀରେ ଏହୁ ଥିବ ।୨୬।