ପୃଷ୍ଠା:Malunira Fula O Anyanya Galpa.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିଷ୍ୟ କହିଲା, "ମୋ' ମା', ମୋ ସ୍ତ୍ରୀ ମୋତେ କେଡେ଼ ଭଲ ପା'ନ୍ତି, କେତେ ଆଦର କେତେ ସ୍ନେହ କରନ୍ତି, ମୋତେ କ୍ଷଣେ ନ ଦେଖିଲେ ସେମାନଙ୍କୁ ସବୁ ଅନ୍ଧାର ଦେଖାଯାଏ । ସେମାନେ କ'ଣ ମୋ'ର ଆପଣାର ନୁହନ୍ତି ?'

ଗୁରୁ କହିଲେ, "ସେ ତୁମର ମନର ଭୁଲ । ମୁଁ ତୁମକୁ ଦେଖାଇ ଦେବି, କେହି ତୁମର ଆପଣାର ନୁହନ୍ତି ।"

ସନ୍ନ୍ୟାସୀ ଗୋଟିଏ ଔଷଧର ବଟିକା ବାହାର କରି ଶିଷ୍ୟକୁ ଦେଲେ । କହିଲେ, ଏଇଟିକୁ ଖାଇ ଶୋଇଯିବ । ଏ ଔଷଧର ଗୁଣ ହେଉଚି, ଯେ ଖାଇବ, ସେ ମଲାପରି ଶୋଇଯିବ । ସମସ୍ତେ ମନେ କରିବେ ଲୋକଟି ହଠାତ୍ ମରିଗଲା । କିନ୍ତୁ ତୁମର ଜ୍ଞାନ ଥିବ ଓ ସବୁ କଥା ବୁଝି ପାରିବ । ତା' ପରେ ମୁଁ ଯିବି ।

ଶିଷ୍ୟଟି ସେଇ କଥା କଲା । ଘରକୁ ଯାଇ ଔଷଧ ଖାଇ ଶୋଇଗଲା । ତାକୁ ହଠାତ୍ ଆସି ଶୋଇ ପଡ଼ିବା ଦେଖି ସ୍ତ୍ରୀ ମନରେ ସନ୍ଦେହ ହେଲା । କିଛି ଦେହ ଖରାପ ହେଲା କି? ସେ ଯାଇ ପଚାରିଲା, "ଏପରି ଅବେଳରେ ଶୋଇ ପଡ଼ିଲ ଯେ, କ'ଣ ହୋଇଚି ।"

କିନ୍ତୁ କିଛି ଉତ୍ତର ନାଇଁ । ସ୍ତ୍ରୀ ବଡ଼ ଚିନ୍ତିତ ହୋଇ ପଡ଼ିଲା । ସେ ଯାଇ ଦେଖିଲା ଯେ ସ୍ୱାମୀର ଦେହରେ ଜୀବନ ନାହିଁ । ତା'ପରେ, "କ'ଣ ହେଲା, ମୋର ସବୁ ସରିଗଲା" କହି କାନ୍ଦ ବୋବାଳି ପକାଇଲା । ତା'ର କାନ୍ଦ ଶୁଣି ମା ଓ ଘରର ଅନ୍ୟାନ୍ୟ ଲୋକମାନେ ଦୌଡ଼ି ଆସିଲେ । ଲୋକଟି ମରି ଯାଇଚି ଦେଖି ସମସ୍ତେ ଚିତ୍କାର କରି କାନ୍ଦିବାକୁ ଲାଗିଲେ ।

ଏହି ସମୟରେ ଜଣେ ବୃଦ୍ଧ କବିରାଜ ସେଠାରେ ଆସି ପହଞ୍ଚିଲେ । ସେ କହିଲେ, "ତୁମେ ସବୁ କାନ୍ଦୁଚ କାହିଁକି? ତୁମର କ'ଣ ହୋଇଚି?"

ଜଣେ କହିଲା, "ପୁଅଟି ମରିଗଲା ।"

"ତା'ର କ'ଣ ହୋଇଥିଲା?" କବିରାଜ ପଚାରିଲେ ।

""କ'ଣ ହୋଇଚି, ତା' କେହି ବୁଝି ପାରୁ ନାହାନ୍ତି । କୁଆଡେ଼ ଯାଇଥିଲା । ଏବେ ଘରକୁ ଆସି ହଠାତ୍ ଶୋଇ ପଡ଼ିଲା । କିଛି ଦେହ ଦୁଃଖ ନାହିଁ । ଡାକିଲେ ଉତ୍ତର ଦେଲା ନାହିଁ । ଆମର ସବୁ ସରିଗଲା ।

କବିରାଜ କହିଲେ, ""ମୁଁ ଟିକିଏ ଯାଇ ତାକୁ ଦେଖି ପାରେ କି?"

ସମସ୍ତେ ଆଗ୍ରହ ସହକାରେ କବିରାଜଙ୍କୁ ଶବ ପାଖକୁ ନେଇଗଲେ । କବିରାଜଙ୍କୁ ଦେଖି ସମସ୍ତଙ୍କ କାନ୍ଦଣା ବନ୍ଦ ହୋଇଗଲା । ମା' ଓ ସ୍ତ୍ରୀ ମଝିରେ ମଝିରେ ଟିକିଏ କାନ୍ଦୁ ଥା'ନ୍ତି । କବିରାଜ କ'ଣ କରୁଛନ୍ତି, ଦେଖୁଥା'ନ୍ତି । ଶବ ପରୀକ୍ଷା କରି କବିରାଜ କହିଲେ, "କିଛି ଶୋଚନାର କାରଣ ନାହିଁ । ମୁଁ ଏହାକୁ ବଞ୍ଚାଇ ଦେବି । ମୋ' ପାଖରେ ଏ ରୋଗର ଅବ୍ୟର୍ଥ ମହୌଷଧ ଅଛି । ଖାଇବାକୁ ଦେଲେ ସାଙ୍ଗେ ସାଙ୍ଗେ ସେ ଉଠି ବସିବ ।"