ପୃଷ୍ଠା:Malunira Fula O Anyanya Galpa.pdf/୧୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତା' ଦେଖି ଅବଧୂତ ତାକୁ ପ୍ରଣାମ କରି କହିଲେ, ଆପଣ ମୋ'ର ଗୁରୁ । ମୁଁ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରିବାକୁ ବସିବି, ସେତେବେଳେ ସେ କାମ ଶେଷ ନ କରି ଅନ୍ୟ କୌଣସି ଦିଗରେ ମନ ଦେବି ନାହିଁ ।

ଥରେ ଗୋଟାଏ ଚିଲ ଖଣ୍ଡେ ମାଛ ଧରି ଉଡ଼ି ଯାଉଥିଲା । ତା' ଦେଖି ଶହ ଶହ କାଉ ଓ ଚିଲ ତା' ପଛ ଧରି ଗୋଡ଼ାଇଲେ । ତାକୁ ସେମାନେ ଥଣ୍ଟରେ କାମୁଡ଼ି ଅସ୍ତ ବ୍ୟସ୍ତ କରିଦେଇ ମାଛ ଖଣ୍ଡକ କାଢ଼ି ନେବାର ଚେଷ୍ଟା କଲେ । ସେ ଯୁଆଡେ଼ ଗଲା, କାଉ ଓ ଚିଲଯାକ ତା' ପଛେ ପଛେ ଚେଁ ଚେଁ ହୋଇ ଉଡ଼ିବାକୁ ଲାଗିଲେ । ଶେଷକୁ ବିରକ୍ତ ହୋଇଯାଇ ଚିଲଟା ମାଛ ଖଣ୍ଡକ ପକାଇ ଦେଲା । ସଂଗେ ସଂଗେ ଆଉ ଗୋଟିଏ ଚିଲ ଥିଲା, ମାଛ ଖଣ୍ଡକ ଧରି ଚମ୍ପଟ । କିନ୍ତୁ ସେ ଚିଲଟା ମଧ୍ୟ ଯାଏ କୁଆଡେ଼? ସବୁ କାଉ ଓ ଚିଲ ତା'ର ପିଛା ଧରିଲେ । ପ୍ରଥମ ଚିଲଟା ଗୋଟାଏ ଗଛ ଡାଳରେ ଚୁପ୍ ଚାପ ବସି ରହିଲା ।

ଅବଧୂତ ଚିଲକୁ ନମସ୍କାର କରି କହିଲେ, ତୁମେ ମୋ'ର ଗୁରୁ । ତୁମଠାରୁ ଶିଖିଲି ଏ ସଂସାରରେ ପଦ ବା ଉପାଧି ବଡ଼ ଭୟଙ୍କର ଜିନିଷ । ତାକୁ ଫିଙ୍ଗି ଦେଇ ପାରିଲେ ଶାନ୍ତି, ତା' ନ ହେଲେ ମହା ବିପଦ ।