ପୃଷ୍ଠା:Malunira Fula O Anyanya Galpa.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବସି ବସି ସେ ଭାବିବାକୁ ଲାଗିଲା, ଶୋଇବାପାଇଁ ତାକୁ ଗୋଟିଏ କୋମଳ ଶଯ୍ୟା ମିଳନ୍ତା କି ! ସେ ଜାଣେ ନାହିଁ ଯେ ସେ ଗୋଟିଏ କଳ୍ପବୃକ୍ଷ ମୂଳରେ ବସିଛି । ତା' ମନରେ ଏହି ଭାବନାର ଉଦ୍ରେକ ହେବା ମାତ୍ରକେ ତା' ପାଖେ ପାଖେ ଏକ ସୁନ୍ଦର ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବାର ସେ ଦେଖି ପାରିଲା । ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା । କିନ୍ତୁ ହାଲିଆ ହୋଇଥିବାଯୋଗୁଁ ସଙ୍ଗେ ସଙ୍ଗେ ଗୋଡ଼ ଲମ୍ବାଇ ତା' ଉପରେ ଶୋଇଗଲା ।

ଅଳ୍ପ କ୍ଷଣ ପରେ ସେ ଭାବିବାକୁ ଲାଗିଲା, କେଡେ଼ ଭଲ ହୁଅନ୍ତା, ଯଦି ଗୋଟିଏ ସୁନ୍ଦରୀ ଝିଅ ଆସି ତା'ର ଗୋଡ଼ ଚିିପି ବସନ୍ତା । ତା' ମନରେ ଏହି ଭାବନା ହେବା ସଙ୍ଗେ ସଙ୍ଗେ ସେ ଦେଖିଲା ଯେ ଗୋଟିଏ ସୁନ୍ଦରୀ ଝିଅ ତା' ଗୋଡ଼ତଳେ ବସି ପାଦ ଚିପୁଛି । ପଥିକର ଆନନ୍ଦର ସୀମା ରହିଲା ନାହିଁ ।

ଏବେ ତାକୁ ଭୋକ ଲାଗିଲା । "ମୁଁ ଯାହା ମାଗିଲି ସବୁ ମିଳିଗଲା, ମୋତେ କ'ଣ କିଛି ଭଲ ଜିନିଷ ଖାଇବାକୁ ମିଳିବ ନାହିଁ ?"

ସେହି ମୁହୂର୍ତ୍ତରେ ସେ ଦେଖିଲା ଯେ, ଅତି ଭଲ ଭଲ ଖାଇବା ଜିନିଷ ତା' ଆଗରେ ଥୁଆ ହୋଇଛି । ସଙ୍ଗେ ସଙ୍ଗେ ଖାଇବାପାଇଁ ବସିଗଲା । ପେଟ ପୂରା ଖାଇ ସାରିବାପରେ ଶେଯରେ ଯାଇ ଗଡ଼ ପଡ଼ ହେଲା ।