ପୃଷ୍ଠା:Malunira Fula O Anyanya Galpa.pdf/୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଶରୀରର ଶକ୍ତି ବା ମନର ଶକ୍ତିଠାରୁ ଆହୁରି ଗୋଟିଏ ବଡ଼ ଜିନିଷ ଅଛି । ତାହା ହେଉଛି, ଆତ୍ମାର ଶକ୍ତି । ତାହା ଥରେ ମନୁଷ୍ୟ ଭିତରେ ଜାଗି ଉଠିଲେ, ଘିଅ, ମାଂସ, ବାଦାମ, ପେସ୍ତାର ଶକ୍ତି ତା' ପାଖରେ ଅତି ସାମାନ୍ୟ ହୋଇଥାଏ ।

ସର୍ବମଙ୍ଗଳା

ସରଳ ଭାବରେ ଭଗବାନଙ୍କୁ ଏକ ଲୟରେ ଡାକିଲେ ସେ ଦେଖା ଦିଅନ୍ତି । ଧ୍ରୁବ, ପ୍ରହ୍ଲାଦ ତାଙ୍କର ଦେଖା ପାଇଥିଲେ । ଜଟିଳ ବାଳକର ସହିତ ସେ ସବୁଦିନ ଆସି ଖେଳୁଥିଲେ । ଆମ ଦେଶର ଯେ କେତେ ସାଧୁ ସନ୍ଥ ଭଗବାନଙ୍କର ଦେଖା ପାଇଛନ୍ତି, ତାହା କୁହାଯାଇ ପାରିବ ନାହିଁ ।

ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ । ବ୍ରାହ୍ମଣ ଭାରି ଗରିବ । ଗରିବ ହେଲେ ମଧ୍ୟ ସେ ଜଣେ ବଡ଼ ଭକ୍ତ ଥିଲେ । ଲୋକଙ୍କ ଘରକୁ ଯାଇ ସେ ଚଣ୍ଡୀ ପାଠ କରୁଥିଲେ । ସେଥିରେ ଏକପ୍ରକାର ଦିନ କଟି ଯାଉଥିଲା । ବ୍ରାହ୍ମଣଙ୍କର ଗୋଟିଏ ଝିଅ ଥିଲା । ତାର ନାମ ସର୍ବମଙ୍ଗଳା । ସର୍ବମଙ୍ଗଳା ରୂପରେ ଲକ୍ଷ୍ମୀ, ଗୁଣରେ ସରସ୍ୱତୀ । ତା' ପରି ରୂପ, ଗୁଣରେ, କାମ ଦାମରେ, ସ୍ୱଭାବ ଚରିତ୍ରରେ, ରନ୍ଧାବଢ଼ାରେ କୋଟିକେ ଗୋଟିଏ ଝିଅ ମିଳିବା କଷ୍ଟକର ।

ଦିନେ ସେ ଅଞ୍ଚଳର ଜମିଦାର କୌଣସି ଏକ କାର୍ଯ୍ୟରେ ସେହି ଗ୍ରାମକୁ ଆସିଥିଲେ । ଝିଅଟି ତାଙ୍କ ଆଖିରେ ପଡ଼ିଲା । ତାକୁ ଦେଖି ତାଙ୍କୁ ଏପରି ଭଲ ଲାଗିଲା ଯେ ନିଜ ପୁଅ ସଙ୍ଗରେ ତାର ବିଭାଘର ପ୍ରସ୍ତାବ ସେ ବ୍ରାହ୍ମଣଙ୍କୁ ଦେଲେ । ଏପରି ପ୍ରସ୍ତାବରେ ବ୍ରାହ୍ମଣ କାହିଁକି ବା ମନା କରିବେ ? ବିଭାଘର ହୋଇଗଲା । ସର୍ବମଙ୍ଗଳା ଶଶୁର ଘରକୁ ଚାଲିଗଲା ।

ବ୍ରାହ୍ମଣ ଝିଅଟିକୁ ଭାରି ଭଲ ପାଉଥିଲେ । ଝିଅ ଶଶୁର ଘରକୁ ଚାଲିଯିବା ପରେ ତାଙ୍କ ମନରେ ବହୁତ କଷ୍ଟ ହେଲା । କିନ୍ତୁ କ'ଣ କରାଯିବ ! ବିଭାଘର ପରେ ଝିଅର ଯେ ପର ଘରକୁ ଯିବାର କଥା । ସର୍ବମଙ୍ଗଳା ପାଇଁ ବ୍ରାହ୍ମଣଙ୍କ ମନରେ ଯେତେ କଷ୍ଟ ହେଲା, ସେତିକି ସେ ପୂଜା ଓ ଚଣ୍ଡୀପାଠରେ ମନ ଦେଲେ । ବହୁ ଭାଗ୍ୟକୁ ଝିଅ ବଡ଼ ଘରେ ପଡ଼ିଛି ।

ଦେଖୁ ଦେଖୁ ଦୁର୍ଗା ପୂଜା ଆସି ପହଞ୍ଚିଲା । ବ୍ରାହ୍ମଣଙ୍କ ମନରେ ଭାରି ଇଚ୍ଛା ଯେ ସେ ମାଆର ପୂଜା କରିବେ । ସେ ତାଙ୍କ ସ୍ତ୍ରୀଙ୍କୁ ଏ କଥା କହିଲେ । ଏ କଥାରେ ସ୍ତ୍ରୀ ମଧ୍ୟ ଖୁବ୍ ଖୁସି ହେଲେ । କିନ୍ତୁ ସେମାନେ ବଡ଼ ଗରିବ । କ'ଣ ଦେଇ ସେମାନେ ମାଆର ପୂଜା କରିବେ ? ସେ ସ୍ୱାମୀଙ୍କୁ ଏ କଥା କହିଲେ । ବ୍ରାହ୍ମଣ ତାର ଉତ୍ତରରେ କହିଲେ, "କ'ଣ ହେଲା ? ମାଆ କ'ଣ କେବଳ ଧନୀମାନଙ୍କର, ଗରିବ ଲୋକେ ତା'ର କ'ଣ କେହି ନୁହନ୍ତି ? ନା, ତା କେବେ ହୋଇ ନ ପାରେ । ଆମ ଘରେ ଖୁଦ କୁଣ୍ଡା ଯାହା ଅଛି, ତାକୁ ଦେଇ ଆମେ ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବା ।"

ଏହା ଶୁଣି ବ୍ରାହ୍ମଣୀ କହିଲେ, "ତୁମର ଯେପରି ଇଚ୍ଛା, ସେପରି ପୂଜା ହେଉ ।"