ପୃଷ୍ଠା:Malunira Fula O Anyanya Galpa.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମା' ଔଷଧ ହାତରେ ଧରି ଭାବିବାକୁ ଲାଗିଲା । ଅନେକ ଭାବି କାନ୍ଦି କାନ୍ଦି କହିଲା, "ବାବା, ମୋ'ର ଆଉ କେତୋଟି ପୁଅ, ଝିଅ ଅଛନ୍ତି । ଏତେ ବଡ଼ ସଂସାର । ମୁଁ ଚାଲିଗଲେ କ'ଣ ହେବ, ସେଇ କଥା ଭାବୁଚି । ସେମାନଙ୍କର କିଏ ଦେଖା ଚାହାଁ କରିବ, କିଏ ତାଙ୍କର ଯତ୍ନ ନେବ, ସେଇ କଥା କେବଳ ଭାବୁଚି ।"

କବିରାଜ ସ୍ତ୍ରୀକୁ ଡାକି ଔଷଧ ଦେଲେ । ସ୍ତ୍ରୀ ଖୁବ୍ କାନ୍ଦୁଥିଲା । ସେ ତା' ହାତରେ ଔଷଧ ଧରି ଭାବିବାକୁ ଲାଗିଲା । କବିରାଜ କହିଲେ, "ଏ ଔଷଧଟି ଖାଇଦିଅ, ମା' ଲକ୍ଷ୍ମୀ । ଜୀବନ ନ ଦେଲେ ପରା ଲୋକଟି ବଞ୍ଚି ପାରିବ ନାହିଁ । ସ୍ୱାମୀର ସ୍ତ୍ରୀଠାରୁ ବଳି କିଏ ଆପଣାର ଅଛି?"

ସ୍ତ୍ରୀ ତା'ପରେ କାନ୍ଦି କାନ୍ଦି କହିଲା "ମୁଁ କଣ କରିବି ? ୟାଙ୍କର ତ ଯାହା ହେବାର ହେଲାଣି । ମୋ'ର ଛୋଟ ଛୋଟ ପିଲାଗୁଡ଼ିଏ । ସେମାନଙ୍କ କଥା କିଏ ବୁଝିବ ? ସେମାନେ ବଞ୍ଚିବେ କିପରି ? ମୁଁ କେମିତି ଏ ଔଷଧ ଖାଇବି ? ମୋ' କପାଳରେ ଯାହା ଲେଖା ହୋଇଚି, ତା' ଫଳିବ । ମୁଁ କି କରିବି ଲୋ ମା' ?"

କବିରାଜ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଗୁରୁ । ଶିଷ୍ୟ ଶୋଇ ରହି ସବୁ କଥା ଶୁଣୁଥିଲା । ସେ ସଂସାର କ'ଣ, କିଏ ତା'ର ଆପଣାର ସବୁ ବୁଝି ପାରିଲା । ତତ୍‌କ୍ଷଣାତ୍ ସେ ଗୁରୁଙ୍କ ସାଙ୍ଗରେ ଚାଲିଗଲା । ଗୁରୁ କହିଲେ "ତୁମର ଆପଣାର କେବଳ ଜଣେ--ଈଶ୍ୱର ।"

ଅବଧୂତ ଓ ତାଙ୍କର ଗୁରୁ

ଜଣେ ବଡ଼ ସାଧୁ ଥିଲେ । ଲୋକେ ତାଙ୍କୁ ଅବଧୂତ ବୋଲି ଡାକୁଥିଲେ । ଅବଧୂତଙ୍କର ବହୁତ ଗୁରୁ ଥିଲେ ଓ ଗୁରୁମାନଙ୍କ ପାଖରୁ ତାଙ୍କ ଶିକ୍ଷାଲାଭ କରିବାର ନିୟମ ଥିଲା ଅଦ୍‌ଭୁତ ।

ଦିନେ ବାଟରେ ଯିବାବେଳେ ଅବଧୂତ ଦେଖି ପାରିଲେ, ଢୋଲ ଢମାଲ ବଜାଇ ଖୁବ୍ ଜାକଜମକରେ ପଟୁଆର କରି ବର ଆସୁଚି । ଅନ୍ୟ ଆଡେ଼ ହାତରେ ଧନୁଶର ଧରି ଜଣେ ଶିକାରୀ ଗୋଟିଏ ପକ୍ଷୀ ଆଡ଼କୁ ଲକ୍ଷ୍ୟ କରୁଚି । ପକ୍ଷୀଟି ଗଛ ଉପରେ ବସିଥିଲା । ଏପରି ଢୋଲ ଢମାଲ ବଜାଇ ବର ଯାଉଚି, କିନ୍ତୁ ଶିକାରୀ ସେ ଆଡ଼କୁ ଚାହୁଁ ନାହିଁ ।

ଅବଧତୂ ସେଇ ବ୍ୟାଧକୁ ନମସ୍କାର କରି କହିଲେ, ତୁମେ ମୋ'ର ଗୁରୁ । ଯେତେବେଳେ ଭଗବାନଙ୍କୁ ଧ୍ୟାନ କରବି, ସେତେବେଳେ ତାଙ୍କ ପ୍ରତି ମୋ'ର ଏହିପରି ଲକ୍ଷ୍ୟ ରହିବ ।

ଆଉ ଦିନେ ଅବଧୂତ ଦେଖିଲେ, ଜଣେ ଲୋକ ପୋଖରୀରେ ବନିଶୀ ପକାଇ ମାଛ ଧରୁଚି । ଏହି ସମୟରେ ଜଣେ ବାଟୋଇ ଆସି ତାକୁ ପଚାରିଲେ, ଭାଇ! ରାମଗଞ୍ଜ ହାଟକୁ ଯିବାକୁ କେଉଁ ବାଟ ?

ଲୋକଟି ବାଟୋଇ କଥାର କୌଣସି ଉତ୍ତର ନ ଦେଇ ବନିଶୀ କଣ୍ଟାକୁ ଅନାଇ ରହିଲା । ମାଛ ପଡ଼ିବାରୁ ବନିଶୀକୁ ଉଠାଇ ଆଣି ପଛକୁ ଚାହିଁ ପଚାରିଲା, ହଁ ଆପଣ କ'ଣ ପଚାରୁଥିଲେ ? ତା'ପରେ ବାଟୋଇ ସଙ୍ଗେ ତା'ର ଗପ ଜମିଗଲା ।