ପୃଷ୍ଠା:Malunira Fula O Anyanya Galpa.pdf/୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନରେ ଡାକିବାକୁ ଆରମ୍ଭ କଲେ, "ମା'ଲୋ ମା, ଲଜ୍ଜା ନିବାରଣ କର ।" ଇଆଡେ଼ ସର୍ବମଙ୍ଗଳା ସମସ୍ତଙ୍କୁ ଆଦରରେ ବସାଇ ଦେବୀଙ୍କର ପ୍ରସାଦ ଆଣିଲା । ସମସ୍ତଙ୍କୁ କହିଲା, "ମୋର ବାପା ଗରିବ । ଆପଣମାନଙ୍କୁ ଚର୍ଚ୍ଚା କରିବାର କ୍ଷମତା ତାଙ୍କର ନାହିଁ । ଆପଣମାନେ ଦୟାକରି ତାଙ୍କ ଦୁଆରେ ପାଦ ପକାଇଛନ୍ତି, ଏହା ହେଉଛି ତାଙ୍କର ପରମ ସୌଭାଗ୍ୟ, ଆପଣମାନେ ସମସ୍ତେ ଦେବୀଙ୍କର ପ୍ରସାଦ ଗ୍ରହଣ କରନ୍ତୁ ।" ପ୍ରସାଦରୁ ଏପରି ଏକ ସୁବାସ ବାହାରିବାକୁ ଲାଗିଲା ଯେ, ଯେଉଁମାନେ ଖାଇ ବସିଥିଲେ, ସେମାନେ ପୁଲକିତ ହୋଇଉଠିଲେ । ଏପରି ପ୍ରସାଦ ସେମାନେ କେବେ ଖାଇ ନାହାନ୍ତି । ଅଳ୍ପକରେ ସେମାନଙ୍କ ପେଟ ଏପରି ଭରିଗଲା ଯେ ଆଉ କହିବାର କଥା ନୁହେଁ । ତା ପରେ ସମସ୍ତେ ଆନନ୍ଦ ମନରେ ଘରକୁ ଫେରିଗଲେ ।

ସର୍ବମଙ୍ଗଳା ବାପାଙ୍କୁ ଡାକିଲା, "ବାପା, ଉଠିଆସ । ସେମାନେ ସମସ୍ତେ ଘରକୁ ଚାଲି ଗଲେଣି ।"

ବ୍ରାହ୍ମଣ କହିଲେ, "ସେମାନେ ସମସ୍ତେ ଆମକୁ ଅଭିଶାପ ଦେଇ ଗଲେ କି ମା ?"

ସର୍ବମଙ୍ଗଳା କହିଲା, "ଅଭିଶାପ କାହିଁକି ଦେବେ ? ସମସ୍ତେ ଖୁସି ହୋଇ ଆମର ପ୍ରସାଦ ପାଇ ଯାଇଛନ୍ତି । ଏବେ ମଧ୍ୟ ଅଧେ ପ୍ରସାଦ ରହିଛି, ତୁମେ ଉଠି ଦେଖ ।"

ବ୍ରାହ୍ମଣ ଠାକୁର ଘରୁ ବାହାରି ଆସି ଦେଖିଲେ । "ଆଶ୍ଚର୍ଯ୍ୟ ବ୍ୟାପାର !" ବ୍ରାହ୍ମଣ ଭାବିଲେ ଏ ନିଶ୍ଚୟ ମହାମାୟାର ଲୀଳା । ବ୍ରାହ୍ମଣଙ୍କର ଦୁଇ ଆଖିରୁ ଲୁହ ବହି ଯିବାକୁ ଲାଗିଲା ।

ଶେଷ ଦିନ ବ୍ରାହ୍ମଣ ପୂଜାରେ ବସି ମାଆଙ୍କୁ ଦହିକଡ଼ି ଭୋଗ ଦେଉଛନ୍ତି । ଆଜି ମାଆକୁ ବିଦାୟ ଦେବାକୁ ହେବ । ସେଥିାଇଁ ବ୍ରାହ୍ମଣଙ୍କୁ ଆଜି କିଛି ଭଲ ଲାଗୁନାହିଁ । ସେ ଆଖିବୁଜି ମାଆଙ୍କୁ