ପୃଷ୍ଠା:Malunira Fula O Anyanya Galpa.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଲୁଣୀ ହସି ହସି କହିଲା, "ଏ କି କଥା, ତୁମେ ରାତିଟା ମୋ' ଘରେ ରହିଯାଆ ମୋର କିଛି ଅସୁବିଧା ନାହିଁ" ।

ମାଲୁଣୀ ଏମାନଙ୍କୁ ଶୋଇବାପାଇଁ ତାର ଦାଣ୍ଡଘରଟି ଦେଇଦେଲା । ଘରର ଗୋଟିଏ ପାଖରେ ବୋଝେ ଫୁଲ ଜମା ହୋଇ ମହ ମହ ବାସୁଥାଏ । ସକାଳ ହେଲେ ମାଲୁଣୀ ମାଳା ଗୁନ୍ଥି ଗରାଖଙ୍କୁ ଦେବ । ଶୁଖୁଆ ବୋଝ ସବୁ ଦାଣ୍ଡ ବାରଣ୍ଡାରେ ରଖିଦେଇ ସ୍ତ୍ରୀ ଲୋକଗୁଡ଼ିକ ଶୋଇବାକୁ ଗଲ ।

ଖାଲି ଏ ପାଖ ସେ ପାଖ କଡ଼ ଲେଉଟାଉ ଥା'ନ୍ତି । ଆଦୌ ନିଦ ହେଉ ନ ଥାଏ । ସେମାନେ କୁହାକୁହି ହେଲେ, ଏ ଫୁଲ ମହକରେ ଆମକୁ ନିଦ ହେଉ ନାହିଁ । ଚାଲ ଶୁଖୁଆ ଟୋକେଇ ସବୁ ନିଜ ନିଜ ମୁଣ୍ଡ ପାଖରେ ରଖିଦେବା । ଶୁଖୁଆ ଗନ୍ଧରେ ଆଉ ଫୁଲ ମହକ ଜଣାପଡ଼ିବ ନାହିଁ । ସେମାନେ ସେଇଆ କଲେ ଓ ଆରାମରେ ଶୋଇଗଲେ ।

ଯେ ଶୁଖୁଆ ଗନ୍ଧରେ ଅଭ୍ୟସ୍ତ, ତାକୁ ଫୁଲର ସୁବାସ କେବେ ଭଲ ଲାଗିବ ନାହିଁ ।

କେବଳ ଜଣେ ଆପଣାର

ଜଣେ ସନ୍ନ୍ୟାସୀଙ୍କର ଜଣେ ବ୍ୟକ୍ତି ଶିଷ୍ୟ ହୋଇଥିଲା । ଶିଷ୍ୟର ଘର ବାଡ଼ି, ମା' ବାପ, ସ୍ତ୍ରୀ, ପୁତ୍ର ସମସ୍ତେ ଥିଲେ । ଦିନେ ଗୁରୁ ଶିଷ୍ୟକୁ ଉପଦେଶ ଦେଲେ, "କେବଳ ଈଶ୍ୱର ତୁମର ଆପଣାର, ଆଉ କେହି ତୁମର ଆପଣାର ନୁହନ୍ତି ।"