ପୃଷ୍ଠା:Malunira Fula O Anyanya Galpa.pdf/୧୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


Malunira Fula O Anyanya Galpa.pdf

ପୂଜା ଆଉ ଡେରି ନାହିଁ । ସ୍ୱାମୀ ସ୍ତ୍ରୀ ଦୁଇଜଣ ଅତି କଷ୍ଟରେ ବାରଟି ଟଙ୍କା ସଂଗ୍ରହ କରିଛନ୍ତି । ବ୍ରାହ୍ମଣ ଗୋଟିଏ ଅଧୁଲି ନେଇ କୁମ୍ଭାର ଘରେ ଯାଇ ପହଞ୍ଚିଲେ । କୁମ୍ଭାରକୁ କହିଲେ, "ବାପା, ଏ ଅଧୁଲିଟି ରଖ୍, ଆଉ ମୋତେ ମାଆର ଗୋଟିଏ ଛୋଟ ପ୍ରତିମା ଗଢ଼ି ଦେ ।"

କୁମ୍ଭାର କହିଲା, "ଗୋସେଇଁ ମାହାପୁରୁ, ଆପଣ କ'ଣ ବାଇଆ ହେଲେ ! ଦୁର୍ଗା ପୂଜା କରିବାପାଇଁ ଆପଣଙ୍କର ଅବସ୍ଥା କାହିଁ ? ଆଉ ଆଠ ଅଣା ପଇସାରେ କ'ଣ ପ୍ରତିମା ଗଢ଼ାଯାଏ ?"

ବ୍ରାହ୍ମଣ ଉତ୍ତର ଦେଲେ, "କାହିଁ ବାପା, ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବି, ସେଥିରେ ଅବସ୍ଥା ଅଣଅବସ୍ଥାର କ'ଣ ଦରକାର ? ଗୋଟିଏ ଆଠଣିରେ ଯେଡ଼ିକି ହେବ, ସେଡ଼ିକି ମୂର୍ତ୍ତିଟିଏ କରି ଦେ ନା !"

ବ୍ରାହ୍ମଣଙ୍କର ମନୋଭାବ ଦେଖି କୁମ୍ଭାର ମନରେ ଭକ୍ତି ହେଲା । ସେ କହିଲା, "ଆଚ୍ଛା, ମୁଁ ମୂର୍ତ୍ତିଟିଏ ଗଢ଼ିଦେବି, ଅଧୁଲି ଦରକାର ନାହିଁ । ମୁଁ ସେମିତି କରିଦେବି ।"

ବ୍ରାହ୍ମଣ କହିଲେ, "ନାହିଁ ବାପା, ତୋତେ ପଇସା ନେବାକୁ ହେବ ।"

ଜୋର୍ କରି ସେହି ଅଧୁଲିଟି ଦେଇ ଚାଲିଆସିଲେ ।

ସର୍ବମଙ୍ଗଳା କଥା ବ୍ରାହ୍ମଣୀଙ୍କର ମନେ ପଡ଼ିଲା । ସେ କାନ୍ଦିଲେ । ବ୍ରାହ୍ମଣ କହିଲେ, "କାନ୍ଦି କି ଲାଭ ? ସେମାନେ ବଡ଼ ଲୋକ । ତାଙ୍କ ଘରେ କେତେ ବଡ଼ ପୂଜା ହେଉଥିବ, ସେ ପୁଣି ଘରର ଏକମାତ୍ର ବୋହୂ । ସେମାନେ କ'ଣ ତାକୁ ଆମ ଘରକୁ ପଠାଇବେ ?"